ଓଡ଼ିଶାଲାଇଭ୍ ବ୍ୟୁରୋ
![](https://odisha.live/wp-content/uploads/2024/12/Prof-Sanjay-Kumar-Satapathy.jpg)
ବିଶିଷ୍ଟ ଶିକ୍ଷାବିତ୍ ତଥା କଳାହାଣ୍ଡି ସ୍ଥିତ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୟ କୁମାର ଶତପଥୀଙ୍କ ପରଲୋକ ଘଟିଛି। ବୁଧବାର ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା।
ପ୍ରଫେସର ସଞ୍ଜୟ କୁମାର ଶତପଥୀ କର୍କଟ ରୋଗରେ ପୀଡ଼ିତ ହୋଇ ଅନେକ ଦିନରୁ ଅସୁସ୍ଥ ଥିଲେ। ତାଙ୍କୁ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବୁଧବାର ସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ହେବାରୁ ତାଙ୍କର ଦେହାନ୍ତ ହୋଇଥିଲା।
ପ୍ରଫେସର ସଞ୍ଜୟ କୁମାର ଶତପଥୀଙ୍କ ବିୟୋଗରେ ରାଜ୍ୟ ଶିକ୍ଷା ଜଗତରେ ଶୋକର ଛାୟା ଖେଳିଯାଇଛି। ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ତଥା ଅଧ୍ୟାପକ ଅଧ୍ୟାପିକାମାନେ ତାଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି। ଅନେକ ବିଶିଷ୍ଟ ବ୍ୟକ୍ତି ତାଙ୍କୁ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।
ପ୍ରଫେସର ସଞ୍ଜୟ କୁମାର ଶତପଥୀ ଶିକ୍ଷାବିତ୍ ହେବାସହ ଜଣେ ସୁବକ୍ତା ତଥା ଗାୟକ ଭାବେ ଜଣାଶୁଣା ଥିଲେ। ରେଭେନ୍ସା କଲେଜରେ ସ୍ନାତକୋତ୍ତର କରିବା ପରେ ସେ ୧୯୮୪ ମସିହାରେ କଟକ କଲେଜରେ ବାଣିଜ୍ୟ ଅଧ୍ୟାପକ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ।
ପରବର୍ତ୍ତୀ ସମୟରେ ସେ ଆଠଗଡ଼ର ଗୋପବନ୍ଧୁ ମହାବିଦ୍ୟାଳୟ, ରାଉରକେଲାର ଇଭିନିଂ କଲେଜ, ଭବାନୀପାଟଣା କଲେଜ, ବାଲେଶ୍ଵର ଫକୀର ମୋହନ ମହାବିଦ୍ୟାଳୟ, ବାରିପଦା କଲେଜ, ଭୁବନେଶ୍ୱର ରମାଦେବୀ ମହିଳା ମହାବିଦ୍ୟାଳୟ ଏବଂ କଟକ ରେଭେନ୍ସା ବିଶ୍ଵବିଦ୍ୟାଳୟରେ ଅଧ୍ୟାପକ ତଥା ପ୍ରାଧ୍ୟାପକ ଭାବେ ଶିକ୍ଷାଦାନ କରି ଅବସର ନେଇଥିଲେ।
୨୦୨୧ ମସିହାରେ ପ୍ରଫେସର ସଞ୍ଜୟ କୁମାର ଶତପଥୀ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ନିଯୁକ୍ତ ହୋଇଥିଲେ। ସେ ନିଜ କାର୍ଯ୍ୟକାଳ ସମୟରେ ବିଶ୍ଵବିଦ୍ୟାଳୟର ଅନେକ ଉନ୍ନତିମୂଳକ କାର୍ଯ୍ୟ କରିଥିଲେ।
ଉଚ୍ଚଶିକ୍ଷା କ୍ଷେତ୍ରରେ ପ୍ରଫେସର ସଞ୍ଜୟ କୁମାର ଶତପଥୀଙ୍କ ପ୍ରାୟ ୪୦ ବର୍ଷର ଅଭିଜ୍ଞତା ରହିଛି। ସେ ୧୩ଟି ପାଠ୍ୟ ପୁସ୍ତକ ସମେତ ୨୪ଟି ପୁସ୍ତକ ରଚନା କରିଛନ୍ତି। ଏହାସହ ପିଏଚଡି ପାଇଁ ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ମାର୍ଗଦର୍ଶନ କରିଛନ୍ତି। ଶିକ୍ଷା ପ୍ରତି ଥିବା ଅବଦାନ ପାଇଁ ସେ ଅନେକ ଅନୁଷ୍ଠାନରୁ ସମ୍ମାନିତ ହୋଇଛନ୍ତି।
Tags: #ProfSanjayKumarSatapathy #ViceChancellor #MaaManikeswariUniversity #Education #Odisha