ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ନେଇ ଓଡ଼ିଶା ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛି ଭାରତୀୟ ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ସଂସ୍ଥା (ଏଏସଆଇ)। ଏଥିରେ ରତ୍ନଭଣ୍ଡାରର ସ୍ଥିତି ଭଲ ନଥିବାରୁ ଶୀଘ୍ର ମରାମତି ଆବଶ୍ୟକ ଥିବା ଉଲ୍ଲେଖ କରାଯାଇଛି। ଶେଷଥର ପାଇଁ ୨୦୧୮ ମସିହାରେ ରତ୍ନଭଣ୍ଡାର ବାହାର ଭଣ୍ଡାରର ଅନୁଧ୍ୟାନ କରାଯାଇଥିବା ଏଠାରେ ଏଏସଆଇ ପକ୍ଷରୁ କୁହାଯାଇଛି।
ଏଏସଆଇ ପକ୍ଷରୁ ହାଇକୋର୍ଟରେ ଦାଖଲ ହୋଇଥିବା ସତ୍ୟପାଠରେ ରତ୍ନଭଣ୍ଡାର ବାହାର ଭଣ୍ଡାରର କାନ୍ଥରେ ବହୁ ଫାଟ ରହିଥିବା କୁହାଯାଇଛି। ଛାତ ଓ କାନ୍ଥରୁ କେତେକ ପଥର ଖସି ପଡ଼ିଥିବା ଉଲ୍ଲେଖ କରାଯାଇଛି। ସେହିପରି କାନ୍ଥ ଫମ୍ପା ଥିବା ମଧ୍ୟ କୁହାଯାଇଛି। ସୁରକ୍ଷା ଓ ନିରାପତ୍ତା ଦୃଷ୍ଟିରୁ ଭିତର ରତ୍ନଭଣ୍ଡାରର ଯାଞ୍ଚ କରାଯିବା ସହ ମରାମତି ପାଇଁ ପଦକ୍ଷେପ ନିଆଯିବା ଦରକାର ବୋଲି ଏଏସଆଇ ପକ୍ଷରୁ କୁହାଯାଇଛି।
ଏଏସଆଇ ପୁରୀ ସର୍କଲ ସୁପରିନଟେଣ୍ଡିଂ ଆର୍କିଓଲୋଜିଷ୍ଟ ଡି.ବି. ଗଡ଼ନାୟକ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଥିଲେ। ୨୦୧୮ ମସିହାରେ ଶେଷ ଥର ପାଇଁ ବାହାର ରତ୍ନଭଣ୍ଡାରର ଅନୁଧ୍ୟାନ ହୋଇଥିବା ଏଥିରେ ଏଏସଆଇ ପକ୍ଷରୁ କୁହାଯାଇଛି। ସେତେବେଳେ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦେଶ ପରେ ୨୦୧୮ ମାର୍ଚ୍ଚ ୨୬ ଓ ଏପ୍ରିଲ୍ ୮ ତାରିଖରେ ରତ୍ନଭଣ୍ଡାର ସ୍ଥିତି ଅନୁଧ୍ୟାନ କରି ରିପୋର୍ଟ ଦାଖଲ କରିଥିଲା ଏଏସଆଇ।
ଅନ୍ୟପଟେ ରତ୍ନଭଣ୍ଡାରର ମରାମତି ପାଇଁ ଏଏସଆଇ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖାଯାଇଥିଲେ ମଧ୍ୟ ଏହା ଉପରେ କିଛି ପଦକ୍ଷେପ ନାହିଁ। ତେବେ ମରାମତି ପୂର୍ବରୁ ରତ୍ନଭଣ୍ଡାରର ଭଲଭାବେ ଯାଞ୍ଚ କରାଯିବ ବୋଲି ସତ୍ୟପାଠରେ କୁହାଯାଇଛି। ଏଥିପାଇଁ ଭିତର ରତ୍ନଭଣ୍ଡାରକୁ ଖୋଲିବାକୁ ପଡ଼ିବ।
ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ନେଇ ହୋଇଥିବା ଜନସ୍ଵାର୍ଥ ମାମଲାରେ ଏବେ ହାଇକୋର୍ଟ ଶୁଣାଣି ଚାଲିଛି। ସୋମବାର ଜଷ୍ଟିସ ଶୁଭାଶିଷ ତଲାପାତ୍ର ଓ ଜଷ୍ଟିସ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲା ଶୁଣାଣି କରିଥିଲେ। ଅଗଷ୍ଟ ୨୨ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ପୂର୍ବରୁ ରତ୍ନଭଣ୍ଡାରକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ ହୋଇଥିଲା।
Tags: #SriMandir #RatnaBhandar #OdishaHighCourt #ASI #Puri