ଓଡ଼ିଶାଲାଇଭ୍ ବ୍ୟୁରୋ

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ ନେବ ସ୍କୁଲ, କଲେଜ ଖୋଲିବା ନିଷ୍ପତ୍ତି।

କୋଭିଡ୍ ପରିସ୍ଥିତି ଭିତରେ ରାଜ୍ୟରେ କେବେ ଖୋଲିବ ସ୍କୁଲ,କଲେଜ? ପିଲାମାନେ ପୁଣି କେବେ ବହି ବସ୍ତାନୀ ଧରି ପାଠ ପଢ଼ିବାକୁ ବାହାରିବେ? ତାହା ଆଜି ବି ସମସ୍ତଙ୍କ ପାଇଁ ବଡ଼ ପ୍ରଶ୍ନ ହୋଇରହିଛି। ଏସବୁ ଭିତରେ ରାଜ୍ୟ ସରକାର ଡିସେମ୍ବର ମାସ ପାଇଁ ଗାଇଡଲାଇନ୍ ଧାର୍ଯ୍ୟ କରିଛନ୍ତି।

ରାଜ୍ୟ ସରକାରଙ୍କ ଏହି ଗାଇଡଲାଇନରେ ସ୍କୁଲ ଓ କଲେଜ କେବେ ଖୋଲିବ ସେନେଇ ସ୍ପଷ୍ଟ ସୂଚନା ଦିଆଯାଇନଥିଲେ ମଧ୍ୟ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି କୁହାଯାଇଛି। ଅର୍ଥାତ, ସରକାର ଏବେ ସ୍କୁଲ ଓ କଲେଜ ଖୋଲିବା ନିଷ୍ପତ୍ତି ତାଙ୍କର ବିଭାଗ ହାତରେ ଛାଡ଼ିଦେଇଛନ୍ତି।

ସ୍କୁଲ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ ରାଜ୍ୟରେ କେବେ ସ୍କୁଲ ଓ କଲେଜ ଖୋଲିବ ସେ ସଂକ୍ରାନ୍ତରେ ନିଷ୍ପତ୍ତି ନେବ। ଏଥିପାଇଁ ଆବଶ୍ୟକୀୟ ଆଲୋଚନା କରିବାକୁ ମଧ୍ୟ କୁହାଯାଇଛି।ତେବେ ସ୍କୁଲ, କଲେଜ ବନ୍ଦ ରହିଲେ ମଧ୍ୟ ପୂର୍ବଭଳି ପରୀକ୍ଷା, ପ୍ରବେଶିକା ପରୀକ୍ଷା, ଅନଲାଇନ୍ କ୍ଲାସ୍ ଆଦି ଚାଲୁରହିବ। ଅନ୍ୟପଟେ ରାଜ୍ୟର ସମସ୍ତ  ଅଙ୍ଗନାୱାଡି କେନ୍ଦ୍ର ଡିସେମ୍ବର ୩୧ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି କୁହାଯାଇଛି। ତା’ ସହିତ ଡିସେମ୍ବର ପହିଲାରୁ ରାଜ୍ୟର ସମସ୍ତ ମେଡିକାଲ କଲେଜ ଖୋଲିବ ବୋଲି ରାଜ୍ୟ ସରକାରଙ୍କ ଡିସେମ୍ବର ଗାଇଡଲାଇନରେ ଉଲ୍ଲେଖ କରାଯାଇଛି।

କରୋନା କାରଣରୁ ଏଥର ରାଜ୍ୟ ସରକାର ତୋଷାଳୀ ଓ ଶିଶିର ସରସ ମେଳା ଉପରେ ମଧ୍ୟ କଟକଣା ଲଗାଇଛନ୍ତି। ଚଳିତ ବର୍ଷ ଏହି ଦୁଇ ମେଳା ଆୟୋଜିତ ହେବ ନାହିଁ ବୋଲି କୁହାଯାଇଛି। ଆଗକୁ ଶୀତ ବଢ଼ିବା ସହ ଏଭଳି ମେଳା ଆୟୋଜିତ ହେଲେ ସଂକ୍ରମଣ ବଢ଼ିବାର ଆଶଙ୍କା ଥିବାରୁ ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଥିବା କୁହାଯାଉଛି।

LEAVE A REPLY

Please enter your comment!
Please enter your name here