ଓଡ଼ିଶାଲାଇଭ୍ ବ୍ୟୁରୋ

  • ମା’ ଭୈରବୀଙ୍କ ପୀଠରେ ଗୁପ୍ତ ଷୋଳପୂଜା ଓ ପାଟଖଣ୍ଡା ବସା ପର୍ବ
  • ମା’ଙ୍କ ମନ୍ଦିରରେ ସାଧାରଣ ଦର୍ଶନ ମନା

(ବୌଦ୍ଧରୁ ଦେବବ୍ରତ ଦାଶ): ବୌଦ୍ଧର ଇଷ୍ଟଦେବୀ ମା’ ଭୈରବୀଙ୍କ ପୀଠରେ ଆରମ୍ଭ ହୋଇଯାଇଛି ଗୁପ୍ତ ଷୋଳପୂଜା ବା ଖଣ୍ଡାବସା ପର୍ବ। ଏହି ପୂଜା ସାରା ଭାରତ ବର୍ଷରେ ଅଦ୍ୱିତୀୟ ବୋଲି କୁହାଯାଏ।

ପାରମ୍ପରିକ ରୀତିନୀତି ଅନୁଯାୟୀ ଏହି ପୂଜା ୧୬ ଦିନ ଧରି ଚାଲିବ। ବିଳମ୍ବିତ ରାତିରେ ଅନୁଷ୍ଠିତ ହୁଏ ମା’ଙ୍କ ଗୁପ୍ତପୂଜା ବିଧି। ବୌଦ୍ଧ ସହରଠାରୁ ୩୦ କିଲୋମିଟର ଗଲେ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ପାର୍ଶ୍ଵ ପୁରୁଣାକଟକଠାରେ ରହିଛି ବୌଦ୍ଧ ଜିଲ୍ଲାର ଇଷ୍ଟଦେବୀ ମା’ ଭୈରବୀଙ୍କ ପୀଠ।

ଭୁବନ ବରଣ କରୁଥିବାରୁ ଦେବୀଙ୍କୁ ଭୈରବୀ ବୋଲି କୁହାଯାଏ। ବୌଦ୍ଧ ଜିଲ୍ଲା ପୁରୁଣାକଟକ ବାସିନୀ ମା’ ଭୈରବୀ କେଉଁ ଆବାହମାନ କାଳରୁ ସେଠାରେ ପୂଜା ପାଇଆସୁଛନ୍ତି। ପୂର୍ବରୁ ଅର୍ଗଳିଆ ପାହାଡ଼ ଶିଖରରେ ମା’ ପୂଜା ପାଇଆସୁଥିଲେ, କିନ୍ତୁ ସେଠାକୁ ଯାତାୟତ ଅସୁବିଧା ଯୋଗୁଁ ପୁରୁଣାକଟକ ବାଉଁଶ ବଣ ଖୋଲରେ ଦେବୀଙ୍କୁ ସ୍ଥାପନ କରାଯାଇଥିଲା।     

ପ୍ରତି ମାସରେ ଦେବୀଙ୍କ ପାରମ୍ପରିକ ପୂଜା ଅନୁଷ୍ଠିତ ହୋଇଥାଏ। କିନ୍ତୁ ପ୍ରତିବର୍ଷ ଆଶ୍ୱିନ ମାସରେ ମା’ ଭୈରବୀଙ୍କ ନିକଟରେ ସ୍ଵତନ୍ତ୍ର ନୀତିକାନ୍ତିରେ ପୂଜା ହୋଇଥାଏ। ଏହି ଅବସରରେ ଦେବୀଙ୍କ ଗୁପ୍ତ ଷୋଳପୂଜା ବା ପାଟଖଣ୍ଡା ବସା ପର୍ବ ଅନୁଷ୍ଠିତ ହୁଏ। ରାଜରାଜୁଡ଼ା ଅମଳରୁ ଚାଲିଆସିଥିବା ଷୋଳପୂଜା ଆଶ୍ୱିନ ମାସ ମୂଳାଷ୍ଟମୀ (କୃଷ୍ଣ ପକ୍ଷ  ଅଷ୍ଟମୀ) ତିଥିରୁ ଆରମ୍ଭ ହୋଇ ଶୁକ୍ଳପକ୍ଷ ମହାଷ୍ଟମୀ ଦିନ ଶେଷ ହୋଇଥାଏ।

ଆଶ୍ୱିନ ମାସ ମୂଳାଷ୍ଟମୀ ଦିନ ଭକ୍ତମାନେ ମୁଖ୍ୟପୂଜକଙ୍କ ଘରୁ ମା’ଙ୍କ ବିଜୟ ପ୍ରତିମା ଓ ପାଟଖଣ୍ଡାକୁ ବାଜା ବଜେଇ ଘଣ୍ଟ ଘଣ୍ଟି ଶବ୍ଦରେ ହରିବୋଲ ହୁଳହୁଳି ବିରାଟ ପଟୁଆର ସହ ସନ୍ଧ୍ୟା ସମୟରେ ଗ୍ରାମ ପରିକ୍ରମା କରି ମନ୍ଦିରକୁ ଆଣିଥାନ୍ତି। ପରେ ବିଳମ୍ବିତ ରାତିରେ ତାଳପତ୍ର ପୋଥି (ମାଦଳ ପାଞ୍ଜି) ଅନୁସାରେ ମା’ଙ୍କ ଗୁପ୍ତପୂଜା ଅନୁଷ୍ଠିତ ହୁଏ।  ଗୁପ୍ତପୂଜା ଆରମ୍ଭ ହେଲା ମାତ୍ରେ ଢୋଲ, ନିଶାନ ବାଜି ଉଠିଥାଏ, ବାଜା ବାଜିବା ମାତ୍ରେ ଅଞ୍ଚଳର ପୁତ୍ରବତୀ ମହିଳା ପୁଅ ଜୁଉନ୍ତିଆ ପର୍ବ କରିଥାନ୍ତି। ଷୋଳପୂଜା ସମୟରେ ମା’ଙ୍କଠାରେ ୧୬ ଖଣ୍ଡ ଗ୍ରାମର ଲୋକମାନେ ୧୬ ଦିନ ପର୍ଯ୍ୟନ୍ତ ପ୍ରତ୍ୟେହ ଦିନେ ଦିନେ କରି ମା’ଙ୍କ ପାଇଁ ଭୋଗ ଅର୍ପଣ କରିଥାନ୍ତି।

ଷୋଳପୂଜା ସମୟରେ ମା’ଙ୍କୁ ମନ୍ଦିରରେ ଦର୍ଶନ ଭକ୍ତମାନଙ୍କ ପାଇଁ ମନାଥାଏ। ହେଲେ ଭକ୍ତମାନେ ମନସ୍କାମନା ପୂର୍ଣ୍ଣ ପାଇଁ ମା’ଙ୍କ ମନ୍ଦିର ପ୍ରାଙ୍ଗଣରେ ଥିବା ସାହାଡ଼ା ଗଛ ତଳେ ପୂଜାର୍ଚ୍ଚନା କରିଥାନ୍ତି। ଷୋଳପୂଜାର ଷୋଳଦିନ ଧରି ସ୍ୱତନ୍ତ୍ର ଭାବେ ଗୁପ୍ତପୂଜା ହୋଇଥାଏ ବୋଲି ମୁଖ୍ୟ ପୂଜକ କହିଛନ୍ତି।

ସବୁ ସମୟରେ ମା’ଙ୍କ ଦେହୁରୀ (ପୂଜକ ) ମା’ଙ୍କ ପୂଜା କରୁଥିବାବେଳେ ଷୋଳପୂଜା ସମୟରେ ବ୍ରାହ୍ମଣ ପୂଜକ ମଧ୍ୟ ମା’ଙ୍କ ସେବାପୂଜା କରିବାର ସାନିଧ୍ୟ ଲାଭ କରିଥାନ୍ତି।

ଷୋଳପୂଜା ସମୟରେ ପ୍ରତିଦିନ ରାତି ୧୦ଟାରୁ ମଧ୍ୟରାତ୍ର ପ୍ରାୟ ୩ଟା ପର୍ଯ୍ୟନ୍ତ ନିଶା ରାତ୍ରରେ ଘଣ୍ଟ, ଶଙ୍ଖ, ଢୋଲ, ନିଶାନ ବଜାଇ ପୂଜା କରାଯାଇଥାଏ। ପୂଜକଙ୍କ କହିବା ଅନୁସାରେ ମା’ଙ୍କ ବାହାନ ମହାବଳ ବାଘ ପ୍ରତ୍ୟହ ପୂଜା ସମୟରେ ନିଶା ରାତ୍ରିରେ ଆସି ଖଇ ଓ ଉଖୁଡ଼ା ଭୋଗ ଖାଇ ଯାଇଥାଏ। ବିଶେଷ କରି ଏହି ଦିନମାନଙ୍କରେ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ଅଞ୍ଚଳରେ ଲୋକଙ୍କ ଚଳପ୍ରଚଳ କମି ଯାଇଥାଏ। କାରଣ ଏହି ସମୟରେ ମା’ ଭୈରବୀ କଳା ଧଳା ଘୋଡ଼ି ଚଢ଼ି ଅଞ୍ଚଳରେ ଭ୍ରମଣ କରିବା ସହ ମା’ଙ୍କ ବାହାନ ମହାବଳ ବାଘ ମଧ୍ୟ ପରିଭ୍ରମଣ କରି ଥାଏ ବୋଲି ଲୋକଙ୍କୁ ବିଶ୍ଵାସ ରହିଛି।

ମହାଷ୍ଟମୀ ଦିନ ମା’ଙ୍କ ପୂଜା ଆରମ୍ଭ ହେବା ମାତ୍ରେ ଅଞ୍ଚଳର ଭଉଣୀମାନେ ଭାଇମାନଙ୍କ ମଙ୍ଗଳ କାମନା କରି ଭାଇ ଜୁଉନ୍ତିଆ କରିଥାନ୍ତି। ମହାନବମୀ ଦିନ ମା’ଙ୍କଠାରେ ନବାନ୍ନ ଲାଗି ହୋଇଥାଏ। ସେହିଦିନ ମା’ଙ୍କଠାରେ ନୂଆ ଚାଉଳରେ ପ୍ରସ୍ତୁତ ଖିରି ଓ କାକରା ଭୋଗ ଲାଗିବା ପରେ ଅଞ୍ଚଳବାସୀ ନୂଆ ଖାଇଥାନ୍ତି। ଷୋଳପୂଜା ଶେଷ ହେବା ପରେ ମା’ ଗ୍ରାମ ପରିକ୍ରମା କରିବା ସହ ଗ୍ରାମବାସୀଙ୍କ ପ୍ରତ୍ୟେକ ଘର ସମ୍ମୁଖରେ ଭୋଗ ଗ୍ରହଣ କରିଥାନ୍ତି ଏହା ପରେ ପୂଜକଙ୍କ ଘରକୁ ଯାଇଥାନ୍ତି। ଆଶ୍ୱିନ ମାସ ପୂର୍ଣ୍ଣିମା ତିଥିରେ ମା’ଙ୍କ ପତ୍ର ଭଷାଣି ଉତ୍ସବ ଅନୁଷ୍ଠିତ ହୋଇଥାଏ। ଗୁପ୍ତପୂଜା ସମୟରେ ପୂଜକ ଉପବାସ କରି ନାରୀଙ୍କଠାରୁ ଦୂରରେ ରହିବା ସହ ନିଷ୍ଠାର ସହ ମା’ଙ୍କ ସମସ୍ତ ନୀତିକାନ୍ତି କରିଥାନ୍ତି।

ଷୋଳପୂଜା ଭଳି ବର୍ଷର ବିଭିନ୍ନ ସମୟରେ ମା’ଙ୍କର ଭିନ୍ନ ଭିନ୍ନ ସ୍ଵତନ୍ତ୍ର ପୂଜା କରାଯାଇଥାଏ। ଦୀପାବଳି ଅମାବାସ୍ୟା ଦିନ ମା’ଙ୍କର ଶ୍ୟାମାକାଳୀ ପୂଜା, ମାଘମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ଦିନ ମା’ଙ୍କର ଉଗ୍ରତାର ପୂଜା, ଚୈତ୍ରମାସ ଶୁକ୍ଳପକ୍ଷ ଅଷ୍ଟମୀଠାରୁ ଦଶମୀ ପର୍ଯ୍ୟନ୍ତ ବାସନ୍ତିକା ଦୁର୍ଗାପୂଜା ବା ଦକ୍ଷିଣକାଳି ପୂଜା, ଭାଦ୍ରବ ମାସ ଅମବାସ୍ୟା ସପ୍ତପୁରୀ ଅମାବାସ୍ୟା, ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ସ୍ୱନକ୍ଷେତ୍ର ପୂଜା, ଭାଦ୍ରବ ମାସ ଚତୁର୍ଦ୍ଦଶୀରେ ମହାସ୍ନାନ ପୂଜା, ଭାଦ୍ରବ ମାସ ଶୁକ୍ଳପକ୍ଷ ଅଷ୍ଟମୀ ଦୁର୍ଗା ସୟନି ପୂଜା ଓ ଭାଦ୍ରବ ମାସ ଶୁକ୍ଳପକ୍ଷ ଏକାଦଶୀ ଦିନ ପାର୍ଶ୍ଵ ପରିବର୍ତ୍ତନ ପୂଜା ଅନୁଷ୍ଠିତ ହୋଇଥାଏ।

Tags: #Boudh #MaaBhairavitemple #durgapuja #Nabaratra #guptapuja #Tradition

LEAVE A REPLY

Please enter your comment!
Please enter your name here