ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ବିଭିନ୍ନ ଲୋକସଭା ଆସନରେ ମୁଖ୍ୟତଃ ବିଜେପି ପ୍ରାର୍ଥୀମାନେ ଆଗୁଆ ରହିଛନ୍ତି। ସକାଳ ୧୧ଟା ୧୫ ସୁଦ୍ଧା ଭାରତୀୟ ନିର୍ବାଚନ କମିଶନଙ୍କ ୱେବସାଇଟ୍‌ରୁ ମିଳିଥିବା ତଥ୍ୟ ଅନୁଯାୟୀ ଆସନ୍ତୁ ନଜର ପକାଇବା କାହାକୁ କେତେ ଭୋଟ୍ ମିଳିଛି।

ନବରଙ୍ଗପୁର, କଳାହାଣ୍ଡି ଏବଂ ବରଗଡ଼ ଆସନରେ ବିଜେପି ପ୍ରାର୍ଥୀମାନେ ଆଗରେ ରହିଥିବା ବେଳେ କୋରାପୁଟରେ କଂଗ୍ରେସ ଏବଂ କନ୍ଧମାଳରେ ବିଜେଡି ପ୍ରାର୍ଥୀ ଆଗୁଆ ଅଛନ୍ତି।

ନବରଙ୍ଗପୁରରେ କଡ଼ା ଟକ୍କର

ଦକ୍ଷିଣ ଓଡ଼ିଶାର ଚର୍ଚ୍ଚିତ ଆସନ ନବରଙ୍ଗପୁରରେ ୩ ମାଝୀଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳୁଛି। ତେଣୁ ଏହି ଆସନରୁ ହାର ଜିତ୍ ଖୁବ୍ କମ୍ ଭୋଟ ବ୍ୟବଧାନ ହେବ ବୋଲି ଅନୁମାନ କରାଯାଉଛି।

ବିଜେପି ପ୍ରାର୍ଥୀ ବଳଭଦ୍ର ମାଝୀ ସକାଳ ୧୧ଟା ୧୫ ସୁଦ୍ଧା ଆସିକା ତଥ୍ୟ ଅନୁଯାୟୀ ୬୧ ହଜାର ୨୪୭ ଭୋଟ୍ ପାଇଛନ୍ତି। ସେ ବିଜେଡ଼ିର ପ୍ରଦୀପ ମାଝୀଙ୍କଠାରୁ ୫ହଜାରରୁ ଅଧିକ ଭୋଟ୍‌ରେ ଆଗୁଆ ଅଛନ୍ତି।

କଳାହାଣ୍ଡିରେ ବିଜେପିର ମଲିକା ଦେବୀ ଆଗୁଆ

ପଶ୍ଚିମ ଓଡ଼ିଶାର କଳାହାଣ୍ଡି ଏକ ଗୁରୁତ୍ୱପୂର୍ଣ୍ଣ ଆସନ। ଏଠାରେ ବିଜେପିର ମଲିକା ଦେବୀ ବିଜେଡି ପ୍ରାର୍ଥୀଙ୍କଠାରୁ ପ୍ରାୟ ୩୨ ହଜାର ଭୋଟ୍‌ରେ ଆଗୁଆ ଅଛନ୍ତି।

ମଲିକା ଦେବୀଙ୍କୁ ୧ ଲକ୍ଷ ୧୩ ହଜାର ୮୫୭ ଭୋଟ୍ ମିଳିଛି। ସେହିପରି ବିଜେଡ଼ିର ଲମ୍ବୋଦର ନିଆଳଙ୍କୁ ୮୧ ହଜାର ୯୮୧ ଭୋଟ୍‌ ମିଳିଥିବା ବେଳେ କଂଗ୍ରେସର ଦ୍ରୌପଦୀ ମାଝୀ ୫୫ ହଜାର ୧୦୮ ଭୋଟ୍ ପାଇଛନ୍ତି।

ବରଗଡ଼ରେ ଆଗରେ ପ୍ରଦୀପ

ବରଗଡ଼ ଲୋକସଭା ଆସନରେ ମଧ୍ୟ ବିଜେପି ଆଗରେ ରହିଛି। ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ବିଜେଡି ପ୍ରାର୍ଥୀ ପରିଣୀତା ମିଶ୍ରଙ୍କଠାରୁ ୬୧ ହଜାରରୁ ଅଧିକ ଭୋଟ୍‌ରେ ଆଗୁଆ ଅଛନ୍ତି।

ପ୍ରଦୀପଙ୍କୁ ୧୧ଟା ୨୦ ସୁଦ୍ଧା ୧ ଲକ୍ଷ ୭୬ ହଜାର ୧୪୧ ଭୋଟ୍‌ ମିଳିଛି। ସେହିପରି ବିଜେଡ଼ି ପ୍ରାର୍ଥୀଙ୍କୁ ୧ ଲକ୍ଷ ୧୪,୯୧୩ ଏବଂ କଂଗ୍ରେସ ସଞ୍ଜୟ ଭୋଇଙ୍କୁ ୨୮ ହଜାର ୧୭୫ ଭୋଟ୍ ମିଳିଛି।

କନ୍ଧମାଳରେ ଅଚ୍ୟୁତ ସାମନ୍ତ ଆଗରେ

କନ୍ଧମାଳ ଆସନରେ ବିଜେଡ଼ିର ସାଂସଦ ଅଚ୍ୟୁତ ସାମନ୍ତ ଆଗୁଆ ରହିଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ସୁକାନ୍ତ ପାଣିଗ୍ରାହୀଙ୍କଠାରୁ ୫ହଜାରରୁ ଅଧିକ ଭୋଟ୍‌ରେ ଆଗୁଆ ଅଛନ୍ତି।

ଅଚ୍ୟୁତ ସାମନ୍ତଙ୍କୁ ୧ ଲକ୍ଷ ୮ହଜାର ୨୧୫ ଭୋଟ୍ ମିଳିଥିବା ବେଳେ ସୁକାନ୍ତ ପାଣିଗ୍ରାହୀଙ୍କୁ ୧ ଲକ୍ଷ ୨ ହଜାର ୭୬୧ ଭୋଟ୍ ମିଳିଛି। ସେହିପରି କଂଗ୍ରେସର ଅମିର୍ ଚାନ୍ଦ ନାୟକ ୨୨ହଜାର ୧୫ ଭୋଟ୍ ପାଇଛନ୍ତି।

କୋରାପୁଟରେ କଂଗ୍ରେସର ସପ୍ତଗିରି ଆଗୁଆ

କୋରାପୁଟ ଆସନରୁ ବର୍ତ୍ତମାନ ସାଂସଦ ଥିବା କଂଗ୍ରେସର ସପ୍ତଗିରି ଉଲାକା ଆଗରେ ରହିଛନ୍ତି। ସକାଳ ୧୧ଟା ସୁଦ୍ଧା ମିଳିଥିବା ତଥ୍ୟ ଅନୁଯାୟୀ ତାଙ୍କୁ ୪୩ ହଜାର ୮୩୨ ଭୋଟ୍ ମିଳିଛି।

ସପ୍ତଗିରି ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକାଙ୍କଠାରୁ ୧୨ହଜାରରୁ ଅଧିକ ଭୋଟରେ ଆଗୁଆ ଅଛନ୍ତି। କୌଶଲ୍ୟାଙ୍କୁ ୩୧ ହଜାର ୫୭୧ ଭୋଟ୍‌ ମିଳିଛି।

ସେହିପରି ବିଜେପି କୋରାପୁଟରେ ତୃତୀୟ ସ୍ଥାନରେ ରହିଛି। ବିଜେପି ପ୍ରାର୍ଥୀ କାଳିରାମ ମାଝୀ ୧୮ ହଜାର ୩୬୧ ଭୋଟ୍ ପାଇଛନ୍ତି।

#OdishaElections2024 #CountingUpdate #Elections2024 #IndiaVotes #OdishaAssembly2024 #CountingNews #ElectionsResults #ResultsDay #LokSabhaElectionResults #GeneralElectionsResult2024 #OdishaElectionsResult2024

LEAVE A REPLY

Please enter your comment!
Please enter your name here