ଓଡ଼ିଶାଲାଇଭ୍ ବ୍ୟୁରୋ

ଶୀତଋତୁ ଆସିଲେ ବେଶ୍ ଚଳଚଞ୍ଚଳ ହୋଇଉଠେ ଅନୁଗୁଳ ପର୍ଯ୍ୟଟନର ଅନ୍ୟତମ ଆକର୍ଷଣ ସାତକୋଶିଆ ଅଭୟାରଣ୍ୟ। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଏହି ସ୍ଥାନକୁ ଉପଭୋଗ କରିବା ପାଇଁ କାହିଁ କେତେ ଦୂରରୁ ପର୍ଯ୍ୟଟକମାନେ ଧାଇଁ ଆସିଥାନ୍ତି। ଆପଣ ବି ଯଦି ପ୍ରକୃତି କୋଳରେ କିଛି ସମୟ ବିତେଇବାକୁ ଚାହୁଁଛନ୍ତି ତେବେ ଥରେ ସାତକୋଶିଆ ବୁଲି ଯାଆନ୍ତୁ, ବହୁତ ଭଲ ଲାଗିବ।

କେମିତି ଯିବେ?

ଏହି ଅଭୟାରଣ୍ୟ ଅନୁଗୁଳ ସମେତ ନୟାଗଡ଼, କଟକ ଓ ବୌଦ୍ଧ ଜିଲ୍ଲାର କିଛି ଅଂଶରେ ଅବସ୍ଥିତ। ରାଜଧାନୀ ଭୁବନେଶ୍ୱରଠାରୁ ଏହାର ଦୂରତା ହେଉଛି ୧୩୦ କିଲୋମିଟର। ସେହିପରି ଏହାର ନିକଟତମ ବିମାନ ବନ୍ଦର ହେଉଛି ଭୁବନେଶ୍ୱରର ବିଜୁ ପଟ୍ଟନାୟକ ବିମାନ ବନ୍ଦର। ତେଣୁ ଆପଣ ଯଦି ଓଡ଼ିଶା ବାହାରୁ ବିମାନରେ ଆସିବାକୁ ଚାହୁଁଛନ୍ତି ତେବେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ଟ୍ରେନ୍ କିମ୍ବା ଗାଡ଼ିରେ ସାତକୋଶିଆ ଯାଇପାରିବେ। ନୟାଗଡ଼ ଟାଉନ୍ ରେଳ ଷ୍ଟେସନ ହେଉଛି ଏହାର ନିକଟବର୍ତ୍ତୀ ରେଳ ଷ୍ଟେସନ। ଏଥିସହ ଆପଣ ଭୁବନେଶ୍ୱର ରେଳ ଷ୍ଟେସନରୁ ଅନୁଗୁଳ ପର୍ଯ୍ୟନ୍ତ ଯାଇ ସେଠାରୁ ଗାଡ଼ିରେ ସାତକୋଶିଆ ଯାଇପାରିବେ। ସେହିପରି ଆପଣ ସିଧାସଳଖ ସଡ଼କ ପଥରେ ବସ୍ କିମ୍ବା ଅନ୍ୟ କୌଣସି ଗାଡ଼ିରେ ଏଠାକୁ ବୁଲିବାକୁ ଯାଇପାରିବେ।କଣ ଦେଖିବେ?

ସାତକୋଶିଆ ଗଣ୍ଡ

ସାତକୋଶିଆ ଗଣ୍ଡ ହେଉଛି ଘଡ଼ିଆଳ କୁମ୍ଭୀରମାନଙ୍କ ବାସସ୍ଥାନ। ଏଥିସହ ଏହି ଗଣ୍ଡକୁ ଜୈବ ବିବିଧତାର ଗନ୍ତାଘର ବୋଲି କୁହାଯାଏ। ଏହି ଗଣ୍ଡର ଦୈର୍ଘ୍ୟ ହେଉଛି ସାତ କୋଶ ଅର୍ଥାତ୍ ୨୨ କିଲୋମିଟର। ତେଣୁ ଏହି ଅଞ୍ଚଳକୁ ସାତକୋଶିଆ ବୋଲି ନାମକରଣ କରାଯାଇଛି। ଏହି ଗଣ୍ଡକୁ ଲାଗି ସାତକୋଶିଆ ଅଭୟାରଣ୍ୟ ଅବସ୍ଥିତ।ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ

ସାତକୋଶିଆ ଅଭୟାରଣ୍ୟରେ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ରହିଛି। ଏଠାରେ ଆପଣ ବାଘ ବାଘୁଣୀଙ୍କୁ ଦେଖିବାକୁ ପାଇବେ।

ଘଡ଼ିଆଳ କୁମ୍ଭୀର

ସାତକୋଶିଆର ଅନ୍ୟତମ ମୁଖ୍ୟ ଆକର୍ଷଣ ହେଉଛନ୍ତି ଘଡ଼ିଆଳ କୁମ୍ଭୀର। ଅତ୍ୟଧିକ ଥଣ୍ଡାରୁ ରକ୍ଷା ପାଇବା ପାଇଁ ଏମାନେ ସାତକୋଶିଆ ଗଣ୍ଡର ଦୁଇ କଡ଼ରେ ଜମା ହୋଇଯାଆନ୍ତି। ଏହି ଦୃଶ୍ୟ ଦେଖିବାକୁ ଖୁବ୍ ସୁନ୍ଦର ଲାଗିଥାଏ।ଟିକରପଡ଼ା ବନ୍ୟଜନ୍ତୁ ଅଭୟାରଣ୍ୟ

ସାତକୋଶିଆକୁ ଯିବା ବାଟରେ ଟିକରପଡ଼ା ବନ୍ୟଜନ୍ତୁ ଅଭୟାରଣ୍ୟ ପଡ଼ିଥାଏ। ଏଠାକୁ ମଧ୍ୟ ଆପଣ ବୁଲିବାକୁ ଯାଇପାରିବେ।

ଦେଓଝର ଜଳପ୍ରପାତ

ସାତକୋଶିଆ ବୁଲିବାକୁ ଯାଇଥିଲେ ଦେଓଝର ଜଳପ୍ରପାତ ବୁଲି ଯିବାକୁ ଭୁଲନ୍ତୁ ନାହିଁ। କଟକ ଜିଲ୍ଲା ନରସିଂହପୁର ବ୍ଲକର ତଳାପୁଞ୍ଜି ଗାଁରେ ଥିବା ଏହି ଜଳପ୍ରପାତର ସୌନ୍ଦର୍ଯ୍ୟ ଅତ୍ୟନ୍ତ ମନୋମୁଗ୍ଧକର ହୋଇଥାଏ।ସାତକୋଶିଆ ସ୍ୟାଣ୍ଡ ରିସୋର୍ଟ

ଅନୁଗୁଳର ବଡ଼ମୂଳ ନିକଟରେ ଏହି ସ୍ୟାଣ୍ଡ ରିସୋର୍ଟ ରହିଛି। ମହାନଦୀର ବାଲୁକା ଶଯ୍ୟା ଉପରେ ଏହି ରିସୋର୍ଟ ତିଆରି ହୋଇଛି। ଏଠାରେ ଆପଣ ରହିବା ସହ ଜଙ୍ଗଲ ଟ୍ରେକିଂ, କ୍ୟାମ୍ପ ଫାୟାର, ଲୋକନୃତ୍ୟ, ବୋଟିଂ ଆଦିର ଭରପୂର ମଜା ଉଠାଇପାରିବେ।

ଏହି ସବୁ ସ୍ଥାନ ବ୍ୟତୀତ ଆପଣ ସାତକୋଶିଆରେ ବିରଳ ପ୍ରଜାତିର ବାଦୁଡ଼ି, କଇଁଛ, କୋଚିଲାଖାଇ, ଫିସିଂ ଇଗଲ, ଶାରୀ ଆଦି ବିଭିନ୍ନ ପ୍ରକାର ପଶୁ ପକ୍ଷୀ ଦେଖିବାକୁ ପାଇବେ। ଏହାଛଡ଼ା ପାହାଡ଼ ପର୍ବତ ଘେରା ପ୍ରାକୃତିକ ଶୋଭାରାଜିକୁ ମନଭରି ଉପଭୋଗ କରିପାରିବେ।ସାତକୋଶିଆ ଇକୋ ରିଟ୍ରିଟ୍

ଚଳିତବର୍ଷ ପ୍ରଥମ ଥର ପାଇଁ ସାତକୋଶିଆରେ ଇକୋ ରିଟ୍ରିଟର ଆୟୋଜନ କରାଯାଉଛି। ଡିସେମ୍ବର ୮ ତାରିଖରୁ ବଡ଼ମୂଳ ନିକଟରେ ଇକୋ ରିଟ୍ରିଟ୍ ଆରମ୍ଭ ହେବ। ଏଥିପାଇଁ ବିଳାସପୂର୍ଣ୍ଣ ଟେଣ୍ଟ ପ୍ରସ୍ତୁତ କରାଯାଇଛି। ଏଠାକୁ ଯାଉଥିବା ପର୍ଯ୍ୟଟକମାନେ ଅଭୟାରଣ୍ୟ ଓ ଆଖପାଖରେ ଥିବା ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ବୁଲିବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେଇପାରିବେ।

Comment