ଓଡ଼ିଶାଲାଇଭ୍ ବ୍ୟୁରୋ
ବଙ୍ଗୋପସାଗରରେ ଶନିବାର ସନ୍ଧ୍ୟାରେ ଲଘୁଚାପ ସୃଷ୍ଟି ହେବାକୁ ଥିବାରୁ ଏହା ପ୍ରଭାବରେ ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ଆଜି ସକାଳୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇଛି।
ପ୍ରବଳ ବର୍ଷା ନେଇ ରାଜ୍ୟର ୧୭ଟି ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକ ହେଲା ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, କନ୍ଧମାଳ, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ବୌଦ୍ଧ, ସୋନପୁର, ବରଗଡ଼, ଅନୁଗୁଳ, ଢେଙ୍କାନାଳ, କଟକ, ଜଗତସିଂହପୁର ଏବଂ କେନ୍ଦ୍ରାପଡ଼ା।
ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ବଂଶଧାରା ଓ ନାଗାବଳୀ ନଦୀ ଫୁଲିବା ନେଇ ଆଶଙ୍କା କରାଯାଉଛି। ଆସନ୍ତା ୯ ତାରିଖରେ କୋରାପୁଟ, ପୁରୀ, ଗଞ୍ଜାମ, ଖୋର୍ଦ୍ଧା ଏବଂ ଜଗତସିଂହପୁର ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଆକଳନ କରାଯାଇଛି।
ଆସନ୍ତା ୧୦ ତାରିଖରେ ମଧ୍ୟ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ଅଧିକ ପରିମାଣରେ ବର୍ଷା ହେବାକୁ ଥିବାରୁ ଚାଷ କାର୍ଯ୍ୟ କରୁଥିବା ଚାଷୀଙ୍କୁ ଜମିରେ ସାର ପକାଇବା ସହ ଜଳସେଚନ ନକରିବାକୁ ପରାମର୍ଶ ଦେଇଛି ବିଭାଗ। ଏହା ସହିତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ କୁହାଯାଇଛି।
Tags: #Weather #RainFall #HeavyRainFall #YellowWarning #Weather