ଓଡ଼ିଶାଲାଇଭ୍ ବ୍ୟୁରୋ

ସୁନ୍ଦର ପ୍ରାକୃତିକ ପରିବେଶ, ସୁନ୍ଦର ସଂସ୍କୃତି ଓ ସୁନ୍ଦରତାର ସମାହାର ସୁନ୍ଦରଗଡ଼ ଜିଲ୍ଲା। ଏହି ଜିଲ୍ଲାରେ ରହିଛି ଅନେକ ପର୍ଯ୍ୟଟନସ୍ଥଳୀ ଥିବାବେଳ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ‘ଦେଓଧର’ର ଅପରୂପ ସୌନ୍ଦର୍ଜ୍ୟ।

ସୁନ୍ଦରଗଡ଼ ସଦର ମହକୁମାଠାରୁ ପ୍ରାୟ ୧୪୦ କିଲୋମିଟର ଦୂରରେ ଥିଲେ ମଧ୍ୟ ରାଉରକେଲା ସହରଠାରୁ ନିକଟରେ ରହିଛି ଦେଓଧର ପର୍ଯ୍ୟଟନସ୍ଥଳ। ଏଠାକାର ଘଞ୍ଚ ଜଙ୍ଗଲ ଓ ମନୋରମ ପ୍ରାକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ବେଶ୍ ଆକୃଷ୍ଟ କରେ।

ଏହି ପର୍ଯ୍ୟଟନ ସ୍ଥଳର ଆକର୍ଷଣ

ଦେଓଧରରେ ସୂର୍ଯ୍ୟ ଉଦୟ ଓ ସୂର୍ଯ୍ୟ ଅସ୍ତର ଦୃଶ୍ୟ ସହ ବ୍ରାହ୍ମଣୀ ନଦୀର ଜଳ ରାଶି ଶୋଭା ମଣ୍ଡନ କରିଥାଏ। ନଦୀର ଜଳ ରାଶିରେ ଠାଏ ଠାଏ ପଥର ସହିତ ନଦୀ କୂଳର ବାଲୁକା ରାଶି ଏହି ସ୍ଥଳର ସୌନ୍ଦର୍ଯ୍ୟକୁ ଆହୁରି ଦୁଇ ଗୁଣିତ କରିଥାଏ।

ଶୀତ ଋତୁର ଆଗମନ ସାଙ୍ଗକୁ ଏଠାରେ ପର୍ଯ୍ୟଟକଙ୍କ ଭିଡ ଆରମ୍ଭ ହୋଇଯାଏ। ସବୁଜ ବନାନୀରେ ଭରି ରହିଥିବା ଏହି ପିକନିକ୍ ସ୍ଥଳରେ ପହଞ୍ଚିଲେ ଏଠାକାର ମନୋରମ ପରିବେଶ ଆନନ୍ଦ ଦେଇଥାଏ।

 

ଦେଓଧରରେ ଥିବା ସୁବିଧା

ବୃକ୍ଷରାଜିରେ ଭରପୁର ଦେଓଧରରେ ପର୍ଯ୍ୟଟକମାନଙ୍କ ପାଇଁ ପିକନିକ୍ କରିବାକୁ ବିଭିନ୍ନ ସୁବିଧା ରହିଛି। ଏଠାରେ ପର୍ଯ୍ୟଟକମାନଙ୍କ ପାଇଁ ପିକନିକ୍ କରିବାକୁ ପିଣ୍ଡି ରହିଛି। ନଳକୂପ ବସାଯାଇ ପିଇବା ପାଣିର ବ୍ୟବସ୍ଥା ମଧ୍ୟ କରାଯାଇଛି। ଏଠାରେ ପର୍ଯ୍ୟଟକମାନେ ଗାଧୁଆ ତୁଠରେ ସ୍ନାନ ସହ ବ୍ରାହ୍ମଣୀ ନଦୀରେ ବୋଟିଂର ମଜା ମଧ୍ୟ ଉଠାଇ ପାରିବେ। ସବୁଠାରୁ ବଡ଼ କଥା ହେଲା ଏହି ପର୍ଯ୍ୟଟନସ୍ଥଳୀରେ ଶୌଚାଳୟର ସୁବିଧା ଓ ଗାଡ଼ି ପାର୍କିଂର ବ୍ୟବସ୍ଥା ରହିଛି।

କେମିତି ପହଞ୍ଚିବେ ‘ଦେଓଧର’

ସୁନ୍ଦରଗଡ଼ରୁ ରାଉରକେଲାକୁ ସଂଯୋଗ କରୁଥିବା ୧୪୩ନଂ ଜାତୀୟ ରାଜପଥରୁ ଏଠାକୁ ରାସ୍ତା ରହିଛି। ରାଜଧାନୀ ଭୁବନେଶ୍ୱରରୁ ଟ୍ରେନ କିମ୍ୱା ବସରେ ରାଉରକେଲାରେ ପହଞ୍ଚି ସେଠାରୁ କାର ମାଧ୍ୟମରେ ଏହି ସ୍ଥାନରେ ପହଞ୍ଚିପାରିବେ। ଏହାଛଡା ଏଠାରୁ ନିକଟତମ ବିମାନବନ୍ଦର ହେଉଛି ଝାରସୁଗୁଡ଼ା, ସେଠାରୁ କାର କିମ୍ୱା ବସ୍  ଯୋଗେ ଦେଓଧରରେ ପହଞ୍ଚି ହେବ।

ଦେଓଦରହରେ ଉନ୍ନତିମୂଳକ କାର୍ଯ୍ୟ

ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିବାକୁ ଜିଲ୍ଲା ପର୍ଯ୍ୟଟନ ବିଭାଗ ପକ୍ଷରୁ ଦେଓଧରଠାରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଅନୁଦାନ ପାଣ୍ଠିରେ ଦେଓଧର ପର୍ଯ୍ୟଟନସ୍ଥଳୀର ବିକାଶ କରାଯାଇଛି। ଓଡ଼ିଶା ପର୍ଯ୍ୟଟନ ବିଭାଗର ପର୍ଯ୍ୟଟନ ମାନଚିତ୍ରରେ ଦେଓଧରକୁ ସ୍ଥାନ ମିଳିଛି। ଆଗକୁ ଏଠାରେ ଇକୋ-ରିଟ୍ରିଟ୍‌ର ବ୍ୟବସ୍ଥା ମଧ୍ୟ କରାଯିବ।

Tags: #Deodharpicnicspot #Odishatourism #Sundargarh #Odisha

Comment