ଓଡ଼ିଶାଲାଇଭ୍ ବ୍ୟୁରୋ
ପାଠପଢ଼ିବା ପାଇଁ ବୟସର କୌଣସି ଆବଶ୍ୟକତା ନାହିଁ। ଏଥିପାଇଁ ଇଚ୍ଛାଶକ୍ତି ଏବଂ ଦୃଢ଼ ମନୋବଳ ଦରକାର। ଏହା ପ୍ରମାଣ କରି ଦେଖାଇଛନ୍ତି ୭୦ ବର୍ଷୀୟ ଫୁଲବାଣୀ ବିଧାୟକ ଅଙ୍ଗଦ କୁମାର କହଁର। କେବଳ ବିଧାୟକ ନୁହଁନ୍ତି ଲୁଇସିଂହା ସରପଞ୍ଚ ସୁଦର୍ଶନ କହଁର(୬୮) ଏବଂ ବିଧାୟକଙ୍କ ସହପାଠୀ ଅଙ୍ଗଦ ବେହେରା ମଧ୍ୟ ଆଜି ସାଧାରଣ ଛାତ୍ରଛାତ୍ରୀଙ୍କ ଭଳି ପରୀକ୍ଷା କେନ୍ଦ୍ରରେ ବସି ପରୀକ୍ଷା ଦେଇଛନ୍ତି।
ରାଜ୍ୟର ସମସ୍ତ ହାଇସ୍କୁଲରେ ଶୁକ୍ରବାରଠାରୁ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା। ଆଜି ୭୦ ବର୍ଷ ବୟସରେ ପରୀକ୍ଷା ଦେଇ ଚର୍ଚ୍ଚାକୁ ଆସିଛନ୍ତି ଫୁଲବାଣୀ ବିଧାୟକ ଅଙ୍ଗଦ କୁମାର କହଁର। ପାଠପଢ଼ା ପାଇଁ ବୟସର ଆବଶ୍ୟକତା ନାହିଁ। ଜ୍ଞାନ ଆହରଣ ଯେକୌଣସି ବୟସରେ କରିହେବ ବୋଲି କହିଛନ୍ତି ବିଧାୟକ। ୧୯୭୮ ମସିହାରେ ଦଶମ ଶ୍ରେଣୀରେ ପାଠ ପଢ଼ୁଥିବାବେଳେ ପାରିବାରିକ ଅସୁବିଧା କାରଣରୁ ସେ ପରୀକ୍ଷା ଦେଇପାରି ନଥିଲେ। ଏହା ପରେ ସେ ଅନ୍ୟ ଜଞ୍ଜାଳରେ ବ୍ୟସ୍ତ ରହିଯାଇଥିଲେ। ୧୯୮୪ ମସିହାରୁ ଅଙ୍ଗଦ କହଁର ସକ୍ରିୟ ରାଜନୀତିରେ ଯୋଗ ଦେଇଥିଲେ। ମାଟ୍ରିକ ପରୀକ୍ଷା ଦେଇପାରି ନଥିବାରୁ ସେ ପରୀକ୍ଷା ଦେବାକୁ ଚିନ୍ତା କରିଥିଲେ।
ମାଟ୍ରିକ ପରୀକ୍ଷା ଦେଇନଥିବା ବିଧାୟକ ଅଙ୍ଗଦ କହଁର, ତାଙ୍କ ସହପାଠୀ ଅଙ୍ଗଦ ବେହେରା ଏବଂ ଲୁଇସିଂହା ସରପଞ୍ଚ ସୁଦର୍ଶନ କହଁର ସ୍କୁଲରେ ନାମ ଲେଖାଇବାକୁ ଚିନ୍ତା କରିଥିଲେ। ଗତ ବର୍ଷ ସମସ୍ତେ ହାଇସ୍କୁଲରେ ନାମ ଲେଖାଇଥିଲେ। ଆଜି ବିଧାୟକଙ୍କ ସମେତ ତିନିଜଣ ପରୀକ୍ଷା କେନ୍ଦ୍ରରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଗହଣରେ ବସି ପରୀକ୍ଷା ଦେଇଛନ୍ତି। ବିଧାୟକ ଏବଂ ସରପଞ୍ଚଙ୍କ ପାଇଁ କୌଣସି ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇନଥିବା ଜଣାପଡ଼ିଛି। ଆଜି ବିଧାୟକଙ୍କ ଡ୍ରାଇଭର ପିତବାସ ଦିଗାଲ(୨୪) ମଧ୍ୟ ମାଟ୍ରିକ ପରୀକ୍ଷା ଦେଇଥିବା ବିଧାୟକ ଅଙ୍ଗଦ କହଁର କହିଛନ୍ତି।
ଲୁଇସିଂହା ସରପଞ୍ଚ ସୁଦର୍ଶନ କହଁର ୬୮ ବର୍ଷ ବୟସରେ ପରୀକ୍ଷା ଦେଇଛନ୍ତି। ପରୀକ୍ଷାରେ ଉତ୍ତୀନ୍ନ ନହେବା ପର୍ଯ୍ୟନ୍ତ ବାରମ୍ବାର ପରୀକ୍ଷା ଦେବେ ବୋଲି କହିଛନ୍ତି ସରପଞ୍ଚ। ଯେଉଁ ବୟସ୍କମାନେ ମାଟ୍ରିକ ପରୀକ୍ଷା ଦେଇପାରିନାହାନ୍ତି ସେମାନେ ମାଟ୍ରିକ ପରୀକ୍ଷା ଦିଅନ୍ତୁ ବୋଲି କହିଛନ୍ତି ସୁଦର୍ଶନ କହଁର।
Tags: #Education #Examination #MatricExam #PhulbaniMLA