ଓଡ଼ିଶାଲାଇଭ୍ ବ୍ୟୁରୋ

ଢେଙ୍କାନାଳ ସ୍ଥିତ ଭାରତୀୟ ଜନ ସଞ୍ଚାର ସଂସ୍ଥାନରେ (ଆଇଆଇଏମସି) ଦୁଇଟି ଇଂରାଜୀ ପୁସ୍ତକ ଉନ୍ମୋଚିତ ହୋଇଛି। ଏଠାରେ ଆଇଆଇଏମସି ଢେଙ୍କାନାଳର ନିର୍ଦ୍ଦେଶକ ଡକ୍ଟର ମୃଣାଳ ଚାଟାର୍ଜୀଙ୍କ ପୁସ୍ତକ ‘ୱିଣ୍ଡୋ ସିଟ୍‍’ ଏବଂ ସଂସ୍ଥାନର ସହକାରୀ ପ୍ରଫେସର ଡକ୍ଟର ହରିକୃଷ୍ଣ ବେହେରାଙ୍କ ଲିଖିତ ପୁସ୍ତକ ‘ଲିଗାଲ୍‍ ରେକଗ୍‍ନିସନ୍‍ ଅଫ୍‍ ଟ୍ରାନ୍ସଜେଣ୍ଡର-ଏ ଷ୍ଟଡି ଇନ୍‍ ଓଡ଼ିଶା’ ଉନ୍ମୋଚନ କରାଯାଇଛି। ସୋମବାର ଅନୁଷ୍ଠାନରେ ହୋଇଥିବା କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ସୁବ୍ରତ କୁମାର ପତି ଏହି ପୁସ୍ତକ ଉନ୍ମୋଚନ କରିଥିଲେ।

‘ୱିଣ୍ଡୋ ସିଟ୍‍’ ପୁସ୍ତକଟିକୁ ଢେଙ୍କାନାଳର ଶେଫାଳୀ କମ୍ୟୁନିକେସନ୍ସ ପକ୍ଷରୁ ପ୍ରକାଶିତ କରାଯାଇଛି। ଏହା ଡକ୍ଟର ମୃଣାଳ ଚାଟାର୍ଜୀଙ୍କର ଏକ ସାପ୍ତାହିକ ସ୍ତମ୍ଭ। ଏହା ସିକ୍କିମ୍‍ରୁ ପ୍ରକାଶିତ ଇଂରାଜୀ ଦୈନିକ ‘ସିକ୍କିମ୍‍ ଏକ୍ସପ୍ରେସ୍‍’ରେ ନିୟମିତ ଭାବରେ ପ୍ରକାଶ ପାଏ। ଏହାସହ ଓଡ଼ିଶାର ଏକ ଇଂରାଜୀ ୱେବ୍‍ପୋର୍ଟାଲ୍‍ରେ ମଧ୍ୟ ଏହା ପ୍ରକାଶିତ ହୁଏ।

୨୦୨୩ରେ ପ୍ରକାଶିତ ହୋଇଥିବା ସ୍ତମ୍ଭଗୁଡ଼ିକୁ ନେଇ ଏହି ପୁସ୍ତକର ସଙ୍କଳନ କରାଯାଇଛି। ପୁସ୍ତକରେ ଲେଖକ ଅତି ସାଧାରଣ କଥାଠାରୁ ଆରମ୍ଭ କରି ବିଭିନ୍ନ ସମକାଳୀନ ପ୍ରସଙ୍ଗ ଉପରେ ସୁନ୍ଦର ଭାବେ ଆଲୋଚନା କରିଛନ୍ତି।

ସେହିପରି ଡକ୍ଟର ହରିକୃଷ୍ଣ ବେହେରାଙ୍କ ଇଂରାଜୀ ପୁସ୍ତକ ‘ଲିଗାଲ୍‍ ରେକଗ୍‍ନିସନ୍‍ ଅଫ୍‍ ଟ୍ରାନ୍ସଜେଣ୍ଡର-ଏ ଷ୍ଟଡି ଇନ୍‍ ଓଡ଼ିଶା’ ଏକ ଗବେଷଣାଧର୍ମୀ ପୁସ୍ତକ। ଏଥିରେ କିନ୍ନରଙ୍କ ବିଭିନ୍ନ ସମସ୍ୟା ସହ ସେମାନଙ୍କ ପାଇଁ ଥିବା ଆଇନ କାନୁନ ସମ୍ବନ୍ଧରେ ଆଲୋକପାତ ହୋଇଛି। ଗୁଜରାଟର କ୍ରାଉନ୍‍ ପବ୍ଲିକେସନ୍ସ ପକ୍ଷରୁ ଏହାର ପ୍ରକାଶନ କରାଯାଇଛି।

ସୁବ୍ରତ କୁମାର ପତି ଆଇଆଇଏମସି ଢେଙ୍କାନାଳରେ ରେଡିଓ ସାମ୍ବାଦିକତା ବିଷୟରେ ଶିକ୍ଷାଦାନ ପାଇଁ ଆସିଥିବା ଅବସରରେ ଏହି ଦୁଇ ପୁସ୍ତକ ଉନ୍ମୋଚନ କରିଥିଲେ। ଏହି ଅବସରରେ ସେ ରେଡିଓ ସାମ୍ବାଦିକତା କ୍ଷେତ୍ରରେ ନିଜର ଯାତ୍ରା ସମ୍ପର୍କରେ ବର୍ଣ୍ଣନା କରିଥିଲେ।

ସୁବ୍ରତ କୁମାର ପତି ପୂର୍ବରୁ ବିଭିନ୍ନ ଜାତୀୟ ତଥା ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥାରେ କାର୍ଯ୍ୟ କରିଛନ୍ତି। ଏହାସହ ସେ ଗୋଷ୍ଠୀ ବେତାର ରେଡିଓ କେନ୍ଦ୍ର ‘ରେଡିଓ ଆଉଟ୍‍ରିଚ୍‍’ ଓ ଇଣ୍ଟରନେଟ୍‍ ରେଡିଓ ‘ରେଡିଓ ଭୁବନେଶ୍ୱର’ର ପ୍ରତିଷ୍ଠାତା। ଏବେ ସେ ଓଡ଼ିଶା ଗୋଷ୍ଠୀ ବେତାର ସଂଗଠନର ସମ୍ପାଦକ ଦାୟିତ୍ୱରେ ଅଛନ୍ତି। 

Tags: #IIMCDhenkanal #Bookrealese #DrMrunalChatarjee #Dhenkanal

Comment