ଓଡ଼ିଶାଲାଇଭ୍ ବ୍ୟୁରୋ
କୋରାପୁଟସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି ପରେ ସାଇନ୍-ଏ-ଡାଏ ଘୋଷଣା କରିଛନ୍ତି କୁଳପତି।
କୋରାପୁଟସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତକୁ ନେଇ ସାଇନ୍-ଏ-ଡାଏ ଘୋଷଣା କରିଛନ୍ତି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ।
ବିଶ୍ୱବିଦ୍ୟାଳୟରେ ଦୀର୍ଘ ଦିନ ଧରି ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଛାତ୍ରଛାତ୍ରୀମାନେ ଏହାର ପ୍ରତିବାଦ କରି ପ୍ରଶାସନିକ ଭବନ ଆଗରେ ଧାରଣାରେ ବସିଛନ୍ତି।
ବିଶ୍ୱବିଦ୍ୟାଳୟରେ ଶିକ୍ଷକଙ୍କ ଅଭାବ, ହଷ୍ଟେଲରେ ମୌଳିକ ସୁବିଧାସୁଯୋଗ ନଥିବା, କଲେଜରେ ସମସ୍ତ ବିଭାଗ ଖୋଲିବା, କ୍ୟାମ୍ପସରେ ମେଡିକାଲ ଖୋଲିବା ଭଳି ୫୨ଟି ଦାବି ନେଇ ୧୦୦ରୁ ଅଧିକ ଛାତ୍ର ଧାରଣାରେ ବସିଥିଲେ।
ବୁଧୁବାର ଦିନ ଧାରଣାରତ ଛାତ୍ରଛାତ୍ରୀ ଓ କୁଳପତିଙ୍କ ମଧ୍ୟରେ ହୋଇଥିବା ଆଲୋଚନା ବିଫଳ ହୋଇଥିଲା। ଯଦି ଦାବି ପୂରଣ କରିବାରେ ଅସମର୍ଥ ତେବେ କୁଳପତି କଲେଜ ଛାଡ଼ନ୍ତୁ ବୋଲି ଛାତ୍ରଛାତ୍ରୀମାନେ ନାରା ଦେଇଥିଲେ।
ସକାଳ ୧୧ଟା ସୁଦ୍ଧା ଛାତ୍ରଛାତ୍ରୀଙ୍କୁ ହଷ୍ଟେଲ ଛାଡ଼ି ଚାଲି ଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ରାଜ୍ୟ ବାହାରୁ ଆସିଥିବା ବହୁ ଛାତ୍ରଛାତ୍ରୀ ହଇରାଣ ହୋଇଛନ୍ତି। ପାଖରେ ଟଙ୍କା ନଥବାରୁ ହଠାତ୍ ସାଏନ ଡାଏ ଘୋଷଣା କରିବା ଉଚିତ୍ ନଥିଲା ବୋଲି କହିଛନ୍ତି ଧାରଣାରତ ଛାତ୍ରଛାତ୍ରୀ।
“ଗତକାଲି ସନ୍ଧ୍ୟାରେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ୬୦ ଦଫା ଦାବି ନେଇ ଆନ୍ଦୋଳନ ଆରମ୍ଭ କରିଥିଲେ। ରାତି ବଢ଼ିବା ସହିତ ଛାତ୍ରଛାତ୍ରୀମାନଙ୍କଆନ୍ଦୋଳନ ଉଗ୍ର ରୂପ ଧାରଣ କରିଥିଲା। କିଛି ଅପରାଧିକ ପୃଷ୍ଠଭୂମିର ଛାତ୍ର ବିଶ୍ୱବିଦ୍ୟାଳୟକୁ ନିଜ କବ୍ଜାକୁ ନେବାକୁ ଚାହୁଁଥିଲେ। ତେଣୁ ବିଶ୍ୱବିଦ୍ୟାଳୟକୁ ସାଇନ୍-ଏ-ଡାଏ ଘୋଷଣା କରିବା ବ୍ୟତୀତ ଅନ୍ୟ ବିକଳ୍ପ ନ ଥିଲା” କହିଛନ୍ତି ବିଶ୍ୱବିଦ୍ୟାଳୟର କୁଳପତି ସଚ୍ଚିଦାନନ୍ଦ ମହାନ୍ତି।
ଦାପି ପୂରଣ ନକରି ସାଇନ୍ ଏ ଡାଏ ଘୋଷଣା କରାଯିବା ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଆବଶ୍ୟକ ପଡ଼ିଲେ ରାଜ୍ୟପାଳଙ୍କୁ ଭେଟି ଦାବି ଉପସ୍ଥାପନ କରାଯିବ ବୋଲି ଉତ୍ତ୍ୟକ୍ତ ଛାତ୍ରଛାତ୍ରୀମାନେ କହିଛନ୍ତି।