ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୧୮ରେ ମେକ୍-ଇନ୍-ଓଡ଼ିଶା କନକ୍ଲେଭରେ ନିଜ ସଫଳତା ଓ ସଂଘର୍ଷର କାହାଣୀ କହି ସମସ୍ତଙ୍କ ମନ କିଣିଥିଲେ ସୁନ୍ଦରଗଡ଼ର ଜଣେ ଆଦିବାସୀ ମହିଳା ଜୟନ୍ତୀ ଏକ୍କା।
‘‘ମୁଖ୍ୟମନ୍ତ୍ରୀ ମୋ କାହାଣୀ ଶୁଣନ୍ତୁ। ସ୍ୱୟଂ ସହାୟକ ଗୋଷ୍ଠୀ କଥା ଶୁଣିବାକୁ ମୁଖ୍ୟମନ୍ତ୍ରୀ ବାଧ୍ୟ’’, ଏ କଥା ହେଉଛି ସୁନ୍ଦରଗଡ଼ ଜିଲ୍ଲାର ଜଣେ ଆଦିବାସୀ ମହିଳାଙ୍କର। ୨୦୧୮ରେ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ରେ ମଞ୍ଚ ଉପରେ ଏମିତି କହି ସେ ସମସ୍ତଙ୍କୁ ଚକିତ କରି ଦେଇଥିଲେ। ଏବେ ସେହି ଆଦିବାସୀ ମହିଳା ଓଡ଼ିଶାର ଘରେ ଘରେ ପରିଚିତ। ଜଣେ ସାଧାରଣ ମହିଳା ହୋଇ ମଧ୍ୟ ଅନେକ ଲୋକଙ୍କ ପାଇଁ ପ୍ରେରଣା ସାଜିଛନ୍ତି ସେ।
ମଫସଲ ଗାଁରୁ ମେକ୍ ଇନ ଓଡ଼ିଶା କନକ୍ଲେଭ୍
ସୁନ୍ଦରଗଡ଼ରେ ଏସ୍ଏଚ୍ଜି ଆରମ୍ଭ ହେବା ସମୟରେ ଜୟନ୍ତୀଙ୍କର ରହିଥିଲା ପ୍ରମୁଖ ଭୂମିକା। ସେ ନିଜେ ଜଣେ ଦିବ୍ୟାଙ୍ଗ କିନ୍ତୁ ତାଙ୍କ ଶାରୀରିକ ଅକ୍ଷମତା କେବେ ତାଙ୍କ କାମରେ ବାଧା ସୃଷ୍ଟି କରିନାହିଁ। ଏଥିସହ ତାଙ୍କ ମନୋବଳକୁ କେବେ ଭାଙ୍ଗି ପାରିନାହିଁ। ମଫସଲ ଗାଁରୁ ଆସିଥିବା ଜୟନ୍ତୀ ଏକ୍କା ୨୦୧୮ରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ‘ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ’ କାର୍ଯ୍ୟକ୍ରମରେ ପାଖାପାଖି ୨୦ ମିନିଟ୍ ଧରି କହି ଚାଲିଥିଲେ ମିଶନ ଶକ୍ତି ଦ୍ୱାରା ସେ ପାଇଥିବା ସଫଳତାର ପୂରା କାହାଣୀ। ନିଜର ସଂଘର୍ଷପୂର୍ଣ୍ଣ କାହାଣୀ ଭିତରେ ଜୟନ୍ତୀ ଏମିତି କିଛି କଥା କହିଥିଲେ, ଯେଉଁଥିପାଇଁ ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଅଫିସରଙ୍କ ପର୍ଯ୍ୟନ୍ତ ସମସ୍ତେ ହସିଥିଲେ।
ଦିବ୍ୟାଙ୍ଗ ହେଲେ ବି ସ୍ୱତନ୍ତ୍ର ଭାବେ ସକ୍ଷମ ଜୟନ୍ତୀ
ଜୟନ୍ତୀ ଏକ୍କା ହେଲେ ସୁନ୍ଦରଗଡ଼ ଜିଲ୍ଲା ସୀମାନ୍ତ ବାଲିଶଙ୍କରା ବ୍ଲକର ଜଣେ ଆଦିବାସୀ ମହିଳା। ଜନ୍ମରୁ ସେ ଦିବ୍ୟାଙ୍ଗ। ଆର୍ଥିକ ଅଭାବ ଅନଟନ ଭିତରେ ତାଙ୍କର ଦିନ କଟିଥିଲା। ବହୁ କଷ୍ଟରେ ଜୟନ୍ତୀ ଯୁକ୍ତ ୨ ଯାଏଁ ପାଠ ପଢ଼ିଥିଲେ। ତା’ପରେ ଛୋଟ ଚାକିରିଟିଏ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଯୁକ୍ତ ୨ ଯାଏଁ ପାଠ ପଢ଼ିଥିବା ଗୋଟିଏ ଝିଅକୁ କେଉଁଠି ବା ଚାକିରି ମିଳିଥାଆନ୍ତା। ଏଥିପାଇଁ ସେ ସେତେବେଳେ ରୋଜଗାର ପାଇଁ ଏକ ଏସଏସଜି ଗ୍ରୁପ୍ କରିଥିଲେ। ପ୍ରଥମେ ୧୦ ଜଣ ମହିଳା ତାଙ୍କ ଗ୍ରୁପରେ ଥିଲେ।
ଏସ୍ଏଚ୍ଜି ଦେଲା ପରିଚୟ
ଏସ୍ଏଚଜି ଗଢ଼ିବା ବେଳେ ପ୍ରଥମେ ପ୍ରଥମେ ଜୟନ୍ତୀ ଓ ତାଙ୍କ ଗ୍ରୁପର ସଦସ୍ୟ ମିଶି ମଜୁରିଭିତ୍ତିକ କାମ କରୁଥିଲେ। ଯାହା ପଇସା ମିଳୁଥିଲା ସେଥିରୁ କିଛି ନିଜ ପାଇଁ ରଖି ବାକି ବ୍ୟାଙ୍କରେ ରଖୁଥିଲେ। ସଞ୍ଚୟ ବଢ଼ିବା ପରେ ବ୍ୟାଙ୍କ ତାଙ୍କୁ ୠଣ ଦେଲା। ବ୍ୟାଙ୍କରୁ ୠଣ ନେଇ ଜୟନ୍ତୀ ପ୍ରଥମେ ଛତୁଆ ପ୍ରସ୍ତୁତ କରିବା ଆରମ୍ଭ କଲେ। ଧୀରେ ଧୀରେ ଜିଲ୍ଲା ପ୍ରଶାସନ ମଧ୍ୟ ତାଙ୍କୁ କାମ ଦେବା ଆରମ୍ଭ କଲା। ଏହା ମଧ୍ୟରେ ସେ ଆଗକୁ ବଢ଼ି ଚାଲିଲେ । ବ୍ଲକର ୩ଟି ଗୋଷ୍ଠୀ କଲ୍ୟାଣୀ, ଜାଗୃତି, ଶୁଭଶ୍ରୀକୁ ନେଇ ଏକ ଉତ୍ପାଦକ ଗୋଷ୍ଠୀ କଲେ। ଏଥିରେ ୪୧ ଜଣ ସଦସ୍ୟ ଥିଲେ।
୨୦୦୮ ବେଳକୁ ଜୟନ୍ତୀଙ୍କ ଏସଏଚଜିକୁ ସରକାର ଚାଷୀଙ୍କଠାରୁ ଧାନ କିଣିବାକୁ ଅନୁମତି ଦେଇଥିଲେ। ସେତେବେଳେ ଏସ୍ଏଚ୍ଜିକୁ ଚେକ୍ ବହି ମିଳୁନଥିଲା। ତେଣୁ ବିକ୍ରି ବାବଦ ତାଙ୍କୁ ବ୍ୟାଙ୍କରୁ ଟଙ୍କା ମିଳୁଥିଲା। ସେଇ ସମ୍ପର୍କରେ ଜୟନ୍ତୀ ଏକ୍କା କହିଥିଲେ, “ଆମ ଆକାଉଣ୍ଟରେ ଜମା ହୋଇଗଲା ୭ ଲକ୍ଷ ଟଙ୍କା। ଆମ ଜୀବନରେ କେବେ ବି ଏତେ ଟଙ୍କା ଦେଖି ନଥିଲୁ। ଚାଷୀମାନଙ୍କର ଟଙ୍କା ଦେବା ଲାଗି ଆମେ ଯେତେବେଳେ ବ୍ୟାଙ୍କ ଗଲୁ, ଆମକୁ ଏକ ବସ୍ତାରେ ଟଙ୍କା ଭର୍ତ୍ତି କରି ଧରାଇ ଦେଲେ। ହେଲେ ସେ ଟଙ୍କା ରାତି ବେଳା କେମିତି ରଖିବୁ। ଆମର ତ ମାଟି ଘର। ଜୀବନକୁ ଡର ଥିଲା। ରାତିରେ ଯଦି କେହି ଚୋରି କରିନେଲେ ଆମେ କେମିତି ଚାଷୀଙ୍କୁ ପଇସା ଦେବୁ। କିନ୍ତୁ ମୋ ମୁଣ୍ଡରେ ଗୋଟେ ବୁଦ୍ଧି ଜୁଟିଲା। ଆମ ଘର ପାଖରେ ଗୋଟେ ଆମ୍ବ ଗଛ ଥିଲା। ସେହି ଗଛରେ ପଇସାକୁ ଟାଙ୍ଗି ଦେଲୁ। ଆଉ ରାତିରେ ଆମେ ଆରାମରେ ଶୋଇଲୁ। ଆମ ଟଙ୍କା ସୁରକ୍ଷିତ ରହିଲା।”
ସେହିପରି ୨୦୦୪ରେ ଜୟନ୍ତୀଙ୍କ ଗ୍ରୁପ୍ ବିଭିନ୍ନ ସ୍କୁଲ ମଧ୍ୟାହ୍ନ ଭୋଜନ ମଧ୍ୟ ପ୍ରସ୍ତୁତ କରିଥିଲେ। କରୋନା ସମୟରେ ସେ ସମସ୍ତେ ୪୧ ହଜାର ମାସ୍କ ତିଆରି କରି ଜିଲ୍ଲା ପ୍ରଶାସନକୁ ଯୋଗାଇ ଦେଇଥିଲେ। ଏଥିପାଇଁ ଜିଲ୍ଲା ପ୍ରଶାସନ ତାଙ୍କୁ ପ୍ରଶଂସା କରିଥିଲା।