ଓଡ଼ିଶାଲାଇଭ୍ ବ୍ୟୁରୋ

ପର୍ଯ୍ୟଟନ କ୍ଷେତ୍ରରେ ଟେକ୍ନୋଲୋଜିର ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା

  • ଭୁବନେଶ୍ଵରରେ ପ୍ରଥମ ‘ଟେକ୍ ଇନ ଟୁରିଜିମ’ କନକ୍ଲେଭ ଅନୁଷ୍ଠିତ
  • ପର୍ଯ୍ୟଟନ କ୍ଷେତ୍ରରେ ଟେକ୍ନୋଲୋଜିର ବ୍ୟବହାରକୁ ନେଇ ଚର୍ଚ୍ଚା
  • ସାମିଲ ହେଲେ ବିଶିଷ୍ଟବ୍ୟକ୍ତି, ଉଦ୍ୟୋଗପତି, ହୋଟେଲ ଓ ପର୍ଯ୍ୟଟନ ଶିଳ୍ପ ସହ ଜଡ଼ିତ ବ୍ୟକ୍ତି

ଓଡ଼ିଶାରେ ପ୍ରଥମଥର ପାଇଁ ଅନୁଷ୍ଠିତ ହୋଇଛି ‘ଟେକ୍ ଇନ ଟୁରିଜିମ’ କନକ୍ଲେଭ। ଟ୍ରାଭେଲ ଟେକ କମ୍ପାନି ‘ରେଟରୋଡ’ ପକ୍ଷରୁ ଭୁବନେଶ୍ଵରସ୍ଥିତ ଆରସିଏମ କଲେଜରେ ଏହି ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

ଉଦଘାଟନୀ ଅବସରରେ ରାଜ୍ୟ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ପ୍ରମୁଖ ସଚିବ ମନୋଜ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେହିପରି ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି)ର ଅଧ୍ୟକ୍ଷ ଡକ୍ଟର ଲେନିନ ମହାନ୍ତି, ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, କ୍ରାଉନ୍ ହୋଟେଲ ନିର୍ଦେଶକ ଦେବାଶିଷ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ। ପର୍ଯ୍ୟଟନ କ୍ଷେତ୍ରରେ ଟେକ୍ନୋଲୋଜିର ଉପଯୁକ୍ତ ବ୍ୟବହାର କିପରି ହୋଇପାରିବ ସେ ବିଷୟରେ କାର୍ଯ୍ୟକ୍ରମରେ ବିଭିନ୍ନ ବକ୍ତା ନିଜର ମତ ପ୍ରକାଶ କରିଥିଲେ।“ପର୍ଯ୍ୟଟନ ଏବଂ ଟେକ୍ନୋଲୋଜି ପରସ୍ପର ସହ ଜଡ଼ିତ। ହୋଟେଲ ବୁକିଂ ଠାରୁ ଆରମ୍ଭ କରି ହସ୍ପିଟାଲିଟି ଯାଏଁ ସବୁକିଛିରେ ଟେକ୍ନୋଲୋଜିର ବ୍ୟବହାର ହେଉଛି। ତେଣୁ ଟେକ୍ନୋଲୋଜିର ବ୍ୟବହାର ବଢ଼ିଲେ ପର୍ଯ୍ୟଟନଶିଳ୍ପର ବିକାଶ ଘଟିବ”, କହିଛନ୍ତି ମନୋଜ କୁମାର ମିଶ୍ର।

“ଦିନ ଥିଲା ଓଡ଼ିଶାର ପର୍ଯ୍ୟଟନ କହିଲେ ପୁରୀ ଶ୍ରୀମନ୍ଦିର, କୋଣାର୍କ, ଧଉଳି ଭଳି କିଛି ହାତଗଣତି ସ୍ଥାନକୁ ଲୋକେ ଜାଣୁଥିଲେ। କିନ୍ତୁ ବର୍ତ୍ତମାନ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ସହ କଟକ ପ୍ରସିଦ୍ଧ ଦହିବରା, ପୁରୀ ସମୁଦ୍ରକୂଳ ଝାଲମୁଢ଼ି ସଂପର୍କରେ ବି ପର୍ଯ୍ୟଟକମାନେ ଜାଣିପାରୁଛନ୍ତି। ତାହା କେବଳ ଟେକ୍ନୋଲୋଜି ଦ୍ୱାରା ସମ୍ଭବ ହୋଇପାରିଛି”, କହିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ।

“ଓଡ଼ିଶାରେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ଅନେକ ସୁଯୋଗ ରହିଛି। ଟେକ୍ନୋଲୋଜିର ଉତ୍ତମ ବ୍ୟବହାର ହେଲେ ଓଡ଼ିଶାର ପର୍ଯ୍ୟଟନ ଏକ ନୂଆ ସ୍ତରକୁ ଯିବ। ଏହି ଟେକ୍ ଇନ ଟୁରିଜିମ କାର୍ଯ୍ୟକ୍ରମ ରାଜ୍ୟର ପର୍ଯ୍ୟଟନ ବିକାଶରେ ଅନେକ ମାତ୍ରାରେ ଉପଯୋଗୀ ହୋଇପାରିବ”, କହିଛନ୍ତି ରେଟରୋଡ କମ୍ପାନିର ପ୍ରତିଷ୍ଠାତା ପ୍ରଭାତ କୁମାର ପଣ୍ଡା।ପର୍ଯ୍ୟଟନରେ ଟେକ୍ନୋଲୋଜିର ବ୍ୟବହାର ପାଇଁ ସଚେତନତା, ଓଡ଼ିଶାରେ ପର୍ଯ୍ୟଟନର ସମ୍ଭାବନା, ପର୍ଯ୍ୟଟନ ବିକାଶ ପାଇଁ ନୂଆ ଆବିଷ୍କାର, ସ୍ମାର୍ଟ ଟୁରିଜିମ, ସାଇବର୍ ସିକ୍ୟୁରିଟି ପ୍ରମୁଖ ବିଷୟ ଉପରେ ପ୍ୟାନେଲ ଆଲୋଚନା ହୋଇଥିଲା।

ଉଦ୍ୟୋଗପତି, ହୋଟେଲ ଓ ପର୍ଯ୍ୟଟନଶିଳ୍ପ ସହ ଜଡ଼ିତ ବିଭିନ୍ନ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଓଡ଼ିଶାର ଅଗ୍ରଣୀ ଡିଜିଟାଲ୍‍ ମିଡିଆ ପ୍ଲାଟ୍‍ଫର୍ମ ‘ଓଡ଼ିଶାଲାଇଭ୍’ ଏହି ‘ଟେକ୍ ଇନ ଟୁରିଜିମ’ କାର୍ଯ୍ୟକ୍ରମର କମ୍ୟୁନିକେସନ ପାର୍ଟନର ରହିଥିଲା।

Tags: #Odisha #OdishaTourism #TechinTourismConclave #TourismDevelopment #TravelTech #RetRod #OTDC

Comment