ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ପୁରୀ ଓ କଲିକତାର ହାୱଡା ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନର ଚଳାଚଳ ଆରମ୍ଭ ହୋଇଛି। ପୁରୀ ରେଳ ଷ୍ଟେସନରୁ ଏହି ସେମି ହାଇସ୍ପିଡ୍ ଟ୍ରେନର ଶୁଭାରମ୍ଭ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସ ମାଧ୍ୟମରେ ନୀଳ ପତକା ଦେଖାଇ ଏହି ଟ୍ରେନକୁ ଉଦଘାଟନ କରିଥିଲେ। ସେ ଏହି କାର୍ଯ୍ୟକ୍ରମରେ କଟକ ଓ ପୁରୀ ରେଳ ଷ୍ଟେସନର ପୁନଃବିକାଶ ପାଇଁ ଶିଳାନ୍ୟାସ ମଧ୍ୟ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଭର୍ଚୁଆଲ ମୋଡରେ ସମ୍ବୋଧନ ଦେଇଥିଲେ।

ବନ୍ଦେ ଭାରତ ଏକ୍ସପ୍ରେସ୍ ଗୁରୁବାର ପୁରୀରୁ ହାୱଡା ଅଭିମୁଖେ ଯାତ୍ରା କରିଛି। ତେବେ ମେ’ ୨୦ ତାରିଖରୁ ଏହି ଟ୍ରେନ ନିୟମିତ ଭାବେ ଯାତ୍ରା ଆରମ୍ଭ କରିବ। ଏଥିପାଇଁ ବୁଧବାରଠାରୁ ଟିକେଟ ବୁକିଂ ଆରମ୍ଭ ହୋଇଛି। ଏହା ଦୁଇ ସହର ମଧ୍ୟରେ ୫୦୦ କିଲୋମିଟର ଦୂରତାକୁ ପ୍ରାୟ ୬ ଘଣ୍ଟାରେ ଅତିକ୍ରମ କରିବ ଏହି ଟ୍ରେନ।

ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ ଶୁଭାରମ୍ଭ ବ୍ୟତୀତ ପ୍ରଧାନମନ୍ତ୍ରୀ ୮ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଥିଲେ। କଟକ ଓ ପୁରୀ ରେଳ ଷ୍ଟେସନର ପୁନଃବିକାଶ ମାଧ୍ୟମରେ ଏଠାରେ ଅତ୍ୟାଧୁନିକ ସୁବିଧା ଓ ଅନ୍ୟାନ୍ୟ ଭିତ୍ତିଭୂମିର ବିକାଶ କରାଯିବ। ଅନ୍ୟ ପ୍ରକଳ୍ପ ମଧ୍ୟରେ ଓଡ଼ିଶାରେ ଥିବା ସବୁ ରେଳ ଲାଇନର ୧୦୦ ପ୍ରତିଶତ ବିଦ୍ୟୁତିକରଣର ଲୋକର୍ପଣ ସାମିଲ ରହିଛି।

“ଭାରତର ଦ୍ରୁତ ବିକାଶ ପାଇଁ ରାଜ୍ୟଗୁଡ଼ିକର ସର୍ବାଙ୍ଗୀନ ବିକାଶ ଜରୁରୀ। କୌଣସି ରାଜ୍ୟ ବିକାଶରେ ପଛୁଆ ନରହିବା ଆମର ମୂଳ ଲକ୍ଷ୍ୟ।  ଏଥିପାଇଁ ଭିତ୍ତିଭୂମି ବିକାଶର ଆବଶ୍ୟକତା ରହିଛି। ଭିତ୍ତିଭୂମି ବିକାଶରେ କେବଳ ଲୋକଙ୍କ ଜୀବନ ସରଳ ହୁଏ ନାହିଁ, ସମାଜ ମଧ୍ୟ ସଶକ୍ତ ହୁଏ। ଏବେ ଏହି ବନ୍ଦେ ଭାରତ ଏକ୍ସପ୍ରେସ୍ ଦ୍ଵାରା ଭାରତୀୟ ରେଳବାଇରେ ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି, ଯାହା ଭାରତର ପ୍ରଗତିକୁ ବିଶ୍ଵ ସମ୍ମୁଖରେ ପ୍ରଦର୍ଶନ କରୁଛି”, କହିଛନ୍ତି ନରେନ୍ଦ୍ର ମୋଦୀ।

ସେ ଆହୁରି ମଧ୍ୟ କହିଛନ୍ତି, “ଓଡ଼ିଶା ଖଣିଜ ପଦାର୍ଥରେ ଭରପୁର ଏକ ରାଜ୍ୟ। ଏଠାରେ ଥିବା ରେଳ ପଥର ୧୦୦ ପ୍ରତିଶତ ବିଦ୍ୟୁତିକରଣ ହୋଇଛି। ଓଡ଼ିଶାରେ ରେଳର ବିକାଶ ରାଜ୍ୟର ଶିଳ୍ପ କ୍ଷେତ୍ରର ଉନ୍ନତିକୁ ଅଧିକ ଗତି ଦେବ।”

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହି କାର୍ଯ୍ୟକ୍ରମରେ ସମ୍ବୋଧନ ଦେଇ ଓଡ଼ିଶାରେ ହେଉଥିବା ରେଳ ବିକାଶ ପାଇଁ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହାଛଡ଼ା ଓଡ଼ିଶାରେ ଆହୁରି ନୂଆ ରେଳ ପ୍ରକଳ୍ପ ପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ।

ପୁରୀ-ହାୱଡା ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ୍ ଆରମ୍ଭ ହେବା ଏବଂ ପୁରୀ ଓ କଟକ ରେଳ ଷ୍ଟେସନର ପୁନଃବିକାଶ ହେବା ଓଡ଼ିଶା ପାଇଁ ଖୁସିର କଥା। ଏବେ ଆମ ରାଜ୍ୟର ଦ୍ରୁତ ବିକାଶ ହେଉଛି। ଏଥିପାଇଁ ଓଡ଼ିଶାରେ ନୂଆ ରେଳ ପ୍ରକଳ୍ପର ଆବଶ୍ୟକତା ରହିଛି। ଏହାଛଡ଼ା ରାଜ୍ୟରେ ଚାଲୁ ରହିଥିବା ପ୍ରକଳ୍ପଗୁଡ଼ିକୁ ଶୀଘ୍ର ସାରିବାକୁ ମୁଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରୁଛି”, କହିଛନ୍ତି ନବୀନ ପଟ୍ଟନାୟକ।

ସେ ଆହୁରି ମଧ୍ୟ କହିଛନ୍ତି, “ପୁରୀକୁ ଏକ ଅନ୍ତର୍ଜାତୀୟ ସହର ଭାବେ ଗଢ଼ିବାକୁ ଏହାର ବିକାଶ କରାଯାଉଛି। ପୁରୀରୁ କୋଣାର୍କ ଯାଏଁ ନୂଆ ରେଳ ପଥ ନିର୍ମାଣ ପାଇଁ କେନ୍ଦ୍ର ସରକାର ବିଚାର କରୁନ୍ତୁ। ଏହାଛଡ଼ା ପୁରୀରେ ଆମେ ଏକ ଅନ୍ତର୍ଜାତୀୟ ବିମାନ ବନ୍ଦର ତିଆରି କରୁଛୁ। ୩ରୁ ୪ ବର୍ଷ ମଧ୍ୟରେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହେବ। ଏହାର ଉଦଘାଟନ କରିବା ପାଇଁ ମୁଁ ପ୍ରଧାନମନ୍ତ୍ରୀଙ୍କୁ ପୁରୀ ଆସିବା ପାଇଁ ଅନୁରୋଧ କରୁଛି।”

“ଭାରତ ସରକାର ଏବେ ଓଡ଼ିଶାରେ ରେଳର ବିକାଶ ପାଇଁ ଅଧିକ ପାଣ୍ଠି ଦେଉଛନ୍ତି। ରାଜ୍ୟରେ ବିଭିନ୍ନ ରେଳ ପ୍ରକଳ୍ପର ଦ୍ରୁତ ବିକାଶ ହେଉଛି। ଏବେ ଓଡ଼ିଶାରେ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ୍ ଆରମ୍ଭ ହୋଇଥିବା ବେଳେ ଆଗକୁ ଏହାର ଆଉ ଏକ ଟ୍ରେନ ମଧ୍ୟ ଚଳାଚଳ କରିବ। ଏହାଛଡ଼ା ପୁରୀ, ଭୁବନେଶ୍ଵର ଓ କଟକ ମଧ୍ୟରେ ଆମେ ‘ବନ୍ଦେ ଭାରତ ମେଟ୍ରୋ’ ଚଳାଇବା ପାଇଁ ଯୋଜନା ରଖିଛୁ”, କହିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ।

ବନ୍ଦେ ଭାରତ ଏକ୍ସପ୍ରେସର ଉଦଘାଟନୀ ପାଇଁ ପୁରୀ ରେଳ ଷ୍ଟେସନରେ ହୋଇଥିବା କାର୍ଯ୍ୟକ୍ରମରେ ରାଜ୍ୟପାଳ ଗଣେଶୀ ଲାଲ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୁରୀ ସାଂସଦ ପିନକୀ ମିଶ୍ର, ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ପ୍ରମୁଖ ଯୋଗ ଦେଇଥିଲେ।

Tags: #VandeBharatExpress #PuriHowrahTrainService #Inauguration #Primeminister #IndianRailway

LEAVE A REPLY

Please enter your comment!
Please enter your name here