ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜୁବିନ ନଉଟିୟାଲ, ବଲିଉଡ ସଙ୍ଗୀତ ଜଗତର ଏବେ ଜଣେ ଚର୍ଚ୍ଚିତ ଚେହେରା। ଅଳ୍ପ କିଛି ଦିନରେ ଦମଦାର ଗୀତ ଗାଇ ସେ ହୋଇଯାଇଛନ୍ତି ସମସ୍ତଙ୍କ ପ୍ରିୟ। ତେବେ ଉତ୍ତରାଖଣ୍ଡର ଏକ ଛୋଟିଆ ସହରର ପୁଅ ଜୁବିନ କେମିତି ବଲିଉଡ ଇଣ୍ଡଷ୍ଟ୍ରିରେ ପାଦ ଦେଲେ, କ’ଣ ତାଙ୍କର କାହାଣୀ?

ଜୁବିନ ୧୯୮୯, ଜୁନ୍‌ ୧୪ରେ ଡେରାଡୁନରେ ଜନ୍ମ ହୋଇଥିଲେ। ତାଙ୍କ ବାପାଙ୍କ ନାଁ ରାମ ଶରଣ ନଉଟିୟାଲ। ପିଲାବେଳେ ‘ଏକ ପ୍ୟାର କା ନଗମା ହୈ’ ଗୀତ ଶୁଣି ଜୁବିନ ସଙ୍ଗୀତ ଦୁନିଆ ପ୍ରତି ଆକର୍ଷିତ ହୋଇଥିଲେ। ଏହାପରେ ସଙ୍ଗୀତ ପ୍ରତି ତାଙ୍କର ଭଲ ପାଇବା ବଢ଼ିଥିଲା। ସ୍କୁଲ ପଢ଼ିବା ସମୟରେ ସେ ସଙ୍ଗୀତ ଶିକ୍ଷା ଆରମ୍ଭ କରି ଦେଇଥିଲେ। ସଙ୍ଗୀତ ଶିଖିବା ସହିତ ଜୁବିନ ଗିଟାର, ପିଆନୋ, ଡ୍ରମ୍‌ ଆଦି ବଜାଇବା ଶିଖି ଯାଇଥିଲେ। ପିଲାବେଳୁ ତାଙ୍କୁ ଏହି ସଙ୍ଗୀତ ଦୁନିଆରେ କ୍ୟାରିୟର କରିବାର ଅଛି ବୋଲି ସ୍ଥିର କରି ନେଇଥିଲେ।

ସ୍କୁଲ ପଢ଼ିବା ସମୟରେ ଜୁବିନ ବିଭିନ୍ନ ମଞ୍ଚ କାର୍ଯ୍ୟକ୍ରମକୁ ଯାଉଥିଲେ। ଜୁବିନଙ୍କ କଣ୍ଠ ଶୁଣି ତାଙ୍କ ସାଙ୍ଗ, ସାଥୀ ପରିବାର ଲୋକ ତାଙ୍କ ସଙ୍ଗୀତର ଆଗକୁ ଯିବାକୁ ଉତ୍ସାହିତ କରିଥିଲେ। ସ୍କୁଲ ପଢ଼ା ସରିବା ପରେ ମୁମ୍ବାଇ ଆସିଥିଲେ ଜୁବିନ। ଏହିଠାରେ ଥରେ ପ୍ରଖ୍ୟାତ ସଙ୍ଗୀତଜ୍ଞ ଏ ଆର ରେହମାନଙ୍କ ସହିତ ତାଙ୍କର ଦେଖା ହୋଇଥିଲା। ତାଙ୍କୁ ଆହୁରି ସଙ୍ଗୀତ ଶିଖିବା ଆବଶ୍ୟକ ଅଛି ବୋଲି ରେହମାନ ଜୁବିନଙ୍କୁ କହିଥିଲେ। ଏହାପରେ ଜୁବିନ ମୁମ୍ବାଇ ଛାଡ଼ି ପୁଣି ଡେରାଡୁନ ଆସିଥିଲେ। ପୁଣିଥରେ ସଙ୍ଗୀତ ଶିକ୍ଷା ଆରମ୍ଭ କରିଥିଲେ। ପ୍ରାରମ୍ଭିକ ସମୟରେ ୨୦୧୧ରେ ଜୁବିନ ରିଆଲିଟି ସୋ’ରେ ଏକ୍ସ ଫ୍ୟାକ୍ଟରରେ ଭାଗ ନେଇଥିଲେ।

କିନ୍ତୁ ଜୁବିନ୍ ଏହି ସୋ’ରେ ଜିତିପାରିନଥିଲେ। ତଥାପି ସେତେବେଳେକୁ ଜୁବିନଙ୍କର ବଡ଼ ବଡ଼ ସଙ୍ଗୀତ ନିର୍ଦ୍ଦେଶକଙ୍କ ସହ ପରିଚୟ ହୋଇ ଯାଇଥିଲା। ତାଙ୍କୁ ଖିଲାଡି କୁମାର ଅକ୍ଷୟ କୁମାରଙ୍କ ଫିଲ୍ମ ‘ଦ  ସଉକିନ’ର ମେହରବାନି ଗୀତରେ କଣ୍ଠଦାନ କରିବାର ସୁଯୋଗ ମିଳିଥିଲା। ସେହିପରି ସୁପରହିଟ ଗୀତ ‘ଏକ ମୁଲାକାତ’ରେ ବି ସେ କଣ୍ଠ ଦେଇଥିଲେ। ଏହାପରେ ପଛକୁ ଚାହିଁ ନଥିଲେ ଜୁବିନ। ଗୋଟିଏ ପରେ ଗୋଟିଏ ଗୀତ ଗାଇ ଏବେ ଦର୍ଶକଙ୍କ ହୃଦୟରେ ରାଜ କରୁଛନ୍ତି।

LEAVE A REPLY

Please enter your comment!
Please enter your name here