ଓଡ଼ିଶାଲାଇଭ୍‌ ବ୍ୟୁରୋ

ଫଡନାଭିସ୍‌ ଦେଲେ ଇସ୍ତଫା, ମହାରାଷ୍ଟ୍ରରେ ଭାଙ୍ଗିଲା ୩ ଦିନିଆ ସରକାର। ଜାଣନ୍ତୁ କ’ଣ ଥିଲା ଘଟଣାକ୍ରମ।

ମହାରାଷ୍ଟ୍ର ରାଜନୀତି ସମୀକରଣରେ ଆଜି ଆଉ ଏକ ଅଧ୍ୟାୟ ଦେଖିବାକୁ ମିଳିଛି। ଶନିବାର ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହୋଇଥିବା ବିଜେପି ନେତା ଦେବେନ୍ଦ୍ର ଫଡନାଭିସ୍‌ ମଙ୍ଗଳବାର ଇସ୍ତଫା ଦେଇଛନ୍ତି। ଏଥିସହିତ ଭାଙ୍ଗିଯାଇଛି ବିଜେପିର ୩ ଦିନିଆ ସରକାର। ତେବେ ଏହି ତିନି ଦିନ ମଧ୍ୟରେ ମହାରାଷ୍ଟ୍ରରେ କ’ଣ ଘଟିଛି, ଆସନ୍ତୁ ଜାଣିବା।

ସୂର୍ଯ୍ୟାସ୍ତ ପୂର୍ବରୁ ମୁଖ୍ୟମନ୍ତ୍ରୀ ହେଲେ ଫଡନାବିସ୍

ମହାରାଷ୍ଟ୍ରରେ ଲାଗି ରହିଥିବା କ୍ଷମତା ସଂଘର୍ଷର ବାଜି ପଲିଟିଥିଲା ନଭେମ୍ବର ୨୩ରେ। ଏନସିପି ନେତା ଅଜିତ୍ ପାୱାରଙ୍କ ସମର୍ଥନ ପାଇ ଶନିବାର ସକାଳେ ଦେବେନ୍ଦ୍ର ଫଡନାଭିସ୍ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଏଥିରେ ଅଜିତ ପାୱାରଙ୍କୁ ଉପହାରରେ ମିଳିଥିଲା ମହାରାଷ୍ଟ୍ରର ଉପ-ମୁଖ୍ୟମନ୍ତ୍ରୀ ପଦ।

ସକାଳ ୮ଟାରେ ତରବରିଆ ଭାବେ ଶପଥଗ୍ରହଣ ପରେ ନଭେମ୍ବର ୩୦ ତାରିଖ ସୁଦ୍ଧା ବିଧାନସଭାରେ ବହୁମତ ପ୍ରମାଣ ରାଜ୍ୟପାଳ ବିଜେପିକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଘଟଣାକୁ ଶିବସେନା, ଏନସିପି ଓ କଂଗ୍ରେସ ଘୋର ବିରୋଧ କରିବା ସହ ଏହା ଗଣତନ୍ତ୍ରର ହତ୍ୟା ବୋଲି କହିଥିଲେ ତିନି ଦଳ।

ସୁପ୍ରିମକୋର୍ଟରେ ପହଞ୍ଚିଲା ମହାରାଷ୍ଟ୍ର ମାମଲା

ଏହାପରେ ଆହୁରି ସରଗରମ ହୋଇଥିଲା ମହାରାଷ୍ଟ୍ର ରାଜନୀତି। ବିଜେପି ସହ ମିଶିବା ଅଜିତ୍‌ଙ୍କ ବ୍ୟକ୍ତିଗତ କଥା କହିଥିଲେ ଏନ୍‌ସିପି ଅଧ୍ୟକ୍ଷ ଶରଦ ପାୱାର। ଏହାପରେ ଶିବସେନା ଏବଂ କଂଗ୍ରେସ ସହ ମିଶି ଏନ୍‌ସିପି ମହାରାଷ୍ଟ୍ର ସରକାର ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

୨୪ ଘଣ୍ଟା ମଧ୍ୟରେ ବହୁମତ ସାବ୍ୟସ୍ତ କରିବାକୁ ଦାବି କରିଥିଲେ ତିନି ରାଜନୈତିକ ଦଳ ଶିବସେନା-ଏନ୍‌ସିପି-କଂଗ୍ରେସ। ଏନେଇ ସୁପ୍ରିମକୋର୍ଟଙ୍କ ତିନିଜଣିଆ ଖଣ୍ଡପୀଠ ସମସ୍ତ ଦଳର ଅଭିଯୋଗ ଶୁଣିବା ପରେ  ସୋମବାର ନିଜର ରାୟକୁ ସଂରକ୍ଷିତ ରଖିଥିଲେ।

୧୬୨ ବିଧାୟକଙ୍କୁ ନେଇ ବୈଠକ କଲେ ଶିବସେନା, ଏନସିପି ଓ କଂଗ୍ରେସ

ମହାରାଷ୍ଟ୍ର ରାଜନୀତିକୁ ନେଇ ସୁପ୍ରିମକୋର୍ଟ ନିଜର ରାୟ ସଂରକ୍ଷିତ କରି ରଖିବା ପରେ, ସୋମବାର ୧୬୨ ବିଧାୟକଙ୍କୁ ନେଇ ମୁମ୍ବାଇର ହେୟାତ୍ ହୋଟେଲରେ ଏକାଠି ହୋଇଥିଲେ ଶିବସେନା, ଏନସିପି ଓ କଂଗ୍ରେସ। ହୋଟେଲରେ ବିଧାୟକମାନଙ୍କୁ ଶପଥ କରାଯାଇଥିଲା ଯେ, ସେମାନେ ସବୁବେଳେ ଏକାଠି ହୋଇ ରହିବେ ଓ ରାଜ୍ୟରେ ସରକାର ଗଠନ କରିବେ। ଏହି ବୈଠକରେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ, ଏନସିପି ମଖ୍ୟ ଶରଦ ପାୱାର ପ୍ରମୁଖ ଯୋଗ ଦେଇଥିଲେ।

ବିଧାନସଭାରେ ବୁଧବାର ଫ୍ଲୋର ଟେଷ୍ଟ ପାଇଁ ସୁପ୍ରିମକୋର୍ଟଙ୍କ ରାୟ

ସୋମବାର ରାୟ ସଂରକ୍ଷିତ କରି ରଖିଥିବା ସୁପ୍ରିମକୋର୍ଟ ମଙ୍ଗଳବାର ଠିକ୍ ସାଢ଼େ ୧୦ଟା ସମୟରେ ନିଜର ରାୟ ପ୍ରକାଶ କରିଥିଲେ। ଏଥିରେ କୋର୍ଟ ମହାରାଷ୍ଟ୍ର ବିଧାନସଭାରେ ବୁଧବାର ଅପରାହ୍‌ଣ ୫ଟା ସୁଦ୍ଧା ଫ୍ଲୋର୍ ଟେଷ୍ଟ କରିବାକୁ ନିର୍ଦ୍ଦେଶ ଦେଇଥିଲା।

ଇସ୍ତଫା ଦେଲେ ଦେବେନ୍ଦ୍ର ଫଡନାଭିସ୍‌ ଓ ଅଜିତ ପାୱାର

ସୁପ୍ରିମକୋର୍ଟ ବୁଧବାର ଫ୍ଲୋର୍ ଟେଷ୍ଟ ପାଇଁ ନିର୍ଦ୍ଦେଶ ଦେବାର କିଛି ସମୟ ପରେ ହଠାତ୍ ମହାରାଷ୍ଟ୍ର ବିଧାନସଭାର ଉପ-ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଅଜିତ୍ ପାୱାର। ଏହାର କିଛି ସମୟ ପରେ ଦେବେନ୍ଦ୍ର ଫଡନାଭିସ୍ ସାମ୍ବାଦିକ ସମ୍ମିଳନୀ ଡାକି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଘୋଷଣା କରିଥିଲେ।

ବିଜେପି ବିଧାନସଭାରେ ବହୁମତ ସାବ୍ୟସ୍ତ କରିବାକୁ ସକ୍ଷମ ନୁହେଁ, ସେମାନେ ବିରୋଧୀ ଦଳରେ ବସିବାକୁ ପ୍ରସ୍ତୁତ ଅଛନ୍ତି ବୋଲି ଫଡନାଭିସ୍‌ କହିଛନ୍ତି। ଏହାସହ ମହାରାଷ୍ଟ୍ରରେ ଶିବସେନା, ଏନସିପି ଓ କଂଗ୍ରେସର ମିଳିତ ସରକାର ହେବା ଏକ ପ୍ରକାରର ନିଶ୍ଚିତ ହୋଇଛି।

LEAVE A REPLY

Please enter your comment!
Please enter your name here