ଓଡ଼ିଶାଲାଇଭ୍ ବ୍ୟୁରୋ
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀପଦକୁ ନେଇ ଦିନକକୁ ଦିନ ନାଟକୀୟ ଘଟଣା ଘଟିବାରେ ଲାଗିଛି। ୨୩ ତାରିଖ ସୂର୍ଯ୍ୟାସ୍ତ ହେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଭାବେ ବିଜେପି ନେତା ଦେବେନ୍ଦ୍ର ଫଡନାଭିସ୍ ଶପଥ କରିଥିଲେ। ହେଲେ ମାତ୍ର ତିନି ଦିନ ପରେ ମଙ୍ଗଳବାର ସେ ନିଜ ପଦରୁ ଇସ୍ତଫା ଦେଇଛନ୍ତି।
ବୁଧବାର ଫଡନାଭିସ୍ ପ୍ରେସ୍ ସମ୍ମିଳନୀରେ ତାଙ୍କର ଇସ୍ତଫା ନେଇ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ରାଜ୍ୟରେ ସରକାର ଗଠନ ପାଇଁ ଆମ ପାଖରେ ବହୁମତ ନାହିଁ। ଆମେ ବିଧାନସଭାରେ ବିରୋଧୀ ଆସନରେ ବସିବାକୁ ପ୍ରସ୍ତୁତ ଅଛୁ। ଫଡନାଭିସ୍ଙ୍କ ଏପରି ମନ୍ତବ୍ୟରୁ ଜଣାପଡ଼ୁଛି ଯେ, ମହାରାଷ୍ଟ୍ରରେ ଶିବସେନା ନେତୃତ୍ୱରେ ସରକାର ଗଠନକୁ ବିଜେପି ଆମନ୍ତ୍ରଣ କରୁଛି।
ମୁଖ୍ୟମନ୍ତ୍ରୀ ପଦରୁ ଫଡନାଭିସ୍ ଇସ୍ତଫା ଦେବା ପରେ ମହାରାଷ୍ଟ୍ରରେ ୩ ଦିନିଆ ବିଜେପି ସରକାର ଭାଙ୍ଗିଯାଇଛି। ଫଳରେ ଶିବସେନା ନେତୃତ୍ୱରେ ଏନସିପି ଓ କଂଗ୍ରେସର ମିଳିତ ହୋଇ ସରକାର ଗଠନ କରିବା ନେଇ ପଥ ପରିଷ୍କାର ହୋଇଯାଇଛି।
ବର୍ତ୍ତମାନ ଶିବସେନା ନେତୃତ୍ୱରେ ମହାରାଷ୍ଟ୍ରରେ ଏନସିପି ଓ କଂଗ୍ରେସ ସରକାର ଗଠନ କରିବାରେ କୌଣସି ଅସୁବିଧା ହେବନାହିଁ ବୋଲି ଚର୍ଚ୍ଚା ହେଉଛି। ଏନେଇ ସମସ୍ତ ପ୍ରକାର ବୈଠକ ମଧ୍ୟ ଶେଷ ହୋଇଛି। ମେଣ୍ଟ ସରକାରରେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ହେବେ ବୋଲି ସ୍ଥିର କରାଯାଇଛି। ଏହାସହ ଉପ-ମୁଖ୍ୟମନ୍ତ୍ରୀ ଓ ବିଧାନସଭା ବାଚସ୍ପତି ପଦ ଏନସିପି ଓ କଂଗ୍ରେସ ମଧ୍ୟରେ ବଣ୍ଟାଯିବ।
ସେହିପରି ମେଣ୍ଟ ସରକାରର ମନ୍ତ୍ରୀମଣ୍ଡଳକୁ ତିନିଦଳ ମଧ୍ୟରେ ବଣ୍ଟାଯିବ ବୋଲି ସୂଚନା ମିଳିଛି। ମହାରାଷ୍ଟ୍ରରେ ଶିବସେନା-ଏନ୍ସିପି-କଂଗ୍ରେସ ମେଣ୍ଟ ସରକାର ଗଢ଼ିଲେ ଶିବସେନା ଓ ଏନସିପି ପାଖରେ ୧୪ଟି ଲେଖାଏଁ ମନ୍ତ୍ରୀପଦ ରହିବ। ଏହାସହ କଂଗ୍ରେସ ପାଖରେ ୧୨ଟି ମନ୍ତ୍ରୀ ପଦ ରହିବ ବୋଲି ପୂର୍ବରୁ ଆଲୋଚନା ହୋଇସାରିଛି।