ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ପର୍ଯ୍ୟଟନ ଶିଳ୍ପର ବିକାଶ ଲକ୍ଷ୍ୟରେ ଭୁବନେଶ୍ଵରରେ ଆରମ୍ଭ ହୋଇଛି ଓଡ଼ିଶା ଟୁରିଜିମ୍‌ କନ୍‌କ୍ଲେଭ୍‌-୨୦୨୩। ହୋଟେଲ ଆଣ୍ଡ ରେସ୍ତୋରାଁ ଆସୋସିଏସନ ଅଫ ଓଡ଼ିଶା(ଏଚଆରଏଓ) ପକ୍ଷରୁ ଆୟୋଜିତ ହେଉଛି ଏହି କନକ୍ଲେଭ। ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରର ପ୍ରଚାର ପ୍ରସାର କରିବା ଲକ୍ଷ୍ୟରେ ଏଠାରେ ଅନୁଷ୍ଠିତ ହୋଇଛି ସ୍ଵତନ୍ତ୍ର ଟେକ୍ନିକାଲ ସେସନ। ଓଡ଼ିଶାଲାଇଭର ପ୍ରତିଷ୍ଠାତା,ସମ୍ପାଦକ ତଥା ସିଇଓ ନୀଳାମ୍ବର ରଥ ଏହି ସେସନକୁ ପରିଚାଳନା କରିଛନ୍ତି।

‘ମାର୍କେଟିଂ ଡେଷ୍ଟିନେସନ ଓଡ଼ିଶା’ ବିଷୟବସ୍ତୁକୁ ନେଇ ହୋଇଥିବା ଏହି ସେସନରେ ଓଡ଼ିଶାର ପର୍ଯ୍ୟଟନ ଶିଳ୍ପର ଉନ୍ନତି ତଥା ଓଡ଼ିଶାକୁ ଅଧିକ ପର୍ଯ୍ୟଟକଙ୍କ ଧ୍ୟାନ ଆକର୍ଷଣ କରିବା ସମ୍ବନ୍ଧରେ ଆଲୋଚନା କରାଯାଇଛି। ଏଠାରେ ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରରେ ଥିବା ବିଭିନ୍ନ ସମସ୍ୟା ଏବଂ ସେଗୁଡ଼ିକର ସମାଧାନ ସମ୍ପର୍କରେ ଚର୍ଚ୍ଚା ହୋଇଛି।

“ପର୍ଯ୍ୟଟନ କ୍ଷେତ୍ରରେ ଓଡ଼ିଶାର ଏକ ସ୍ଵତନ୍ତ୍ର ପରିଚୟ ରହିଛି। ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ, ସାଂସ୍କୃତିକ ବୈଭବ ଓ ଆଦିବାସୀ ପରମ୍ପରା ପର୍ଯ୍ୟଟନ ଶିଳ୍ପରେ ବିଶେଷ ଯୋଗଦାନ କରେ। ଏବେ କ୍ରୀଡ଼ା ମଧ୍ୟ ଓଡ଼ିଶାର ପର୍ଯ୍ୟଟନରେ ଏକ ମୁଖ୍ୟ ଭୂମିକା ବହନ କରୁଛି। ଏବେ ପର୍ଯ୍ୟଟନ କ୍ଷେତ୍ରରେ ଯେଉଁ ସବୁ ସମସ୍ୟା ରହିଛି ତାକୁ ଠିକ ଭାବେ ସମାଧାନ କରାଗଲେ ଓଡ଼ିଶାର ପର୍ଯ୍ୟଟନ ଆହୁରି ଆଗକୁ ଯିବ”, କହିଛନ୍ତି ନୀଳାମ୍ବର ରଥ।

ସେ ଆହୁରି ମଧ୍ୟ କହିଛନ୍ତି, “ଆମେ ଓଡ଼ିଶାର ପର୍ଯ୍ୟଟନକୁ ଏକ ବ୍ରାଣ୍ଡ ରୂପେ ଗଢ଼ି ବିଶ୍ଵ ପର୍ଯ୍ୟଟନ ବଜାରରେ ଭଲ ଭାବେ ପ୍ରଚାରପ୍ରସାର କରାଇ ପାରିଲେ ରାଜ୍ୟକୁ ଅଧିକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିପରିବା। ଆଜିର ସମୟରେ ନୂଆ ନୂଆ ଟେକ୍ନୋଲୋଜି ଏହି ଦିଗରେ ବହୁଳ ଭାବେ ସହାୟକ ହେବ।”

ଏହି ଟେକ୍ନିକାଲ ସେସନରେ ଯୋଗ ଦେଇଥିବା ଅତିଥିମାନେ ଓଡ଼ିଶାରେ ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ନିଆ ଯିବାକୁଥିବା ପଦକ୍ଷେପ ସମ୍ପର୍କରେ କହିଥିଲେ। ଏଠାରେ ଉପସ୍ଥିତ ଥିବା ଦର୍ଶକମାନେ ପର୍ଯ୍ୟଟନର ବିଭିନ୍ନ ଦିଗ ଉପରେ ଅତିଥିମାନଙ୍କୁ ପ୍ରଶ୍ନ ପଚାରିଥିଲେ।

ଏହି ସେସନରେ ବୁକିଂଜିନିର ସିଇଓ ଶିବାଶିଷ ମିଶ୍ର, ପିଓର ଓଡ଼ିଶାର ପ୍ରତିଷ୍ଠାତା ପ୍ରଫେସର ଆଶୁତୋଷ କର, ପିଏନଭି ଫାଉଣ୍ଡେସନର ସହ ପ୍ରତିଷ୍ଠାତା ସାନୁ ରଥ, ଆଇଡିଏସ ନେକ୍ସ୍ଟର ସେଲ୍ସ ଉପସଭାପତି ମନୋଜ କୁମାର ମହାନ୍ତି, ‘ଏୟାରପେ’ର ଉପସଭାପତି ରାହୁଲ ଜୈନ ପ୍ରମୁଖ ଯୋଗ ଦେଇଥିଲେ।

ଓଡ଼ିଶାର ଅଗ୍ରଣୀ ଡିଜିଟାଲ ମିଡିଆ ଓଡ଼ିଶାଲାଇଭ୍ ଏହି କନକ୍ଲେଭର ଡିଜିଟାଲ ମିଡିଆ ପାର୍ଟନର ରହିଛି।

Tags: #HRAO #OdishaTourismConclave2023 #OdishaTourism #Bhubaneswar # #Hotel&RestaurantAssociation

Comment