ଓଡ଼ିଶାଲାଇଭ୍ ବ୍ୟୁରୋ

(ବାଲେଶ୍ୱରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ସହରର ଏସିପିଏଲ୍ ସମ୍ମିଳନୀ କକ୍ଷଠାରେ ଗାଳ୍ପିକ ଗଙ୍ଗାଧର ବିଶ୍ୱାଳଙ୍କ ଗଳ୍ପ ସଙ୍କଳନ ‘ଷୋଡ଼ଶ’ ଉନ୍ମୋଚିତ ହୋଇଯାଇଛି।
କବି ପ୍ରଶାନ୍ତ ଦାସଙ୍କ ସଭାପତିତ୍ୱରେ ଆୟୋଜିତ ଉନ୍ମୋଚନ କାର୍ଯ୍ୟକ୍ରମରେ ଅତିଥି ଭାବେ କବି କୃଷ୍ଣ କୁମାର ମହାନ୍ତି ଯୋଗଦେଇ ଗଙ୍ଗାଧରଙ୍କ ଗଳ୍ପରେ ଜୀବନାନୁଭୂତି ଠୁଳ ହୋଇଥାଏ ବୋଲି କହିଥିଲେ। ଏହା ସହ ସେ କହିଥିଲେ ଗାଳ୍ପିକ ନିଜେ ହିଁ ଗୋଟିଏ ଗଳ୍ପ।
ଅନ୍ୟତମ ଅତିଥି ଭାବେ କବି ଉତ୍ପଳ ମହାନ୍ତି, ‘ସେଇଠୁ ଆରମ୍ଭ’ର ସମ୍ପାଦକ କବି ଶୁଭେନ୍ଦୁ ଦାସ, ଫକୀରମୋହନ ସାହିତ୍ୟ ପରିଷଦର ସଭାପତି ଡକ୍ଟର ସୁବାସଚନ୍ଦ୍ର ପାତ୍ର, ଏଚଡିଏଫସି ବ୍ୟାଙ୍କର ଉପସଭାପତି ସମରେନ୍ଦ୍ର ବିହାରୀ ପ୍ରମୁଖ ଯୋଗଦେଇ ଗଳ୍ପ ପୁସ୍ତକଟିର ଉନ୍ମୋଚନ କରିଥିଲେ।

ଗାଳ୍ପିକର ନିଜସ୍ଵ ଅନୁଭବ ଗଳ୍ପକୁ ଗତିଶୀଳ କରି ସହଜରେ ପାଠକଙ୍କ ପାଖରେ ପହଞ୍ଚାଏ। ପ୍ରତ୍ୟେକ ସ୍ରଷ୍ଟା ନିଜର ବିଚାର ଓ ଦୃଷ୍ଟିକୋଣକୁ ପୁସ୍ତକରେ ଲେଖି ପାଠକକୁ ପ୍ରଭାବିତ କରିବାକୁ ଚାହେଁ। ଯାହା ପାଠକଙ୍କ ମନ ଓ ହୃଦୟକୁ ସହଜରେ ଛୁଇଁବା ସହ ଏକ ନୂଆ ଆବେଗ ସୃଷ୍ଟି କରେ ତାହା ଭଲ ଗପ ପଦବାଚ୍ୟ ହୋଇଥାଏ। ‘ଷୋଡ଼ଶ’ର ନାମକରଣ ଗପ ବହିଟିକୁ ନିଶ୍ଚିତ ଭାବେ ଚର୍ଚ୍ଚାକୁ ଆଣିବ ବୋଲି ଅତିଥିମାନେ ନିଜ ନିଜ ବକ୍ତବ୍ୟରେ କହିଥିଲେ।
ଗାଳ୍ପିକ ଗଙ୍ଗାଧର ବିଶ୍ୱାଳ ନିଜ ଗଳ୍ପର ଉପାଦାନ ଓ ବିଷୟବସ୍ତୁ ଉପରେ ସାମ୍ୟକ ଦୃଷ୍ଟି ରଖିଥିବା ବେଳେ କବି ସିତାଂଶୁ ଲେଙ୍କା ପ୍ରକାଶକୀୟ ଅଭିବ୍ୟକ୍ତି ରଖିଥିଲେ। ବିଶିଷ୍ଟ ସମାଲୋଚକ ଡକ୍ଟର ଶିରୀଷ ଚନ୍ଦ୍ର ଜେନା, ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ ଓଡ଼ିଆ ବିଭାଗ ମୁଖ୍ୟ ଡକ୍ଟର ସନ୍ତୋଷ କୁମାର ନାୟକ ପ୍ରମୁଖ ଗଙ୍ଗାଧରଙ୍କ ଗଳ୍ପ ସମ୍ପର୍କରେ ନିଜ ନିଜର ଅଭିବ୍ୟକ୍ତି ରଖିଥିଲେ।
ପ୍ରାରମ୍ଭରେ ଗୀତିକା ଯୋଗସ୍ମିତା ବିଶ୍ଵାଳ ସ୍ଵାଗତ ଅଭିଭାଷଣ ସହ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଗୀତିକା ଜ୍ୟୋତିପର୍ଣ୍ଣା ବିଶ୍ଵାଳ ଧନ୍ୟବାଦ ଅର୍ପଣ କରିଥିଲେ।
Tags: #StoryBook #Shodasha #BookRelease #WriterGangadharBiswal #Balasore #Odisha