ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ଜୁନ ମାସ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ। ଏ ନେଇ ଶନିବାର ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ବର୍ତ୍ତମାନ ମାଟ୍ରିକ୍ ଖାତା ଦେଖା ସରିଛି। ପରୀକ୍ଷାର୍ଥୀଙ୍କ ମାର୍କ ଅନଲାଇନରେ ଅପଲୋଡିଂ ଚାଲିଛି ଓ ଏସଓଏସସି ଏବଂ ମଧ୍ୟମା ପରୀକ୍ଷାର୍ଥୀଙ୍କ ମାର୍କ ଅଫଲାଇନ ମୋଡରେ ରେକର୍ଡ କରାଯାଇଥିବା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।

ଚଳିତ ବର୍ଷ ରାଜ୍ୟର ୫ ଲକ୍ଷ ୨୮ ହଜାର ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ଦେଇଛନ୍ତି। ଗତ ଏପ୍ରିଲ ୨୯ ତାରିଖରୁ ମେ’ ୬ ତାରିଖ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ହୋଇଥିଲା। କୋଭିଡ କଟକଣା ପାଳନ କରି ପରୀକ୍ଷା ହଲରେ ବସି ସକାଳ ୮ଟାରୁ ୧୦ଟା ପର୍ଯ୍ୟନ୍ତ ପରୀକ୍ଷା ଦେଇଥିଲେ ଛାତ୍ରଛାତ୍ରୀ। ରାଜ୍ୟର ମୋଟ ୩,୫୪୦ଟି କେନ୍ଦ୍ରରେ ପରୀକ୍ଷା ହୋଇଥିଲା।

ଗତ ମେ’ ମାସ ୨୧ ତାରିଖରେ ମାଟ୍ରିକ ଖାତା ମୂଲ୍ୟାୟନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଦଶମ ଶ୍ରେଣୀ ସହିତ ଏସଓଏସସି ଏବଂ ମଧ୍ୟମା ପରୀକ୍ଷାର ଖାତା ମଧ୍ୟ ମୂଲ୍ୟାୟନ କରାଯାଇଥିଲା। ରାଜ୍ୟର ମୋଟ ୫୮ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା ହୋଇଥିଲା। ଏଥିପାଇଁ ନିୟୋଜିତ ହୋଇଥିଲେ ୪୮୧ ଜଣ ମୁଖ୍ୟ ପରୀକ୍ଷକ, ୯୦୦ ଜଣ ଉପ ପରୀକ୍ଷକ, ୮,୯୧୯ ଜଣ ସହକାରୀ ପରୀକ୍ଷକ ଏବଂ ୯୩୦ ଜଣ ସ୍କୃଟିନାଇଜର।

Tags: #Education #Examitantion #MatricResult

LEAVE A REPLY

Please enter your comment!
Please enter your name here