ଓଡ଼ିଶାଲାଇଭ୍ ବ୍ୟୁରୋ

(ଢେଙ୍କାନାଳ): ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍‍ସି), ଢେଙ୍କାନାଳ ପକ୍ଷରୁ ଚଳଚ୍ଚିତ୍ର ଉପରେ ଚାଲିଥିବା ସ୍ଵତନ୍ତ୍ର କାର୍ଯ୍ୟକ୍ରମ ‘ଫିଲ୍ମି ଚକ୍କର-୪’ ଉଦଯାପିତ ହୋଇଛି। ତିନି ଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ସ୍ଥାନରୁ ଶିକ୍ଷାବିତ, ଗବେଷକ ଯୋଗଦେଇ ‘ଷ୍ଟାରଡମ୍‍’ର ବିଭିନ୍ନ ଦିଗ ଉପରେ ସନ୍ଦର୍ଭ ଉପସ୍ଥାପନ କରିଥିଲେ।

“ଆସନ୍ତା ବର୍ଷ ‘ଭାରତର ଦେଶୀୟ ଭାଷାର ଚଳଚ୍ଚିତ୍ର’ ଅନୁଚିନ୍ତା ନେଇ ‘ଫିଲ୍ମି ଚକ୍କର-୫’ ଆୟୋଜନ କରାଯିବ। ଏହି କାର୍ଯ୍ୟକ୍ରମ ୪ ଦିନ ଧରି ଚାଲିବ”, ଫିଲ୍ମି ଚକ୍କର-୪ର ଉଦଯାପନୀ ଅଧିବେଶନରେ କହିଛନ୍ତି ଆଇଆଇଏମ୍‍ସି ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ମୃଣାଳ ଚାଟାର୍ଜୀ।

ତିନିଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ ଜାତୀୟ ପୁରସ୍କାରପ୍ରାପ୍ତ ଚଳଚ୍ଚିତ୍ର ଲେଖକ ଡକ୍ଟର ପିୟୁଷ ରାୟଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଚଳଚ୍ଚିତ୍ର ଆପ୍ରିସିଏସନ୍‍ କର୍ମଶାଳାରେ ଭାଗ ନେଇଥିବା ଛାତ୍ରଛାତ୍ରୀମାନେ ଅନେକ କିଛି ଶିଖିଛନ୍ତି। ପ୍ରାମାଣିକ ଓ ବ୍ୟବସାୟିକ ଚଳଚ୍ଚିତ୍ର ଭିତରେ ଥିବା ପାର୍ଥକ୍ୟ, ଚରିତ୍ରକୁ ଚିହ୍ନିବା ସହ ଚଳଚ୍ଚିତ୍ରର କେତୋଟି ବୈଷୟିକ ଦିଗ ଉପରେ ଡକ୍ଟର ରାୟ ଏହି ଅବସରରେ ଆଲୋଚନା କରିଥିଲେ। ସେହିପରି ଚଳଚ୍ଚିତ୍ର ସମୀକ୍ଷା, ତା’ର ବିଶ୍ଳେଷଣ କରିବା ଓ ଚଳଚ୍ଚିତ୍ର ସମ୍ପର୍କିତ ବିଭିନ୍ନ ପ୍ରକାର ଲେଖା ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ।

“ଭଲ ଚଳଚ୍ଚିତ୍ର ସବୁ ଦିନ ପାଇଁ ଲୋକଙ୍କ ହୃଦୟରେ ସ୍ଥାନ ନେଇଥାଏ। ଗୋଟିଏ ଭଲ ଚଳଚ୍ଚିତ୍ର ନିର୍ମାଣ କରିବା ପାଇଁ ତା’ର ପରିକଳ୍ପନା କରିବା, ନୂଆ କାହାଣୀ ରଚନା କରିବା ସହ ବିଭିନ୍ନ ବୈଷୟିକ ଦିଗ ଉପରେ ମଧ୍ୟ ଗୁରୁତ୍ୱ ଦେବାକୁ ହୋଇଥାଏ। ଏଥିପାଇଁ ଅଧିକ ପରିଶ୍ରମ ଓ ନିଷ୍ଠା ମଧ୍ୟ ଦରକାର। ଏଣୁ ତରବରିଆ ଭାବେ ଚଳଚ୍ଚିତ୍ର ନିର୍ମାଣ ନକରି ଦର୍ଶକମାନଙ୍କ ସ୍ୱତନ୍ତ୍ର ସ୍ୱାଦ ଦେଉଥିବା ଚଳଚ୍ଚିତ୍ର ନିର୍ମାଣ କରିବା ଉଚିତ”, କୁହନ୍ତି ଡାକ୍ତର ପିୟୁଷ ରାୟ।

Tags: #IIMCDhenkanal #FilmiChakkar #Stardom #FilmReview

LEAVE A REPLY

Please enter your comment!
Please enter your name here