ଓଡ଼ିଶାଲାଇଭ୍ ବ୍ୟୁରୋ

ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ଵାଇଁ ହତ୍ୟା ମାମଲାରେ ୮ ଜଣଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଛି କ୍ରାଇମବ୍ରାଞ୍ଚ। ମାସନ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସମ୍ପୂର୍ଣ୍ଣ ଓ୍ଵେବ ପୋର୍ଟାଲ ମାଲିକାଣୀ ଶର୍ମିଷ୍ଠା ରାଉତ ଓ ତାଙ୍କ ସହଯୋଗୀ ସୂଚନା ଓ ଲୋକ ସମ୍ପର୍କ ବିଭାଗର ପୂର୍ବତନ ନିର୍ଦ୍ଦେଶକ ନିରଞ୍ଜନ ସେଠୀଙ୍କ ସମେତ ୮ ଜଣଙ୍କ ବିରୋଧରେ ଚାର୍ଜ ସିଟ୍ ଦାଖଲ କରାଯାଇଛି।

କ୍ୟାମେରାମ୍ୟାନ ମାନସ ସ୍ଵାଇଁ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ଚାନ୍ଦବାଲି ଜେଏମଫସି କୋର୍ଟରେ ୮ ଜଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି। ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ, ନିରଞ୍ଜନ ସେଠୀ, କେୟାରଟେକର ଝୁନା ଭୋଇ, ସହଯୋଗୀ ରଞ୍ଜନ ନାୟକ, ଭାଗ୍ୟଧର ନାୟକ, ଶର୍ମିଷ୍ଠାଙ୍କ ଭାଇ ପରମେଶ୍ଵର ରାଉତ, କୃଷ୍ଣଚନ୍ଦ୍ର ନାୟକ ଏବଂ ଜଣେ ନାବାଳକ ରହିଛନ୍ତି। ଏମାନଙ୍କ ବିରୋଧରେ କ୍ରାଇମବ୍ରାଞ୍ଚ ୯୦୫ ପୃଷ୍ଠା ସମ୍ବଳିତ ଚାର୍ଜସିଟ ଦାଖଲ କରିଛି। ଏଥିରେ ୩୪ ଜଣ ସାକ୍ଷୀଙ୍କ ନାଁ ରହିଛି।

ଗତ ଫେବ୍ରୁଆରି ୭ ତାରିଖରେ କ୍ୟାମେରାମ୍ୟାନ ମାସନ ସ୍ଵାଇଁଙ୍କୁ ଶର୍ମିଷ୍ଠା, ରଞ୍ଜନ, ଭାଗ୍ୟଧର, ଝୁନା, ବିବେକ ଏବଂ ଅନ୍ୟତମ ଅଭିଯୁକ୍ତ ନାବାଳକ ଚାନ୍ଦବାଲିରୁ ଅପହରଣ କରି ଭୁବନେଶ୍ଵର ଦୟାଲ ଆଶ୍ରମରେ ରଖିଥିଲେ। ମାନସଙ୍କ ଖୋଜ ଖବର ନମିଳିବାରୁ ତାଙ୍କ ବାପା ପଞ୍ଚାନନ ସ୍ଵାଇଁ ଚାନ୍ଦବାଲି ଥାନାରେ ଅଭିଯୋଗ କରିଥିଲେ। ପୋଲିସର ଖୋଳତାଡ଼ ପରେ ନୟାଗଡ଼ରୁ ମାନସଙ୍କର ଶବ ଉଦ୍ଧାର କରାଯାଇଥିଲା।

ଏହି ହତ୍ୟା ମାମଲାରେ ଗତ ମାର୍ଚ୍ଚ ୧୦ ତାରିଖରେ ପୋଲିସ ଡ୍ରାଇଭର ଭାଗ୍ୟଧର ନାୟକ, ରଣପୁର ଥାନା ଧମା ଗାଁର ବିବେକ ନାୟକ ଏବଂ ପୁରୁଣା ଭୁବନେଶ୍ଵର ମଙ୍ଗଳା ସାହିର କୃଷ୍ଣ ଚନ୍ଦ୍ର ନାୟକଙ୍କୁ ଗିରଫ କରିଥିଲା। ଏମାନଙ୍କ ବୟାନକୁ ଆଧାର କରି ମାର୍ଚ୍ଚ ୨୧ ତାରିଖ ମାନସ ହତ୍ୟା ଘଟଣାରେ ସୂଚନା ଓ ଲୋକ ସମ୍ପର୍କ ବିଭାଗର ପୂର୍ବତନ ନିର୍ଦ୍ଦେଶକ(ଟେକ୍ନିକାଲ) ନିରଞ୍ଜନ ସେଠୀ ଏବଂ ରାଜ କମ୍ୟୁନିକେସନର ମାଲିକ ରଞ୍ଜନ ନାୟକଙ୍କୁ ଗିରଫ କରାଯାଇଥିଲା।

ଶେଷରେ ମାର୍ଚ୍ଚ ୨୮ ତାରିଖ ଧରାପଡ଼ିଥିଲେ ମାନସ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ କୁହାଯାଉଥିବା ଶର୍ମିଷ୍ଠା ରାଉତ ଏବଂ ତାଙ୍କ ସହଯୋଗୀ ଝୁନା ଭୋଇ। ଶର୍ମିଷ୍ଠା, ନିରଞ୍ଜନ, ରଞ୍ଜନ ଏବଂ ଝୁନାଙ୍କୁ ମାର୍ଚ୍ଚ ୨୯ ତାରିଖରେ ରିମାଣ୍ଡରେ ନେଇଥିଲା କ୍ରାଇମବ୍ରାଞ୍ଚ।

Tags: #Crime #Murder #CameramaManasSwain #Sarmistha #ChargeSheet #Crimebranch

LEAVE A REPLY

Please enter your comment!
Please enter your name here