ଓଡ଼ିଶାଲାଇଭ୍ ବ୍ୟୁରୋ
- ୨୯ ଜାନୁଆରିରୁ ୨୬ ମାର୍ଚ୍ଚ ପର୍ଯ୍ୟନ୍ତ ଅଭିଯାନ
- ୯ମାସରୁ ୧୫ ବର୍ଷ ପର୍ଯ୍ୟନ୍ତ ପିଲାଙ୍କୁ ଦିଆଯିବ ଟିକା
- ରାଜ୍ୟର ୧.୧୩ କୋଟି ପିଲା ହେବେ ଉପକୃତ
- ଗୋଟିଏ ଟିକା, ଦୁଇଟି ରୋଗରୁ ଦିଏ ସୁରକ୍ଷା
ସାରା ରାଜ୍ୟରେ ଆରମ୍ଭ ହୋଇଛି ମିଜିଲ୍ସ ଓ ରୁବେଲା (ଏମ୍ଆର୍) ପ୍ରତିଶେଧକ ଟିକାକରଣ ଅଭିଯାନ। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଆୟୋଜିତ ଏହି ଅଭିଯାନକୁ ପତାକା ହଲାଇ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଏହି ଟୀକା ୯ ମାସରୁ ୧୫ ବର୍ଷ ପର୍ଯ୍ୟନ୍ତ ସବୁପିଲାଙ୍କୁ ଦେବା ପାଇଁ ଲକ୍ଷ୍ୟ ରଖାଯାଇଛି। ଯେଉଁମାନେ ପୂର୍ବରୁ କୌଣସି ଟିକା ନେଇଛନ୍ତି, ସେମାନେ ମଧ୍ୟ ଏହି ଟିକା ନେଇପାରିବେ। ମିଜିଲ୍ସ ଓ ରୁବେଲା ପରି ଦୁଇଟି ମାରାତ୍ମକ ରୋଗରୁ ଏହି ଗୋଟିଏ ଟିକା ନିଶ୍ଚିତ ସୁରକ୍ଷା ଦେବ। ତେଣୁ ଏହି ଅଭିଯାନକୁ ରାଜ୍ୟର ସବୁପିଲାଙ୍କ ପାଖରେ ପହଞ୍ଚାଇବା ପାଇଁ ପଦକ୍ଷେପ ନିଆଯାଉଛି।
ଏହି ଟିକାକରଣ ଜରିଆରେ ରାଜ୍ୟର ପ୍ରାୟ ଏକ କୋଟି ୧୩ ଲକ୍ଷ ପିଲାଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖିଛି ସ୍ଵାସ୍ଥ୍ୟ ବିଭାଗ। ଏହି ଟିକାକରଣ କାର୍ଯ୍ୟକ୍ରମ ଜାନୁଆରୀ ୨୯ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୬ ପର୍ଯ୍ୟନ୍ତ ଚାଲିବ।
ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ଏହି ଅଭିଯାନକୁ ବ୍ୟାପକ କରିବା ପାଇଁ ବିଭିନ୍ନ ସ୍ତରରେ ବ୍ୟବସ୍ଥା କରାଯାଇଛି। ଏହାସହିତ ଏମ୍ଆର୍ ପ୍ରତି ଲୋକଙ୍କୁ ସଚେତନ କରିବା ଲକ୍ଷ୍ୟରେ ପ୍ରିଣ୍ଟ୍ ଓ ଇଲେଟ୍ରୋନିକ୍ ମିଡ଼ିଆରେ ବ୍ୟାପକ ପ୍ରଚାର କରାଯାଉଛି।
ସୋମବାର ଦିନ ଏହି ଟିକାକରଣ ଅଭିଯାନକୁ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, “ଏହି ରୋଗ ପ୍ରତିଷେଧକ ଟିକା ନେବା ଫଳରେ ଓଡ଼ିଶାର ପିଲାମାନେ ବେଶ୍ ଉପକୃତ ହେବେ। ଓଡ଼ିଶା ସ୍ଵାସ୍ଥ୍ୟ ସେବା କ୍ଷେତ୍ରରେ ଅନ୍ୟ ରାଜ୍ୟ ତୁଳନାରେ ଉନ୍ନତ ସ୍ଥାନରେ ରହିଛି। ଓଡ଼ିଶାବାସୀଙ୍କ ସହଯୋଗରେ ଏହି ଅଭିଯାନ ସଫଳ ହେବ।“
ଏମ୍ଆର୍ ଟିକା ପ୍ରଥମ ଦୁଇ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟରେ ଦିଆଯିବ। ପରବର୍ତ୍ତୀ ଦୁଇ ସପ୍ତାହରେ ଏହାକୁ ଗୋଷ୍ଠୀ ସ୍ତରରେ ପରିଚାଳନା କରାଯିବ। ସେହିପରି ଶେଷ ଗୋଟିଏ ସପ୍ତାହ ମଧ୍ୟରେ ଅନ୍ୟ ସ୍ଥାନରେ ଏହି ଟିକାକରଣ କରାଯାଇ ସବୁପିଲାଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି।
ତେବେ କୌଣସି ପିଲାକୁ ଜ୍ଵର ବା ଅନ୍ୟ କୌଣସି ସଂକ୍ରମଣ ହୋଇଥିଲେ ସେ ଏହି ଟୀକା ନେଇପାରିବ ନାହିଁ।
ଟୀକା ଦେବାର କ୍ଷେତ୍ରରେ ଯେପରି କୌଣସି ଅସୁବିଧା ନହୁଏ ସେଥିପାଇଁ ପୂର୍ବରୁ ଏଏନ୍ଏମ୍ ଏବଂ ଆଶା ଦିଦିମାନଙ୍କୁ ତାଲିମ ଦିଆଯାଇଛି।
ଏହି ଅବସରରେ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, “ଏହି ଟିକା ନେବା ଦ୍ଵାରା ରାଜ୍ୟରେ ମିଜିଲ୍ସ ଓ ରୁବେଲା ସଂକ୍ରମିତ ରୋଗକୁ ସମୂଳେ ନାଶ କରାଯାଇ ପାରିବ।“
ସ୍କୁଲ ଓ ଗଣଶିକ୍ଷା, ପଞ୍ଚାୟତିରାଜ, ମହିଳା ଓ ଶିଶୁ କଲ୍ୟାଣ, ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ଏବଂ ସହରାଞ୍ଚଳ ବିକାଶ ବିଭାଗର ମିଳିତ ସହାୟତାରେ ଏହି ଅଭିଯାନକୁ ସଫଳ କରିବା ପାଇଁ ଚେଷ୍ଟା କରୁଛି ସ୍ଵାସ୍ଥ୍ୟ ବିଭାଗ ।
ୟୁନିସେଫ୍ ଓଡ଼ିଶାର ମୁଖ୍ୟ ୟୁମି ବେ, କହିଛନ୍ତି ଯେ, “ମିଜିଲ୍ସ ଓ ରୁବେଲା ଅଭିଯାନ ଏକ ଗୁରୁତ୍ଵପୁର୍ଣ୍ଣ କାର୍ଯ୍ୟକ୍ରମ। ସ୍ଵାସ୍ଥ୍ୟ ବିଭାଗ ନେତୃତ୍ଵରେ କରାଯାଉଥିବା ଏହି ଅଭିଯାନର ସଫଳତା ପାଇଁ ୟୁନିସେଫ୍ ସହଯୋଗ ଦେଉଛି। ଆସନ୍ତା ୫ ସପ୍ତାହ ମଧ୍ୟରେ ଏହି ଅଭିଯାନ ରାଜ୍ୟରେ ତା’ର ଲକ୍ଷ୍ୟ ହାସଲ କରିପାରିବ ବୋଲି ମୁଁ ଆଶାବାଦୀ।“
ଟିକାକରଣ ଶୁଭାରମ୍ଭ ଅବସରରେ ସ୍ଵାସ୍ଥ୍ୟ ବିଭାଗ ସଚିବ ପ୍ରମୋଦ ମେହେର୍ଦ୍ଦା, ଜାତୀୟ ସ୍ଵାସ୍ଥ୍ୟ ମିଶନ୍ର ନିର୍ଦ୍ଦେଶକ ଶାଳିନୀ ପଣ୍ଡିତ୍ ଓ ପ୍ରମୁଖ ଅଧିକାରୀ ଉପସ୍ଥିତ ଥିଲେ।
ଏମ୍ଆର୍ ଅଭିଯାନକୁ ସଫଳ କରିବା ପାଇଁ ଯେଉଁ ଜାତୀୟ ଓ ଅନ୍ତର୍ଜାତୀୟ ଅନୁଷ୍ଠାନମାନେ ସରକାରଙ୍କୁ ସହଯୋଗ କରୁଛନ୍ତି ସେମାନଙ୍କ ମଧ୍ୟରେ ଅଛନ୍ତି ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ୟୁନିସେଫ୍, ୟୁଏନ୍ଡିବି, ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍, ଇଣ୍ଡିଆନ୍ ଆସୋସିଏସନ୍ ଅଫ୍ ପେଡିଆଟ୍ରିକ୍ ଏବଂ ଲାୟନ୍ସ ଇଣ୍ଟରନାସନାଲ୍।
୨୦୧୭ ଫେବୁଆରି ମାସରେ ଦେଶର ପ୍ରଥମ ପର୍ଯ୍ୟାୟ ଟିକାକରଣ ଅଭିଯାନ ଆରମ୍ଭ ହୋଇଥିଲା। ସେତେବେଳେ ଏହା ୫ଟି ରାଜ୍ୟରେ କରାଯାଇଥିଲା। ଦ୍ଵିତୀୟ ଦଫାରେ ୨୦୧୭ ସେପ୍ଟେମ୍ବରରେ ଆଉ ୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏହି ଅଭିଯାନ ଲାଗୁ କରାଯାଇଥିଲା। ଏହି ଦୁଇଟି ଦଫାରେ ପ୍ରାୟ ୭କୋଟି ୭୦ ଲକ୍ଷ ପିଲାଙ୍କୁ ଟିକା ଦିଆଯାଇଛି। ୨୦୨୦ ସୁଦ୍ଧା ଦେଶକୁ ସମ୍ପୂର୍ଣ୍ଣ ମିଳିମିଳା ଓ ରୁବେଲା-ମୁକ୍ତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି।