ଓଡ଼ିଶାଲାଇଭ୍‌ ବ୍ୟୁରୋ

ଉଦ୍‌ଯାପିତ ହୋଇଛି କୋଣାର୍କ ଉତ୍ସବ-୨୦୧୮। ଶେଷ ସନ୍ଧ୍ୟାରେ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଛି ଓଡ଼ିଶୀ ଏବଂ କଥକ।

କୋଣାର୍କ ମୁକ୍ତାକାଶ ମଞ୍ଚରେ ପାଞ୍ଚ ଦିନ ଧରି ଚାଲିଥିବା କୋଣାର୍କ ଉତ୍ସବ-୨୦୧୮ ବୁଧବାର ସନ୍ଧ୍ୟାରେ ଉଦଯାପିତ ହୋଇଛି। ଏହି ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ।

“ମୋ ରାଜ୍ୟ ଓଡ଼ିଶା ସତ୍ୟ, ସ୍ନେହଁ, କରୁଣାର ରାଜ୍ୟ। ଓଡ଼ିଶାର କୋଣ ଅନୁକୋଣରେ ସୌନ୍ଦର୍ଯ୍ୟ ଭରି ରହିଛି। ଏହାର ସ୍ପଷ୍ଟ ନିଦର୍ଶନ ହେଉଛି କୋଣାର୍କ। କୋଣାର୍କକୁ ଦେଖିଲେ ଲାଗୁଛି ସତେ ଯେମିତି ଜଣେ ଋଷି ଦେହରେ ବିଭୂତି ଲଗାଇ ବସିଛନ୍ତି। କୋଣାର୍କ ବିଶ୍ୱ ଦରବାରରେ ଓଡ଼ିଶାକୁ ପ୍ରତିଷ୍ଠିତ କରାଇ ପାରିଛି। କୋଣାର୍କ ଉତ୍ସବରେ ମୁଁ ଅତିଥି ହୋଇଥିବାରୁ ନିଜକୁ ଗୌରବାନ୍ୱିତ ମନେକରୁଛି”, କହିଛନ୍ତି ରାଜ୍ୟପାଳ।

ଅନ୍ୟମାନଙ୍କ ମଧ୍ୟରେ ପର୍ଯ୍ୟଟନ ସଚିବ ବିଶାଲ ଦେବ, ପୁରୀ ଜିଲ୍ଲାପାଳ ଜ୍ୟୋତି ପ୍ରକାଶ ଦାସ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।

ପ୍ରଥମ ଚରଣରେ ପରିବେଷଣ କରାଯାଇଥିଲା କଥକ। ଏହାକୁ ପରିବେଷଣ କରିଥିଲେ କୁମୁଦିନୀ ଲାଖିଆ ଏବଂ ସାଥୀ। ପରେ କଥକ ଶୈଳୀରେ ଉପସ୍ଥାପିତ ହୋଇଥିଲା ଧମାର। ବୋଲ୍ ଅନ୍ତର୍ଗତ ତିହାଇ ଓ ଟୁକୁଡ଼ାର ବିବିଧତାକୁ ପଦଚାଳନାରେ ପ୍ରଦର୍ଶନ କରିଥିଲେ ଶିଳ୍ପୀ।

ମୀରାବାଇ ଭଜନ ଆଧାରରେ ପ୍ରସ୍ତୁତ ହୋଇଥିଲା କୃଷ୍ଣ-ଭକ୍ତିର ମାର୍ମିକ ଉପସ୍ଥାପନା ‘ବରଷେ ବଦରିୟା ସାୱନ୍ କି’। କଥକ ଶୈଳୀରେ ଗମନ ଓ ତାର କମନୀୟତାକୁ ନେଇ ପରିବେଷିତ ହୋଇଥିଲା ଗତି। ତାଳ ଓ ଛନ୍ଦର ମିଶ୍ର ରାଗକୁ ନେଇ ଦଳଗତ ପରିବେଷଣ ଆକର ଓ ଶେଷରେ ତରାନ୍ନାକୁ ଭେଟି ଦେଇଥିଲେ ଅହମ୍ମଦାବାଦର କଥକ ଅନୁଷ୍ଠାନ କଦମ୍ବର ନୃତ୍ୟଶିଳ୍ପୀ।

ଦ୍ୱିତୀୟ ପର୍ଯ୍ୟାୟରେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ ପଦ୍ମଶ୍ରୀ ରଞ୍ଜନ ଗୌହର ଓ ସାଥୀ। ସୁରେଶ ସେଠୀଙ୍କ ସଙ୍ଗୀତ ସଂଯୋଜନା, ଗୁରୁ ପ୍ରଫୁଲ ମଙ୍ଗରାଜଙ୍କ ତାଳବାଦ୍ୟ ରଚନା ଓ ରଞ୍ଜନା ଗୌହରଙ୍କ ନୃତ୍ୟ ସଂଯୋଜନାରେ ଉପସ୍ଥାପିତ ହୋଇଥିଲା ନୃତ୍ୟ ନାଟିକା ମତ୍ସ୍ୟ ଅବତାର।

ଅଧ୍ୟାପକ ଡକ୍ଟର ମୃତ୍ୟୁଞ୍ଜୟ ରଥ ଓ ଡକ୍ଟର ସାଧନା ଶ୍ରୀବାସ୍ତବ ମଞ୍ଚ ପରିଚାଳନା କରିଥିଲେ।

ପରିଚାଳନାରେ ସହଯୋଗ କରିଥିଲେ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶିକା ଅର୍ଚ୍ଚନା ପଟ୍ଟନାୟକ, ଯୁଗ୍ମ ସଚିବ ଶୁଭ୍ରା ମହାନ୍ତି, ଯୁଗ୍ମ ନିର୍ଦ୍ଦେଶକ ଉତ୍ପଳ ପତି, ସହ ନିର୍ଦ୍ଦେଶକ ବିଜୟ କୁମାର ଜେନା, କୋଣାର୍କ ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନ, ପର୍ଯ୍ୟଟନ ଅଧିକାରୀ ଡକ୍ଟର ରତିକାନ୍ତ ପଟ୍ଟନାୟକ, ଡକ୍ଟର ସୁନିଲ କୁମାର ପଟ୍ଟନାୟକ, ଓଡ଼ିଶୀ ଗଗେଷଣା କେନ୍ଦ୍ରର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଡକ୍ଟର ସଙ୍ଗୀତା ଗୋସାଇଁ, ସଙ୍ଗୀତ ନାଟକ ଏକାଡେମୀ ସଚିବ ଡକ୍ଟର ବିଜୟ କୁମାର ଜେନା।

ଏହି ଅବସରରେ ଆନ୍ତର୍ଜାତିକ ବାଲୁକା କଳା ପ୍ରଦର୍ଶନୀରେ ଅଂଶଗ୍ରହଣ କରିଥିବା ସମସ୍ତ ଶିଳ୍ପୀ ଓ ଶ୍ରେଷ୍ଠ ବାଲୁକା କଳାକୁ ସମ୍ବର୍ଦ୍ଧିତ କରାଯାଇଥିଲା।

କୋଣାର୍କ ଉତ୍ସବରେ ଖ୍ୟାତନାମା ନୃତ୍ୟ ସମୀକ୍ଷକ ଡକ୍ଟର ସୁନିଲ କୋଠାର, ଡକ୍ଟର ଲୀଲା ଭେଙ୍କଟ ରମଣ ଓ ତପତି ଚୌଧୁରୀ ଯୋଗଦେଇ ଶାସ୍ତ୍ରୀୟ ନୃତ୍ୟର ସମୀକ୍ଷା କରିଥିଲେ।

ଓଡ଼ିଶା ପର୍ଯ୍ୟଟନ ବିଭାଗ ଏବଂ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ମିଳିତ ଆନୁକୂଲ୍ୟରେ କୋଣାର୍କ ଉତ୍ସବ ଅନୁଷ୍ଠିତ ହୋଇଥିଲା।

Comment