ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବନକଲାଗି ନୀତି। ଏଥିପାଇଁ ୪ ଘଣ୍ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ। ବୁଧବାର ମାର୍ଗଶିର ଶୁକ୍ଳ ଅଷ୍ଟମୀ ତିଥିରେ ଶ୍ରୀଜିଉଙ୍କ ବନକଲାଗି ନୀତି ପାଇଁ ତିଥି ଧାର୍ଯ୍ୟ କରାଯାଇଛି। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ବନକଲାଗି ନୀତି ପାଇଁ ବୁଧବାର ଶ୍ରୀମନ୍ଦିରରେ ଅପରାହ୍ଣ ୪ଟାରୁ ରାତି ୮ଟା ଯାଏଁ ଦର୍ଶନ ବନ୍ଦ ରହିବ। ଏହି ସମୟରେ ଦତ୍ତମହାପାତ୍ର ସେବକମାନେ ମହାପ୍ରଭୁଙ୍କ ବନକଲାଗି ନୀତି କରିବେ। ଏହାପରେ ଦର୍ଶନ ସ୍ଵାଭାବିକ ହେବ।
ବୁଧବାର ଦ୍ଵିତୀୟ ଭୋଗମଣ୍ଡପରେ ଭୋଗ ନୀତି ଶେଷ ହେବାପରେ ଦତ୍ତମହାପାତ୍ର ସେବକମାନେ ବଡ଼ଠାକୁରଙ୍କ ଶ୍ରୀମୁଖ ଶିଙ୍ଗାର କରିବେ। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଏହି ସମୟରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ନାହିଁ ସାଧାରଣ ଭକ୍ତ।
ବନକଲାଗି ନୀତି ପାଇଁ ପହୁଡ଼ ଆଳତି ପରେ ଜୟ-ବିଜୟ ଦ୍ଵାର ବନ୍ଦ କରାଯାଇଥାଏ। ଏହାପରେ ଦତ୍ତମହାପାତ୍ର ସେବକମାନେ ବନକ ପେଡ଼ି ସହ ସିଂହାସନକୁ ଉଠି ବନକଲାଗି କରିଥାନ୍ତି। ବନକଲାଗି ପାଇଁ ୩ ଖଣ୍ଡ ଶ୍ରୀକପଡ଼ା ଏବଂ ହିଙ୍ଗୁଳ, ହରିତାଳ, କସ୍ତୁରୀ, ନାଲି, ଧଳା ଓ କଳା ଆଦି ରଙ୍ଗ ବ୍ୟବହାର କରାଯାଇଥାଏ।
ବନକଲାଗି ସରିବା ପରେ ପୂଜାପଣ୍ଡା ସେବକମାନେ ବଡ଼ଠାକୁରଙ୍କୁ ପଞ୍ଚାମୃତରେ ମହାସ୍ନାନ କରାଇଥାନ୍ତି। ଏହାପରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି ମହାପ୍ରଭୁ।
Tags: #Srimandir #BanakalagiRitual #SriJagannath #Tradition #Culture #Puri