ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ପର୍ଯ୍ୟଟନ ଶିଳ୍ପକୁ ଆଗକୁ ନେବା ପାଇଁ ଭୁବନେଶ୍ୱରଠାରେ ଚାଲିଥିବା ଓଡ଼ିଶା ଟୁରିଜିମ୍‌ କନ୍‌କ୍ଲେଭ୍‌-୨୦୨୩ ଉଦଯାପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ତଥା ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ଅଶ୍ଵିନୀ କୁମାର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପର୍ଯ୍ୟଟନ କ୍ଷେତ୍ରଗୁଡ଼ିକର ସମନ୍ୱିତ ବିକାଶ ଉପରେ ଗୁରୁତ୍ୱ ଦେଇଥିଲେ।

‘‘ଦେଶ ବିଦେଶର ପର୍ଯ୍ୟଟକମାନଙ୍କୁ ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ର ଆକର୍ଷିତ କରୁଛି। ବିଶେଷକରି ବେଳାଭୂମି, ଅଭୟାରଣ୍ୟ, ଜଳପ୍ରପାତ ଏବଂ ଆଦିବାସୀ ପରମ୍ପରା ପ୍ରମୁଖ ଆକର୍ଷଣର କେନ୍ଦ୍ର ପାଲଟିଛି। ଏସବୁ କ୍ଷେତ୍ରର ବ୍ୟାପକ ବିକାଶ ପାଇଁ ପର୍ଯ୍ୟଟନ ବିଭାଗ ସବୁ ଅଂଶୀଦାରଙ୍କୁ ସାଙ୍ଗରେ ନେଇ କାର୍ଯ୍ୟ କରୁଛି”, କହିଛନ୍ତି ମନ୍ତ୍ରୀ ଅଶ୍ଵିନୀ କୁମାର ପାତ୍ର।

ସେ ଆହୁରି କହିଛନ୍ତି ଯେ, “ରାଜ୍ୟ ସରକାର ଏବେ ‘ୱାଟର ସ୍ପୋର୍ଟସ୍‌’ ଉପରେ ବିଶେଷ ଗୁରୁତ୍ୱ ଦେଉଛନ୍ତି। ଏନେଇ ଓଡ଼ିଶାର ତାମ୍ପରା, ଚିଲିକା ଓ ଅଂଶୁପା ଆଦି ହ୍ରଦରେ ଭିତ୍ତିଭୂମିର ବିକାଶ କରାଯାଉଛି। ଏହା ଫଳରେ ଭାରତର ପର୍ଯ୍ୟଟନ ମାନଚିତ୍ର ଓଡ଼ିଶା ସ୍ୱତନ୍ତ୍ର ପରିଚୟ ପାଇ ପାରିଛି। ପର୍ଯ୍ୟଟନ କ୍ଷେତ୍ରଗୁଡ଼ିକର ବିକାଶ କରାଯାଇ ସ୍ଥାନୀୟ ଲୋକମାନଙ୍କୁ କିପରି ରୋଜଗାର ମିଳିପାରିବ ତା’ ଉପରେ ବିଶେଷ ଧ୍ୟାନ ଦିଆଯାଉଛି।”

ଭୁବନେଶ୍ୱରର ହୋଟେଲ ସ୍ୱସ୍ତି ପ୍ରିମିୟମଠାରେ ‘ଓଡ଼ିଶା ଟୁରିଜିମ୍‌ କନକ୍ଲେଭ’ର ପଞ୍ଚମ ସଂସ୍କରଣ ଆୟୋଜନ କରାଯାଇଥିଲା। ୨ଟି ପର୍ଯ୍ୟାୟରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ୫ଟି ଟେକ୍ନିକାଲ ସେସନ ଓ ଗୋଟିଏ ଇଣ୍ଟରଆକ୍ଟିଭ୍ ସେସନ ଅନୁଷ୍ଠିତ ହୋଇଥିଲା।

ଗୁରୁବାର ଦିନ ସାରା ଚାଲିଥିବା ଏହି କାର୍ଯ୍ୟକ୍ରମରେ ରାଜ୍ୟ ତଥା ରାଜ୍ୟ ବାହାରର ହୋଟେଲିୟ, ଟୁର୍ ଅପରେଟର୍, କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ବରିଷ୍ଠ ଅଧିକାରୀ, ପର୍ଯ୍ୟଟନ ତଥା ଏୟାରଲାଇନ୍ସ କ୍ଷେତ୍ର ସହ ଜଡ଼ିତ ବିଭିନ୍ନ ବ୍ୟକ୍ତି ଏବଂ ବୁଦ୍ଧିଜୀବୀମାନେ ଯୋଗ ଦେଇଥିଲେ। ଓଡ଼ିଶାର ପର୍ଯ୍ୟଟନ ଶିଳ୍ପ ସହ ଇକୋ ଟୁରିଜିମ ଏବଂ ହସ୍ପିଟାଲିଟି ଆଦି କ୍ଷେତ୍ରର ବିକାଶ ଉପରେ ମାନସ ମନ୍ଥନ ହୋଇଥିଲା।

ଓଡ଼ିଶା ଟୁରିଜିମ୍‌ କନ୍‌କ୍ଲେଭର ପଞ୍ଚମ ସଂସ୍କରଣରେ ରାଜ୍ୟ ତଥା ରାଜ୍ୟ ବାହାରର ହୋଟେଲ ମାଲିକ, ଟୁର୍ ଅପରେଟର୍, କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କର ବରିଷ୍ଠ ଅଧିକାରୀ, ପର୍ଯ୍ୟଟନ ତଥା ଏୟାରଲାଇନ୍ସ କ୍ଷେତ୍ର ସହ ଜଡ଼ିତ ବିଭିନ୍ନ ବ୍ୟକ୍ତି ଏବଂ ବୁଦ୍ଧିଜୀବୀମାନେ ଯୋଗ ଦେଇଥିଲେ। ଏଠାରେ ଓଡ଼ିଶାରେ ପର୍ଯ୍ୟଟନ ଶିଳ୍ପର ବିକାଶ ତଥା ଭିତ୍ତିଭୂମି ଉନ୍ନୟନ ସମ୍ପର୍କରେ ଆଲୋଚନା କରଯାଇଥିଲା।

“ଓଡ଼ିଶା ଆଜି ପର୍ଯ୍ୟଟନ କ୍ଷେତ୍ରରେ ଆଗକୁ ଯାଉଛି। ହକି ବିଶ୍ଵକପ ଭଳି ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ଆୟୋଜନ ଓଡ଼ିଶାକୁ ସାରା ବିଶ୍ୱରେ ଏକ ନୂଆ ପରିଚୟ ଦେଇଛି। ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ଓଡ଼ିଶାର ବିଭିନ୍ନ ପଦକ୍ଷେପକୁ ଆଜି ଅନ୍ୟ ରାଜ୍ୟମାନେ ଅନୁକରଣ କରୁଛନ୍ତି”, କହିଛନ୍ତି ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ।

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ଅଧ୍ୟକ୍ଷ ଲେନିନ ମହାନ୍ତି କହିଥିଲେ, “ଓଡ଼ିଶାର ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ପାଇଁ ବିଭିନ୍ନ ଅଂଶୀଦାର ମତାମତ ଅନେକ ଗୁରୁତ୍ଵପୂର୍ଣ୍ଣ। ଆଜିର ଏହି କନକ୍ଲେଭରେ ଆସିଥିବା ମତାମତକୁ ଆମେ ସରକାରଙ୍କ ପାଖରେ ପହଞ୍ଚାଇବୁ।

ସେ ଆହୁରି କହିଥିଲେ ଯେ, ରାଜ୍ୟରେ ଏବେ ହେରିଟେଜ ଟୁରିଜିମର ବିକାଶ ପାଇଁ ସରକାର  କାର୍ଯ୍ୟ କରୁଛନ୍ତି। ପର୍ଯ୍ୟଟନ କ୍ଷେତ୍ର ସହ ଜଡ଼ିତ ସବୁ ଅଂଶୀଦାର ଯଦି ମିଳିମିଶି କାର୍ଯ୍ୟ କରିବେ ଆମ ରାଜ୍ୟର ପର୍ଯ୍ୟଟନ ଆହୁରି ଆଗକୁ ଯିବ।’’

ଏହି କାର୍ଯ୍ୟକ୍ରମରେ ଆଇଟିଓର ଉପସଭାପତି ରବି ଗୋସାଇଁ ଯୋଗ ଦେଇଥିଲେ। ହୋଟେଲ ଆଣ୍ଡ ରେସ୍ତୋରାଁ ଆସୋସିଏସନ ଅଫ ଓଡ଼ିଶାର (ଏଚଆରଏଓ) ଅଧ୍ୟକ୍ଷ ତଥା ସ୍ୱସ୍ତି ଗ୍ରୁପର ସିଏମଡି ଜିତେନ୍ଦ୍ର କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଅଗ୍ରଣୀ ଡିଜିଟାଲ ମିଡିଆ ଚ୍ୟାନେଲ ଓଡ଼ିଶାଲାଇଭ୍ ଡିଜିଟାଲ ମିଡିଆ ପାର୍ଟନର ରହିଥିଲା।

Tags: #HRAO #OdishaTourismConclave2023 #OdishaTourism #Hotel&RestaurantAssociation

Comment