ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତରେ ଲାଗୁ ହେବାକୁଥିବା ନୂଆ ହିଟ୍ ଆଣ୍ଡ ରନ ଆଇନକୁ ବିରୋଧ କରି ବସ୍ ଓ ଟ୍ରକ ଡ୍ରାଇଭରମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ମଧ୍ୟପ୍ରଦେଶ, ଗୁଜୁରାଟ, ମହାରାଷ୍ଟ୍ର, ଛତିଶଗଡ଼, ବିହାର, ଝାଡ଼ଖଣ୍ଡ, ପଞ୍ଜାବ ଭଳି ରାଜ୍ୟରେ ହଜାର ହଜାର ଡ୍ରାଇଭର ଅନିର୍ଦ୍ଦିଷ୍ଟ କାଳ ଯାଏଁ ବସ୍ ଓ ଟ୍ରକ ଚଳାଚଳ ବନ୍ଦ କରିଛନ୍ତି। ସର୍ବଭାରତୀୟ ମୋଟର ଓ ଗୁଡ୍ସ ଟ୍ରାନ୍ସପୋର୍ଟ ଆସୋସିଏସନ ପକ୍ଷରୁ ଏହି ଆନ୍ଦୋଳନ ଆରମ୍ଭ କରାଯାଇଛି।  

ସୋମବାର ବିଭିନ୍ନ ରାଜ୍ୟରେ ଡ୍ରାଇଭରମାନେ ରାସ୍ତାରେ ଟାୟାର ଜାଳି ନୂଆ ହିଟ୍ ଆଣ୍ଡ ରନ ଆଇନକୁ ବିରୋଧ କରିଥିଲେ। ଏହି ଆଇନକୁ ସଂଶୋଧନ କରାଯାଇ ପୁରୁଣା ହିଟ୍ ଆଣ୍ଡ ରନ ଆଇନକୁ ବଳବତ୍ତର ରଖାଯାଉ ବୋଲି ଡ୍ରାଇଭରମାନେ ଦାବି କରିଛନ୍ତି।

କେନ୍ଦ୍ର ସରକାର ଗତ ଶୀତ ଅଧିବେଶନରେ ଆଇପିସିକୁ ପରିବର୍ତ୍ତନ କରି ଆଣିଥିବା ଭାରତୀୟ ନ୍ୟାୟ ସଂହିତାରେ ନୂଆ ହିଟ୍ ଆଣ୍ଡ ରନ ମାମଲାରେ କଠୋର ଦଣ୍ଡବିଧାନ ରହିଛି। ନୂଆ ନିୟମ ଅନୁସାରେ କୌଣସି ଡ୍ରାଇଭର ଦୁର୍ଘଟଣା ଘଟାଇ ଫେରାର ହେଲେ ତାଙ୍କୁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ୍ ଏବଂ ୭ ଲକ୍ଷ ଟଙ୍କା ଯାଏଁ ଜୋରିମାନା ହେବ। ଏହାପୂର୍ବରୁ ଆଇପିସିର ଧାରା ୩୦୪-ଏ ଅନୁଯାୟୀ ଏହି ଦଣ୍ଡ ୨ ବର୍ଷ ପର୍ଯ୍ୟନ୍ତ ଥିଲା। ଏଥିପାଇଁ ନୂଆ ଆଇନକୁ ଡ୍ରାଇଭରମାନେ ବିରୋଧ କରୁଛନ୍ତି।  

ତେବେ ଡ୍ରାଇଭରଙ୍କ ଆନ୍ଦୋଳନର ପ୍ରଭାବ ବିଭିନ୍ନ ରାଜ୍ୟରେ ଦେଖିବାକୁ ମିଳୁଛି। ବସ୍ ଚଳାଚଳ ବନ୍ଦ ହୋଇଥିବାରୁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହିପରି ଟ୍ରକ ଚାଲୁନଥିବାରୁ ବଜାରକୁ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର ପରିବହନ ହୋଇପାରୁ ନାହିଁ।  

ଅନ୍ୟପଟେ ତେଲ ଟ୍ୟାଙ୍କର ଡ୍ରାଇଭରମାନେ ଏହି ଆନ୍ଦୋଳନରେ ସାମିଲ ହୋଇଥିବାରୁ ଦେଶର ବଡ଼ ବଡ଼ ସହରରେ ପେଟ୍ରୋଲ ପମ୍ପଗୁଡ଼ିକୁ ତେଲ ଯୋଗାଣ ବାଧାପ୍ରାପ୍ତ ହୋଇଛି। ଏଥିପାଇଁ ତେଲ ନ ମିଳିବା ଆଶଙ୍କାରେ ପେଟ୍ରୋଲ ପମ୍ପରେ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି।

ତେବେ ଓଡ଼ିଶାରେ ଏହି ଆନ୍ଦୋଳନର ବିଶେଷ ପ୍ରଭାବ ପଡ଼ିନାହିଁ। ରାଜ୍ୟରେ ପୂର୍ବପରି ବସ୍ ଓ ଟ୍ରକ ଚଳାଚଳ କରୁଛି। ହେଲେ ଆଗକୁ ଓଡ଼ିଶାରେ ମଧ୍ୟ ନୂଆ ହିଟ୍ ଆଣ୍ଡ ରନ ଆଇନର ବିରୋଧ ହେବାର ସମ୍ଭବନା ରହିଛି।    

Tags: #NewHitandRunLaw #DriversProtest #PublicTransport #India    

LEAVE A REPLY

Please enter your comment!
Please enter your name here