ଓଡ଼ିଶାଲାଇଭ୍ ବ୍ୟୁରୋ
ସେପ୍ଟେମ୍ଵର ୬ରୁ ଆରମ୍ଭ ହେବ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)। ଏହା ସେପ୍ଟେମ୍ଵର ୧୮ ଯାଏଁ ଚାଲିବ। ଦୈନିକ ୩ଟି ପର୍ଯ୍ୟାୟରେ କମ୍ପ୍ୟୁଟର ବେସ୍ଡ ଟେଷ୍ଟ (ସିବିଟି) ମୋଡ୍ରେ ପରୀକ୍ଷା ହେବ। ଏନେଇ ଶୁକ୍ରବାର ଓଜେଇଇ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି।
ସେପ୍ଟେମ୍ଵର ୬ରୁ ୯ ଏବଂ ୧୫ରୁ ୧୮ ଯାଏଁ ଦୈନିକ ପରୀକ୍ଷା ହେବ। ତେବେ ଗଣେଶ ପୂଜା ଓ ନିଟ୍ ପରୀକ୍ଷାକୁ ଦୃଷ୍ଟିରେ ରଖି ୧୧ରୁ ୧୪ ଯାଏଁ ପରୀକ୍ଷା ମଝିରେ ଗ୍ୟାପ୍ ଦିଆଯାଇଛି। ସେହିପରି ଗତବର୍ଷ ପରି ଏବର୍ଷ ମଧ୍ୟ ପରୀକ୍ଷାକୁ ସିବିଟି ମୋଡ୍ରେ କରାଯିବ। କେଉଁଦିନ କେଉଁ ପରୀକ୍ଷା ହେବ, ତାହାର ପୂରା ତାଲିକା ଓଜେଇଇ ୱେବସାଇଟ୍ ପ୍ରକାଶ କରାଯାଇଛି।କୋଭିଡ ପରିସ୍ଥିତିକୁ ଦୃଷ୍ଟିରେ ରଖି ପରୀକ୍ଷାର୍ଥୀମାନେ ଯେପରି ସୁବିଧାରେ ପରୀକ୍ଷା ଦେଇପାରିବେ ସେଥିପାଇଁ ପୂର୍ବ ନିର୍ଦ୍ଧାରିତ କେନ୍ଦ୍ରଗୁଡ଼ିକ ସହିତ ଆଉ ୯ଟି ନୂଆ କେନ୍ଦ୍ରକୁ ସାମିଲ କରାଯାଇଛି। ତେଣୁ ରାଜ୍ୟର ସମସ୍ତ ୩୦ ଜିଲ୍ଲାରେ ଛାତ୍ରଛାତ୍ରୀମାନେ ଅନଲାଇନ୍ ଯୋଗେ ପରୀକ୍ଷା ଦେଇପାରିବେ।
ସେହିପରି ଓଡ଼ିଶା ବାହାରେ ରାଞ୍ଚି, ପାଟ୍ନା ଏବଂ କୋଲ୍କାତା ଆଦି ୩ଟି କେନ୍ଦ୍ରରେ ମଧ୍ୟ ଛାତ୍ରଛାତ୍ରୀମାନେ ଓଜେଇଇ ଦେଇପାରିବେ।