ଓଡ଼ିଶାଲାଇଭ୍ ବ୍ୟୁରୋ
କଳିଙ୍ଗ ଷ୍ଟୁଡ଼ିଓ ପରିସରରେ ଥିବା ଖାଲି ଜାଗାରେ ସ୍ପୋର୍ଟସ କମ୍ପ୍ଲେକ୍ସ ନିର୍ମାଣ ପ୍ରସ୍ତାବକୁ ନେଇ ବିବାଦ ତେଜିଛି। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରିଛନ୍ତି କଂଗ୍ରେସ ଏବଂ ବିଜେପି। ଶାସକ ଦଳରୁ ଉଠିଛି ବିରୋଧର ସ୍ୱର। ବିରୋଧ ଜୋରଦାର ହେବାରୁ ପଛଘୁଞ୍ଚା ଦେଇଛନ୍ତି କ୍ରୀଡ଼ା ସଚିବ। କହିଛନ୍ତି, ଏନେଇ ସରକାର କୌଣସି ନିଷ୍ପତ୍ତି ନେଇ ନାହାନ୍ତି।
ଶନିବାର ଦିନ କ୍ରୀଡ଼ା ବିଭାଗର ଏକ ଚିଠିକୁ ନେଇ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା। କ୍ରୀଡ଼ା ବିଭାଗ ସାଧାରଣ ପ୍ରଶାସନ ବିଭାଗକୁ ଲେଖିଥିବା ଚିଠିରେ କଳିଙ୍ଗ ଷ୍ଟୁଡିଓରେ ସ୍ପୋର୍ଟସ କମ୍ପ୍ଲେକ୍ସ ନିର୍ମାଣ କରିବାକୁ ଦେଇଥିଲେ ପ୍ରସ୍ତାବ। ଏନେଇ ଜଣାପଡ଼ିବା ପରେ ଓଡ଼ିଶା ଚଳଚ୍ଚିତ୍ର ନିଗମ ଅଧ୍ୟକ୍ଷ ମୁନ୍ନା ଖାଁ ବିରୋଧ କରିଥିଲେ।
ରବିବାର ଦିନ ବରିଷ୍ଠ କଳାକାରମାନେ ମଧ୍ୟ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି। ସାମ୍ବାଦିକ ସମ୍ମିଳନୀ କରି ବରିଷ୍ଠ ଅଭିନେତା ମିହିର ଦାସ ପ୍ରସ୍ତାବକୁ ନିନ୍ଦା କରିଛନ୍ତି।
“କଳିଙ୍ଗ ଷ୍ଟୁଡିଓର ପୁନରୁଦ୍ଧାର କରିବାକୁ ରାଜ୍ୟ ସରକାର କଳାକାରମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ହେଲେ ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିଲା ନାହିଁ। ଓଡ଼ିଆ କଳା ସଂସ୍କୃତିକୁ ଗୁରୁତ୍ବ ନଦେଇ ସ୍ଫୋର୍ଟସ କମ୍ପ୍ଲେକ୍ସ ନିର୍ମାଣ କରିବା ପ୍ରସ୍ତାବ ଦେବା ଦୁଭାଗ୍ୟଜନକ”, କହିଛନ୍ତି ମିହିର ଦାସ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବି ଏନେଇ ଟୁଇଟ କରିଛନ୍ତି।
“ଓଡ଼ିଶା କଳାକାରମାନଙ୍କ ଭାବାବେଗକୁ ମୁଁ ସମ୍ମାନ କରୁଛି। ରାଜ୍ୟ ସରକାର ଯେଉଁ ପ୍ରସ୍ତାବ ଦେଇଛନ୍ତି ତାହା ଦୁର୍ଭାଗ୍ୟଜନକ। କଳିଙ୍ଗ ଷ୍ଟୁଡିଓକୁ ନୂଆ ରୂପ ଦେବା ପାଇଁ ମୁଁ କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରୀ ସ୍ମୃତି ଇରାନିଙ୍କ ସହ କଥା ହେବି”, ଟୁଇଟ କରି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ କ୍ରୀଡ଼ା ସଚିବଙ୍କ ଏହି ପ୍ରସ୍ତବାକୁ ଗ୍ରହଣ କରିନାହାନ୍ତି। ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ନିରଞ୍ଜନ।