ଓଡ଼ିଶାଲାଇଭ୍ ବ୍ୟୁରୋ
ଶୁକ୍ରବାରଠାରୁ ଆରମ୍ଭ ହୋଇଛି ମାଟ୍ରିକ୍ ପରୀକ୍ଷା। ଆରମ୍ଭରୁ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହେବା ଘଟଣା ସାମ୍ନାକୁ ଆସିଛି।
ରାଜ୍ୟରେ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହୋଇଯାଇଛି। ମାତ୍ର ପରୀକ୍ଷା ଆରମ୍ଭରୁ ସୋସିଆଲ ମିଡିଆରେ ପ୍ରଶ୍ନପତ୍ର ଲିକ୍ ହେବା ଘଟଣା ସାମ୍ନାକୁ ଆସିଛି।
କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚଳରେ ପ୍ରଶ୍ନପତ୍ର ଫଟୋ ଭାଇରାଲ୍ ହୋଇଛି। ପରୀକ୍ଷା ଆରମ୍ଭ ହେବାର ଘଣ୍ଟାଏ ପୂର୍ବରୁ ମାତୃଭାଷା ପ୍ରଶ୍ନପତ୍ର ହ୍ଵାଟ୍ସଆପରେ ଭାଇରାଲ୍ ହୋଇଛି। ଏ ପ୍ରଶ୍ନ ଅସଲି କି ନକଲି ଜଣାପଡ଼ି ନଥିଲେ ହେଁ ଏନେଇ ମତ ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର।
“ମାଟ୍ରିକ ପ୍ରଶ୍ନପତ୍ର ଲିକ୍ ହୋଇନି। ଏଣୁ ଆତଙ୍କିତ ନହୋଇ ବିଶ୍ଵାସର ସହ ପରୀକ୍ଷା ଦିଅନ୍ତୁ। ପରୀକ୍ଷା କେନ୍ଦ୍ରରେ ମୋବାଇଲ୍ ନେବା ପାଇଁ କଟକଣା ରହିଛି। ଯଦି ଏଭଳି କିଛି ଘଟଣା ସାମ୍ନାକୁ ଆସେ ତେବେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ”, କହିଛନ୍ତି ବଦ୍ରି ନାରାୟଣ ପାତ୍ର।
“ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି ଯେ ଘଟଣାର କୌଣସି ସତ୍ୟତା ନାହିଁ। ପ୍ରଶ୍ନପତ୍ର ଲିକ୍ ହୋଇନି। ଆବଶ୍ୟକ ପଡ଼ିଲେ ହ୍ଵାଟ୍ସଆପରେ ଘୁରିବୁଲୁଥିବା ପ୍ରଶ୍ନପତ୍ର ଯାଞ୍ଚ କରାଯିବ”, କହିଛନ୍ତି ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର।
ମାଟ୍ରିକ ପରୀକ୍ଷାର ପ୍ରଥମ ଦିନରେ ମାତୃଭାଷା ପରୀକ୍ଷା ସରିଛି। ସକାଳ ୯ଟାରୁ ପରୀକ୍ଷା ଆରମ୍ଭ ହୋଇ ୧୧ଟା ୩୦ରେ ସରିଛି। ଚଳିତବର୍ଷ ପରୀକ୍ଷା ଦେଉଛନ୍ତି ୬ଲକ୍ଷ ୮ହଜାର ୩୧ ଜଣ ଛାତ୍ରଛାତ୍ରୀ। ଏଥର ୨ ହଜାର ୮୧୮ ଟି କେନ୍ଦ୍ରରେ ପରୀକ୍ଷା ହେଉଛି। ଆଜି ସକାଳ ୮ଟାରୁ ବିଭିନ୍ନ ପରୀକ୍ଷା କେନ୍ଦ୍ର ଆଗରେ ପହଞ୍ଚିଥିଲେ ଛାତ୍ରଛାତ୍ରୀ। ୮ଟା ୩୦ରେ ଓଏମ୍ଆର୍ ସିଟ୍ ଦିଆଯାଇଥିଲା।
୮ଟା ୪୫ ମିନିଟରେ ପ୍ରଶ୍ନପତ୍ର ସଂଯୁକ୍ତ ଥିବା ଉତ୍ତର ଖାତା ଦିଆଯାଇଥିଲା। ପ୍ରଶ୍ନ ପଢ଼ିବା ଲାଗି ଛାତ୍ରଛାତ୍ରୀଙ୍କୁ ମିଳିଥିଲା ୧୫ ମିନିଟ୍। ପରେ ୯ଟାରୁ ଆରମ୍ଭ ହୋଇଥିଲା ପରୀକ୍ଷା।
କପି ରୋକିବା ପାଇଁ ତ୍ରିସ୍ତରୀୟ ସ୍କ୍ୱାଡ ଗଠନ କରାଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସ୍ତରରେ ୫୮ଟି ଫ୍ଲାଇ ସ୍କ୍ୱାଡ ଓ ୩୭ଟି କେନ୍ଦ୍ରୀୟ ସ୍କ୍ୱାଡ ଗଠନ କରାଯାଇଛି। ମାଟ୍ରିକ ପରୀକ୍ଷାରେ କପି ରୋକିବା ପାଇଁ ଗଠିତ ସ୍କ୍ଵାଡରେ ଅଧ୍ୟାପକମାନଙ୍କୁ ମଧ୍ୟ ସାମିଲ କରାଯାଇଛି।