ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶ୍ଵର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କଙ୍କ ମହାକାଶ କମ୍ପାନି ‘ସ୍ପେସଏକ୍ସ’ ପରିବହନ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆଣିବାକୁ ଯାଉଛି। ବିଶ୍ୱର ଯେ କୌଣସି ବଡ଼ ସହରକୁ ଆପଣ ଯିବାକୁ ଚାହୁଁଥିଲେ ଏକ ଘଣ୍ଟାରୁ କମ ସମୟରେ ପହଞ୍ଚି ପାରିବେ। ଏହି ମହତ୍ୱାକାଂକ୍ଷୀ ଦୃଷ୍ଟିକୋଣ ମଧ୍ୟରେ ରହିଛି ‘ଷ୍ଟାରସିପ୍’। ଷ୍ଟେନଲେସ ଷ୍ଟିଲରେ ନିର୍ମିତ ୨୯୫ ଫୁଟର ସ୍ପେସକ୍ରାଫ୍ଟ ବା ଅନ୍ତରୀକ୍ଷ ଯାନ ଏହି ସ୍ୱପ୍ନକୁ ପୂରଣ କରିବାରେ ସାହାଯ୍ୟ କରିବ।
ଏଲନ ମସ୍କ ଏବେ ଆମେରିକାରେ ଡୋନାଲ୍ଡ ଟ୍ରମ୍ପଙ୍କ ସରକାରରେ ଡିପାର୍ଟମେଣ୍ଟ ଅଫ ଗଭର୍ଣ୍ଣମେଣ୍ଟ ଏଫିସିଏନ୍ସି (ଡୋଜ)ର ଦାୟିତ୍ୱ ଗ୍ରହଣ କରିବେ। ତାଙ୍କ ସହ ଭାରତୀୟ ବଂଶୋଦ୍ଭବ ବିବେକ ରାମାସ୍ୱାମୀ ଏହି ବିଭାଗର ଦାୟିତ୍ୱରେ ରହିବେ। ମସ୍କ କହିଛନ୍ତି ଡୋନାଲ୍ଡ ଟ୍ରମ୍ପ ଦ୍ଵିତୀୟଥର ପାଇଁ ରାଷ୍ଟ୍ରପତି ପଦ ଜିତିବା ପରେ ‘ଷ୍ଟାରସିପ୍’ ରକେଟରେ ପୃଥିବୀର ବିଭିନ୍ନ ସ୍ଥାନକୁ ଖୁବ ଶୀଘ୍ର ଯାତ୍ରା ସମ୍ଭବ ହୋଇପାରିବ।
ପ୍ରାୟ ଏକ ଦଶକ ପୂର୍ବ ସ୍ପେସଏକ୍ସ ଦ୍ୱାରା ପ୍ରଥମେ ‘ଷ୍ଟାରସିପ୍’ର ପରିକଳ୍ପନା କରାଯାଇଥିଲା। ୧ ହଜାର ଯାତ୍ରୀଙ୍କୁ ନେଇ ସବୁଠାରୁ ଶକ୍ତିଶାଳୀ ଷ୍ଟାରସିପ୍ ସ୍ପେସକ୍ରାଫ୍ଟ ଉଡାଣ ଭରି ପାରିବ। ଅନ୍ତରୀକ୍ଷର ଅନ୍ଧକାରମୟ ଶୂନ୍ୟତା ଭିତରକୁ ଯିବା ପରିବର୍ତ୍ତେ ଷ୍ଟାରସିପ୍ ପୃଥିବୀ ପୃଷ୍ଠ ସହ ସମାନ୍ତରାଳ ଭାବେ ଯାତ୍ରା କରି ଗୋଟିଏ ସହରରୁ ଅନ୍ୟ ଏକ ସହରକୁ ଯିବ।
‘ସ୍ପେସଏକ୍ସ’ର ଯୋଜନା ଅନୁସାରେ ଏହି ଷ୍ଟାରସିପ୍ ଯାତ୍ରୀଙ୍କୁ ନେଇ ଲସଏଞ୍ଜେଲସରୁ ବାହାରି ମାତ୍ର ୨୪ ମିନିଟରେ ଟରୋଣ୍ଟୋ ପହଞ୍ଚିବ ପାରିବ। ସେହିପରି ଲଣ୍ଡନରୁ ନ୍ୟୁୟର୍କ ୨୯ ମିନିଟରେ, ଦିଲ୍ଲୀରୁ ସାନଫ୍ରାନସିସ୍କୋ ୪୦ ମିନିଟରେ, ନ୍ୟୁୟର୍କରୁ ସାଂଘାଇ ମାତ୍ର ୩୯ ମିନିଟରେ ପହଞ୍ଚାଇ ଦେବ ଷ୍ଟାରସିପ୍। ତେବେ ଯାତ୍ରୀଙ୍କୁ ଉଡାଣ ଭରିବା ସମୟରେ ଏବଂ ଲାଣ୍ଡିଂ ସମୟରେ ପୃଥିବୀର ମାଧ୍ୟାକର୍ଷଣ ଶକ୍ତିକୁ ସାମ୍ନା କରିବାକୁ ପଡ଼ିବ।
ଜଣେ ବ୍ୟକ୍ତି ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୃଥିବୀର ବିଭିନ୍ନ ସହର ମଧ୍ୟରେ ଯାତ୍ରାକୁ ନେଇ ଏକ କାଳ୍ପନିକ ଭିଡିଓ ପୋଷ୍ଟ କରିଛନ୍ତି। ଏହି ଭିଡିଓକୁ ଦେଖିବା ପରେ ସ୍ପେସଏକ୍ସ ଯୋଜନାକୁ ନେଇ ଚର୍ଚ୍ଚା ଯୋର ଧରିଛି। ଏହି ପୋଷ୍ଟକୁ ଦେଖିବା ପରେ ଅନୁମାନ କରାଯାଉଛି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ଵିତୀୟ କାର୍ଯ୍ୟକାଳରେ ଆମେରିକାର ଫେଡେରାଲ ଆଭିଏସନ ଆଡମିନିଷ୍ଟ୍ରେସନ (ଏଫଏଏ) ଏହି ଯୋଜନାକୁ ମଞ୍ଜୁରୀ ଦେବାର ସମ୍ଭାବନା ରହିଛି। ଏହା ଉପରେ ଏଲନ ମସ୍କ ପ୍ରତିକ୍ରିୟା ଦେଇ କହିଛନ୍ତି ‘ଏହା ଏବେ ସମ୍ଭବ ହେଇଛି।’
Tags: #SpaceX #Starship #Aviation #Travel #USA