ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

  • ବର୍ଷକ ପାଇଁ ସୋନିଆଙ୍କ ହାତରେ କଂଗ୍ରେସ କମାଣ
  • ୬ ମାସ ଭିତରେ ଆଉ ଥରେ ବସିବ ବୈଠକ
  • ସ୍ଥାୟୀ ଅଧ୍ୟକ୍ଷ ବାଛିବା ପାଇଁ ବସିବ ବୈଠକ
  • ଦିନସାରା କଂଗ୍ରେସ ଭବନରେ ମାନସ ମନ୍ଥନ
  • ଚିଠିକୁ ନେଇ ବୈଠକରେ ଝଡ଼

ସୋନିଆ ଗାନ୍ଧୀ ପୁଣି ହେଲେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା। ବର୍ଷକ ପାଇଁ ତାଙ୍କୁ ପୁଣିଥରେ ଅଧ୍ୟକ୍ଷ କରାଯାଇଥିବା କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରୁ ଜଣାପଡ଼ିଛି। ୬ ମାସ ଭିତରେ ଆଉ ଥରେ ବୈଠକ ବସିବ ଏବଂ ସ୍ଥାୟୀ ଅଧ୍ୟକ୍ଷ ଚୟନ କରାଯିବ ବୋଲି ବୈଠକରୁ ଜଣାପଡ଼ିଛି। ଗାନ୍ଧୀ ପରିବାର ବାହାରକୁ କଂଗ୍ରେସ ଅଧ୍ୟକ୍ଷ ପଦ ଯିବ ବୋଲି ଯେଉଁ ଚର୍ଚ୍ଚା ହେଉଥିଲା ସେଥିରେ ପୂର୍ଣ୍ଣଛେଦ ପଡ଼ିଛି।

କଂଗ୍ରେସର ସ୍ଥାୟୀ ଅଧ୍ୟକ୍ଷ ବାଛିବା ପାଇଁ ଆଜି ଦିନ ସାରା ଦିଲ୍ଲୀ କଂଗ୍ରେସ ଭବନରେ ମାରାଥନ ବୈଠକ ବସିଥିଲା। ଏହି ବୈଠକରେ କଂଗ୍ରେସ କାର୍ଯ୍ୟକାରିଣୀ କମିଟିର ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ। ଏହାସହ ୱେବିନାରରେ ମଧ୍ୟ ବହୁ ନେତା ଯୋଡ଼ି ହୋଇଥିଲେ।

ବୈଠକ ଆରମ୍ଭରୁ ସୋନିଆ ଆଉ ଅଧ୍ୟକ୍ଷ ପଦରେ ରହିବେନି ବୋଲି କହିଥିଲେ। ହେଲେ ଏହି ସମୟରେ ଏକ ଚିଠିକୁ ନେଇ ଝଡ଼ ବହିଥିଲା। ଏହି ଚିଠି ପ୍ରସଙ୍ଗ ଉଠାଇଥିଲେ ରାହଉଳ ଗାନ୍ଧୀ। ଦଳର କିଛି ବରିଷ୍ଠ ନେତା ଦୃଢ଼ ନେତୃତ୍ୱ ଦାବିରେ ଏକ ଚିଠି ଲେଖିଥିଲେ। ଏହି ଚିଠି ପଛରେ ବିଜେପିର ଷଡ଼ଯନ୍ତ୍ର ଥିବା ରାହୁଲ କହିଥିଲେ।

ଏହାକୁ ନେଇ କଂଗ୍ରେସ ଶିବିରରେ କମ୍ପନ ହୋଇଥିଲା। ବରିଷ୍ଠ ନେତା ଗୁଲାମନବୀ ଆଜାଦ ଏବଂ କପିଲ ସିବଲ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଗୁଲାମନବୀ କହିଥିଲେ ଯେ, ସେ କଂଗ୍ରେସ ଦଳରେ ଅଛନ୍ତି। ବିଜେପି ସହ କୌଣସି ସମ୍ପର୍କ ନାହିଁ। ଯଦି ପ୍ରମାଣ ମିଳିବ ତାହାଲେ ସେ  ଦଳରୁ ଇସ୍ତଫା ଦେବାକୁ ପ୍ରସ୍ତୁତ ଅଛନ୍ତି।

ସେହିପରି କପିଲ ସିବଲ କହିଥିଲେ ଯେ, ଦଳରେ ପାଇଁ ସେ ୨୫ରୁ ଅଧିକ ବର୍ଷ ହେଲା କାମ କରୁଛନ୍ତି। ରାଜସ୍ଥାନରେ ଯେତେବେଳେ ରାଜନୈତିକ ସଙ୍କଟ ଦେଖାଦେଇଥିଲା ସେତେବେଳେ ସେ ଦଳ ପାଇଁ କାମ କରିଥିଲେ। ମଣିପୁରରେ ବି ସେ ଦଳର ସମ୍ମାନ ରକ୍ଷା ପାଇଁ କାମ କରିଥିଲେ। ଏହି ପ୍ରସଙ୍ଗକୁ ନେଇ କଂଗ୍ରେସରେ ଆଜି ଝଡ଼ ସୃଷ୍ଟି ହୋଇଥିଲା। ଅପରାହ୍‌ଣ ସୁଦ୍ଧା ଅଧ୍ୟକ୍ଷ କିଏ ହେବେ ସେନେଇ କୌଣସି ନିଷ୍ପତ୍ତି ହୋଇପାରି ନଥିଲା।

ଶେଷରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ ଏବଂ ବରିଷ୍ଠ ନେତା ଏ କେ ଆଣ୍ଟୋନି ଅଧ୍ୟକ୍ଷ ପଦ ପାଇଁ ସୋନିଆଙ୍କ ନାଁ ସୁପାରିଶ କରିଥିଲେ। ସ୍ଥାୟୀ ଅଧ୍ୟକ୍ଷ ବଛା ହେବା ଯାଏଁ ଦଳ ପରିଚାଳନା ଦାୟିତ୍ୱ ସୋନିଆଙ୍କ ହାତରେ ରହୁ ବୋଲି ଏହି ବରିଷ୍ଠ ନେତା ପ୍ରସ୍ତାବ ଦେଇଥିଲେ। ଶେଷରେ ତାହା ହିଁ ହେଲା।

ରାହୁଲ ଗାନ୍ଧୀଙ୍କୁ ପୁଣିଥରେ ସ୍ଥାୟୀ ଅଧ୍ୟକ୍ଷ କରିବା ଲାଗି ପ୍ରସ୍ତାବ ଆସିଥିଲା। ବୈଠକ ଆରମ୍ଭ ହେବା ପୂର୍ବରୁ କିଛି ସମର୍ଥକ ରାହୁଲ ଏବଂ ସୋନିଆଙ୍କ ସପକ୍ଷରେ ସ୍ଲୋଗାନ ଦେଇଥିଲେ। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌, ସଚିନ ପାଇଲଟ୍‌ ଆଦି ରାହୁଲଙ୍କକୁ ସଭାପତି କରିବା ପାଇଁ ପ୍ରସ୍ତାବ ଦେଇଥିଲେ।

BGU୨୦୧୯ ନିର୍ବାଚନରେ କଂଗ୍ରେରସ ନୈରାଶ୍ୟଜନକ ପ୍ରଦର୍ଶନକୁ ନେଇ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ ରାହୁଲ ଗାନ୍ଧୀ। କଂଗ୍ରେସ କାର୍ଯ୍ୟ କାରିଣୀ ବୈଠକରେ ସୋନିଆଙ୍କୁ ଅନ୍ତରୀଣ ଅଧ୍ୟକ୍ଷା କରାଯାଇଥିଲା। ଅଗଷ୍ଟ ୧୦ରେ ତାଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ସ୍ଥାୟୀ ଅଧ୍ୟକ୍ଷକୁ ନେଇ ଚର୍ଚ୍ଚା ଚାଲିଥିଲା।

LEAVE A REPLY

Please enter your comment!
Please enter your name here