ଓଡ଼ିଶାଲାଇଭ୍ ବ୍ୟୁରୋ

ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ଶିବସେନା ନେତା ମନୋହର ଯୋଶୀଙ୍କ ପରଲୋକ ଘଟିଛି। ଶୁକ୍ରବାର ସକାଳେ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା। ସେ ୧୯୯୫ରୁ ୧୯୯୯ ଯାଏଁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ଵ ନିର୍ବାହ କରିଥିଲେ।

ମନୋହର ଯୋଶୀ କିଛି ଦିନ ଧରି ଅସୁସ୍ଥ ଥିଲେ। ଗୁରୁବାର ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ପରିବାର ଲୋକେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତାଙ୍କୁ ଆଇସିୟୁରେ ରଖାଯାଇଥିଲା। ତାଙ୍କର ହୃଦଘାତ ହୋଇଥିବା ଡାକ୍ତରମାନେ କହିଥିଲେ।

ମନୋହର ଯୋଶୀଙ୍କ ମୃତ୍ୟୁରେ ମହାରାଷ୍ଟ୍ର ତଥା ଜାତୀୟ ରାଜନୈତିକ ଜଗତର ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। ଶୁକ୍ରବାର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ।

ମନୋହର ଯୋଶୀଙ୍କ ରାଜନୈତିକ କ୍ୟାରିୟର ବେଶ ଲମ୍ବା ଥିଲା। ସେ ପ୍ରଥମେ ମୁମ୍ବାଇ ମହାନଗର ନିଗମରେ କର୍ପୋରେଟର ଭାବେ ନିର୍ବାଚିତ ହୋଇଥିଲେ। ଏହାପରେ ସେ ମୁମ୍ବାଇର ମେୟର ହୋଇଥିଲେ। ପରେ ୧୯୭୨ ମସିହାରେ ସେ ମହାରାଷ୍ଟ୍ର ବିଧାନସଭାରେ ବିଧାୟକ ନିର୍ବାଚିତ ହୋଇଥିଲେ। ଏହାସହ ସେ ମହାରାଷ୍ଟ୍ର ବିଧାନ ପରିଷଦର ସଦସ୍ୟ ମଧ୍ୟ ରହିଥିଲେ। ସେ ଶିବସେନା-ବିଜେପି ମେଣ୍ଟ ସରକାରରେ ୧୯୯୫ରୁ ୧୯୯୯ ଯାଏଁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ରହିଥିଲେ।

ଏହାପରେ ମନୋହର ଯୋଶୀ ଜାତୀୟ ରାଜନୀତିରେ ପାଦଦେଇ ୧୯୯୯ ଲୋକସଭା ନିର୍ବାଚନରେ ମୁମ୍ବାଇ ଉତ୍ତର ଆସନରୁ ସାଂସଦ ନିର୍ବାଚିତ ହୋଇଥିଲେ। ସେ ଅଟଳ ବିହାରୀ ବାଜପେୟୀଙ୍କ ଏନଡିଏ ସରକାର ସମୟରେ ୧୯୯୯-୨୦୦୨ ପର୍ଯ୍ୟନ୍ତ କେନ୍ଦ୍ର ଭାରି ଉଦ୍ୟୋଗ ମନ୍ତ୍ରାଳୟର ମନ୍ତ୍ରୀ ଥିଲେ। ଏହାପରେ ୨୦୦୨ରୁ ୨୦୦୪ ଯାଏଁ ସେ ଲୋକସଭାର ବାଚସ୍ପତି ମଧ୍ୟ ରହିଥିଲେ।    

Tags: #ManoharJoshi #FormerCmofMaharashtra #Politician #Politics #Maharashtra #India

LEAVE A REPLY

Please enter your comment!
Please enter your name here