ଓଡ଼ିଶାଲାଇଭ୍‌ ବ୍ୟୁରୋ

ମନିଷା ମଲ୍ଲିକ। ଡିସ୍କ ଜକି ଦୁନିଆରେ ଏକ ଜଣାଶୁଣା ନାଁ୨୭ବର୍ଷୀୟା ମନିଷା ହେଉଛନ୍ତି ଓଡ଼ିଶାର ଦ ୱାନ ଆଣ୍ଡ୍ ଓନ୍ଲି ଲେଡି ଡିସ୍କ ଜକି

ଯାହାଙ୍କ  ଡିଜେ ଧୂନରେ ମତୁଆଲା ହୁଅନ୍ତି ଯୁବପିଢ଼ି । ପାଦରେ ପାଦ ମିଶାଇ ନାଚନ୍ତି ବିଳମ୍ବିତ ରାତି ଯାଏଁ । ସେ ରଙ୍ଗବତୀ ହେଉ କି ସାଥୀ ଆଜି ମିଳିଗଲା…ଅଥବା ଏ ଫୁଲ କହ ଥରେ… ହେଉ କି ଦୋ ବୋତଲ୍ ଭୋଡକା…। ସବୁଥିରେ ଥାଏ କିଛି ନା କିଛି ସ୍ୱତନ୍ତ୍ରତା । ପୁରୁଣା ଗୀତରେ ରିମିକ୍ସର ଏହି ଛିଟା ସଙ୍ଗୀତପ୍ରେମୀଙ୍କୁ ଆଲୋଡିତ କରେ ଆଉ ନେଇ ଯାଏଁ ଏକ ଅଜଣା ଦୁନିଆକୁ । ଶନିବାର ଓ ରବିବାର ହେଲେ ମନେପଡନ୍ତି ଏହି ସୁନ୍ଦରୀ ଆଉ ମନେପଡେ ତାଙ୍କ ଡିଜେର ଧୂନ୍ । ସେ ହେଲେ ମନିଷା ମଲ୍ଲିକ । ଡିସ୍କ ଜକି ଦୁନିଆରେ ଏକ ଜଣାଶୁଣା ନାଁ। ୨୭ ବର୍ଷୀୟା ମନିଷା ହେଉଛନ୍ତି ଓଡ଼ିଶାର ଦ ୱାନ ଆଣ୍ଡ୍ ଓନ୍‌ଲି ଲେଡି ଡିସ୍କ ଜକି ।

ମନିଷାଙ୍କ ଘର କଲିକତାରେ । ଆଉ ପାଠପଢ଼ା ବି ସେଇଠି । ବାପା ପ୍ରଦୀପ କୁମାର ଜଣେ ବ୍ୟବସାୟୀ ହୋଇଥିବାରୁ ମନିଷା ଅନେକ ସମୟରେ ଓଡ଼ିଶା ଆସନ୍ତି । ୨୦୦୯ ମସିହା କଥା । ଭୁବନେଶ୍ୱରରେ ଥିବା ନିଜ ସମ୍ପର୍କୀୟଙ୍କ ଘରକୁ ବୁଲି ଆସିଥାନ୍ତି ମନିଷା । ଜଣେ ବନ୍ଧୁଙ୍କ ସହଯୋଗରେ ଅଚାନକ ଭେଟ ହୁଏ ଡିଜେ ତୁଷାରଙ୍କ ସହ । ଅଳ୍ପ ସମୟର ଦେଖା କିନ୍ତୁ ଦୀର୍ଘ ଦିନର ବନ୍ଧୁତାକୁ ଡାକିଆଣେ । ଉଭୟେ ମିଶନ୍ତି । ଆଉ ଶେଷରେ ସଙ୍ଗୀତ ପ୍ରତି ଥିବା ଦୁର୍ବଳତା ପରସ୍ପରକୁ ଦିଏ ଏକ ନୂଆ ସମ୍ପର୍କ । ଉଭୟେ ୨୦୦୯ ସେପ୍ଟେମ୍ବର ମାସରେ ବିହାହ କରନ୍ତି ।

ତା’ପରେ ବଦଳିଯାଏ ମନିଷାଙ୍କ ଜୀବନ । ବଦଳିଯାଏ ତାଙ୍କ ପରିବେଶ । ବସାଉଠା ହୁଏ ସ୍ୱାମୀ ଡିଜେ ତୁଷାରଙ୍କ ସହ । ବିଳମ୍ବିତ ରାତି ଯାଏଁ ସେ ସମୟ କଟାନ୍ତି ନାଇଟ୍ କ୍ଲୁବ୍‌ର ଗହଳି ଭିତରେ । ଧୀରେ ଧୀରେ ଭଲ ଲାଗେ ଝାପ୍ସା ଆଲୁଅ ଭିତରେ ନାଲି, ନୀଳର ସେ ନିଅନ୍ ସେଡ । ଭଲ ଲାଗେ ଲାଉଡ ମ୍ୟୁଜିକ୍ । ଲୋକଙ୍କ ଗହଳି ଭିତରେ ଭୁଲି ହୋଇଯାଏ ଅବସାଦ । ଏହି ସମୟ ଟିକକୁ ବାନ୍ଧି ରଖିବାକୁ ଚାହୁଁଥିବା ମନିଷା ଦିନେ ନିଷ୍ପତ୍ତି ନେଲେ ଡିଜେ ହେବେ । ନୟାପଲ୍ଲୀ ସ୍ଥିତ ଆର୍ଡିଜେ ଶିକ୍ଷାନୁଷ୍ଠାନରେ ବିଧିବଦ୍ଧ ଭାବେ ନାଁ ଲେଖାଇଲେ । ଆଉ ଶିଖିଲେ ଡିସ୍କ ଜକି ହେବାର ସମସ୍ତ କଳା କୌଶଳ । ଏମିତି ନୁହେଁ ଯେ ମୂଳରୁ ସେ ସବୁ ଶିଖିଯାଇଥିଲେ । କି ତାଙ୍କ ମୁଣ୍ଡରେ ଲବ୍ଧ ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କ ହାତ ଥିଲା । ଅନେକ ଝୁଣ୍ଟିଛନ୍ତି । ପୁଣି ଛିଡା ହୋଇ ଚାଲିବା ଶିଖିଛନ୍ତି ମନିଷା । ଡିସ୍କ ଜକି ଦୁନିଆରେ ନିଜକୁ ପରିଚିତ କରାଇବା ପାଇଁ ସ୍ୱାମୀ ତୁଷାରଙ୍କ ସହାୟତା ନେଇଛନ୍ତି ସତ ହେଲେ ଆଜି ଯେଉଁ ଟିକକ ନାଁ କମାଇଛନ୍ତି ତାହା ନିଜସ୍ୱ ଉଦ୍ୟମ ଓ ପରିବାର ଲୋକଙ୍କ ସହଯୋଗରେ ବୋଲି କହନ୍ତି ମନିଷା ।

୨୦୦୯ ମସିହାରୁ ହିଁ ମନିଷା ନିଜକୁ ଏହି ଏଣ୍ଟରଟେମେଣ୍ଟ ସହ ଯୋଡି ରଖିପାରିଛନ୍ତି । ପ୍ରଥମେ ମେ ଫେୟାରରେ କ୍ୟାରିୟର ଆରମ୍ଭ କରିଥିବା ମନିଷା ପରବର୍ତ୍ତୀ ସମୟରେ ଏଚ୍ଏଚ୍ଆଇରେ କାମ କରିବାର ସୁଯୋଗ ପାଇଥିଲେ । ଇତିମଧ୍ୟରେ ସେ ୩୦୦ରୁ ଅଧିକ ସୋ’ କରି ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି। ଭୁବନେଶ୍ୱର ବ୍ୟତୀତ ସେ କୋଲକାତା, ମୁମ୍ବାଇ, ହାଇଦ୍ରାବାଦ, ଦିଲ୍ଲୀ, ଭାଇଜାଗ୍ ଭଳି ବଡ ବଡ ସହରରେ ନିଜର କାର୍ଯ୍ୟକ୍ରମ କରି ସାରିଛନ୍ତି । ଏହାଛଡା ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟ, ପ୍ରାଇଭେଟ୍ ପାର୍ଟି ଓ କର୍ପୋରେଟ ହାଉସ୍ ଉତ୍ସବରେ ନିଜର କାର୍ଯ୍ୟକ୍ରମ କରିଛନ୍ତି ।

ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରି ମଧ୍ୟ ମଧ୍ୟ ମନିଷା ସଙ୍ଗୀତ ପ୍ରତି ଦୁର୍ବଳ । ଆଉ ଏହି ଦୁର୍ବଳତା ତାଙ୍କର ପିଲାଟି ବେଳୁ । ସେ କହନ୍ତି “ଯେତେବେଳେ ମୋତେ ୧୯ ବର୍ଷ ସେବେଠାରୁ ସଙ୍ଗୀତ ପ୍ରତି ମୋର ଏ ଦୁର୍ବଳତା । କଲିକତାରେ ୬ ବର୍ଷର ରହଣି ସମୟରେ ମୁଁ ଅନେକ ସଙ୍ଗୀତ କାର୍ଯ୍ୟକ୍ରମରେ ଯୋଗ ଦେଇଛି । ସେଠାରେ ସଙ୍ଗୀତ ପ୍ରତି ଲୋକଙ୍କ ପାଗଳାମୀକୁ ଅନୁଭୂବ କରିଛି । ସେଠାରେ ଥିବା ବ୍ୟାଣ୍ଡ ଗ୍ରୁପ୍ ପ୍ରତି ଲୋକଙ୍କ ଭଲପାଇବାକୁ ଦେଖିଛି । ସଙ୍ଗୀତ ପ୍ରତି ସବୁ ବର୍ଗର ଲୋକଙ୍କ ମନରେ ଥିବା ଭଲ ପାଇବା ହିଁ ମୋତେ ଜଣେ ଡିଜେ ହେବାକୁ ବାଟ କଢ଼ାଇଛି ବୋଲି କହିବି”, କହିଛନ୍ତି ମନିଷା।

ଯଦିଓ ରାଜଧାନୀରେ ନାଇଟ କ୍ଲବ୍ର ଚାହିଦା ନାହିଁ ତଥାପି ଏହି ବୃତ୍ତିକୁ ଛାଡିନାହାଁନ୍ତି ମନିଷା । ସେ କହନ୍ତି, ଭୁବନେଶ୍ୱରରେ ଲୋକେ ନାଇଟ ଲାଇଫ୍ ସହ ଏତେ ପରିଚିତ ନୁହଁନ୍ତି । ଏମାନେ ମଧ୍ୟ ଆମ ଟାର୍ଗେଟ ଅଡିଏନ୍ସ ନୁହଁନ୍ତି । ଜଣେ ମହିଳା ଜକି ଭାବେ ମୁମ୍ବାଇ, ପୁନେ ହେଉଛି ମୋର ମାର୍କେଟ । ତେବେ ରାଜଧାନୀ ମୁଁ ଛାଡିନି । କୌଣସି ପ୍ରାଇଭେଟ ପାଟି ଓ କର୍ପୋରେଟ ପାର୍ଟି ପାଇଁ ଡାକରା ଆସିଲେ ମୁଁ ଯାଏ ।

ଯଦିଓ ଏହା ଏକ ପୁରୁଷକୈନ୍ଦ୍ରିକ ବୃତ୍ତି ତଥାପି ମୋ ଶ୍ୱଶୂର ଓ ଶାଶୂ ମୋତେ ଏଥିପାଇଁ କେବେ ବାରଣ କରିନାହାଁନ୍ତି । ଶ୍ୱଶୂର ହରେକୃଷ୍ଣ ମଲ୍ଲିକ ପୂର୍ବତନ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଜେନେରାଲ ମ୍ୟାନେଜର ଥିବା ବେଳେ ଶାଶୂ ସୌଦାମିନୀ ମଲ୍ଲିକ ଜଣେ ସୁଗୃହିଣୀ। ଉଭୟେ ପୁରୁଣା କାଳିଆ ଲୋକ ସତ ମାତ୍ର ସେମାନଙ୍କର ମାନସିକତା ଆଧୁନିକ ସମାଜର ମାନସିକତାଠାରୁ ଢ଼େର ଉଚ୍ଚରେ ।

ମନିଷାଙ୍କ ନାଁ ଆଗରେ ‘ଡିସ୍କ ଡିଜେ’ର ଟ୍ୟାଗ୍ ଲାଇନ୍ ଆଜି ତାଙ୍କୁ ସୋସିଆଲ୍ ମିଡିଆରେ ନୂଆ ପରିଚୟ ଦେଇପାରିଛି । ଏବେ ସୋସିଆଲ୍ ମିଡିଆରେ ମନିଷାଙ୍କ ୧୦ ହଜାରରୁ ଅଧିକ ଫଲୋଅର । ଡିସ୍କ ଡିଜେକୁ ନେଇ କ୍ୟାରିୟର କରିଥିବା ମନିଷା ଏବେ ନୟାପଲ୍ଲୀସ୍ଥିତ ଆର୍ ଡିଜେର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ତାଙ୍କ ଭଳି ଶହ ଶହ ଡିସ୍କ ଡିଜେ ସୃଷ୍ଟି କରୁଛନ୍ତି । ଯୁବ ମହିଳାଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟି ଯାଇଛନ୍ତି ମନିଷା।

LEAVE A REPLY

Please enter your comment!
Please enter your name here