ଓଡ଼ିଶାଲାଇଭ୍ ବ୍ୟୁରୋ

ଦୀର୍ଘ ୧୨୦ ବର୍ଷ ବାଲି ଆଧାରରେ ଠିଆ ହୋଇଥିବା କୋଣାର୍କ ସୂର୍ଯ୍ୟମନ୍ଦିର ବାଲିମୁକ୍ତ ହେବ। ଏଥିପାଇଁ ପୂଜାର୍ଚ୍ଚନା ସହ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ(ଏଏସଆଇ) ପକ୍ଷରୁ ଆରମ୍ଭ ହୋଇଛି ପ୍ରକ୍ରିୟା। 

ସାରା ବିଶ୍ୱକୁ ଐତିହ୍ୟ ଓ ସ୍ଥାପତ୍ୟ କୀର୍ତ୍ତିରାଜିର ଝଲକ ଦେଖାଇ ଆସୁଥିବା ଏହି ୮୦୦ ବର୍ଷ ପୁରୁଣା କୋଣାର୍କ ସୂର୍ଯ୍ୟ ମନ୍ଦିରର ସ୍ଥାୟିତ୍ୱ ଉପରେ ବିପଦ ସୃଷ୍ଟି ହୋଇଛି। ୧୨୦  ବର୍ଷ ଧରି ବାଲିର ଆଧାର ଉପରେ ଠିଆ ହୋଇଛି ଏହି ମନ୍ଦିରର ଜଗମୋହନ। ଆଉ ଏହି ବାଲି ଏବେ ୧୨ ଫୁଟ ପର୍ଯ୍ୟନ୍ତ ଦବି ଯାଇଥିବା ଆଶଙ୍କା କରାଯାଉଛି। ବାଲି କାଢ଼ି ସ୍ଥାପତ୍ୟକୁ ସୁରକ୍ଷିତ ରଖିବା ପାଇଁ ଅନ୍ୟ ଉପାୟ ଅବଲମ୍ବନ କରିବାକୁ ଚାହୁଁଛି ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ (ଏଏସଆଇ)।

ଅନେକଙ୍କ ମନରେ ଧାରଣା ରହିଛି ଯେ, କୋଣାର୍କ ମନ୍ଦିର ଭିତରୁ ବାଲି କଢ଼ାଯିବା ପରେ ଏଠାରେ ପୂଜାର୍ଚ୍ଚନା କରାଯାଇପାରିବ। ତେବେ ଏପରି କିଛି ଘଟିବ ନାହିଁ ବୋଲି ଏଏସଆଇ ସୁପରିଟେଣ୍ଡେଣ୍ଟ ଅରୁଣ ମଲ୍ଲିକ ସୂଚନା ଦେଇଛନ୍ତି। କେବଳ ମନ୍ଦିରର ସୁରକ୍ଷା ଦୃଷ୍ଟରୁ ଏପରି ପଦକ୍ଷେପ ନିଆଯାଇଥିବା ସେ କହିଛନ୍ତି। ବାଲି ପରିବର୍ତ୍ତେ ଷ୍ଟିଲରେ ପ୍ରସ୍ତୁତ ଭାରା ଦ୍ୱାରା ଜଗମୋହନ ସୁରକ୍ଷା କରାଯିବ ବୋଲି ସେ କହିଛନ୍ତି। ସେହିପରି ମନ୍ଦିରର ଦ୍ୱାର ପୂର୍ବପରି ବନ୍ଦ ରହିବ। ଭିତରକୁ ପ୍ରବେଶ ପାଇଁ ପର୍ଯ୍ୟଟକଙ୍କୁ କୌଣସି ଅନୁମତି ମିଳିବ ନାହିଁ।

ବାଲି ଭର୍ତ୍ତି କଲେ ଜଗମୋହନର ସୁରକ୍ଷା ଦୀର୍ଘସ୍ଥାୟୀ ହେବ ନାହିଁ ବୋଲି ବିଶେଷଜ୍ଞମାନେ ମତ ଦେବା ପରେ ବାଲି କାଢ଼ିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଅନ୍ୟପଟେ ଜଗମୋହନରୁ ବାଲି କାଢ଼ିବା ମଧ୍ୟ ଏବେ ସହଜ ନୁହେଁ। ଏପରକି ଏହି ବିଶ୍ୱପ୍ରସିଦ୍ଧ କଳା ସ୍ଥାପତ୍ୟର କ୍ଷତି ଘଟିବା ଆଶଙ୍କା ମଧ୍ୟ ରହିଛି।

ବାଲିକଢ଼ା କାମ ୩ ବର୍ଷରେ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଉନ୍ନତ ବୈଷୟିକ ଜ୍ଞାନ କୌଶଳ ପ୍ରୟୋଗ କରି ବାଲି କଢ଼ାଯିବ। ବୈଷୟିକ ଜ୍ଞାନ କୌଶଳ ଯୋଗାଇବାକୁ ଘରୋଇ କମ୍ପାନିକୁ ଟେଣ୍ଡର ଦିଆଯାଇଛି। ବିଡିଆର ପ୍ରାଇଭେଟ ଲିମିଟେଡ କମ୍ପାନିକୁ ଏହି ଟେଣ୍ଡର ମିଳିଛି।

ଏହି ଘରୋଇ କମ୍ପାନି ଦ୍ୱାରା ପ୍ରଦତ୍ତ ବୈଷୟିକ ଜ୍ଞାନକୌଶଳକୁ ଉପେଯାଗ କରି ବାଲି ବାହାର କରିବା କାର୍ଯ୍ୟରେ ଏଏସଆଇର କର୍ମଚାରୀମାନେ ନିୟୋଜିତ ହେବେ। ବୈଷୟିକ ଜ୍ଞାନ କୌଶଳ ଲାଗି ଘରୋଇ କମ୍ପାନିର କାର୍ଯ୍ୟ ଆରମ୍ଭ ହୋଇଛି। ତେବେ ଶୁକ୍ରବାର ଦିନ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂର୍ଯ୍ୟମନ୍ଦିରର ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏହି ସମୟରେ ସେ ଏଏସଆଇ ଓ ବିଡ଼ିଆର କମ୍ପାନିର ଅଧିକାରୀଙ୍କ ସହିତ ଆଲୋଚନା କାରିଛନ୍ତି।

ପ୍ରାଥମିକ ପର୍ଯ୍ୟାୟରେ ୱାର୍କିଂ ପ୍ଲାଟଫର୍ମ ନିର୍ମାଣ ଆରମ୍ଭ ହୋଇଛି। ଗର୍ଭଗୃହ ସଂଲଗ୍ନ ପଶ୍ଚିମ ଦ୍ୱାର ଦେଇ ଗର୍ତ୍ତ କରି ବାଲି କଢ଼ାଯିବ। ୫ରୁ ୭ ଫୁଟର ଗାତ ଖୋଲି ବାଲି କଢ଼ାଯିବ। ତେବେ ବ୍ଲାକପାଗୋଡ଼ାକୁ ବାଲିମୁକ୍ତ କରିବା ପାଇଁ ୩ବର୍ଷ ସମୟ ଲାଗିବ।

କୋଣାର୍କର ସଂରକ୍ଷଣ ତଥା ୧୧୩ ଫୁଟ ଉଚ୍ଚ ଜଗମୋହନର ସୁରକ୍ଷା ପାଇଁ ୧୯୦୩ ମସିହାରେ ବାଲି ଭର୍ତ୍ତି କରିଥିଲେ ତକ୍ରାଳୀନ ବ୍ରିଟିଶ ସରକାର। ୨୦୧୩ ମସିହାରେ ସେଣ୍ଟ୍ରାଲ ବିଲ୍ଡିଂ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ (ସିବିଆରଆଇ)ପକ୍ଷରୁ ଏ ନେଇ ଗବେଷଣା କରାଯାଇଥିଲା। ଆଭ୍ୟନ୍ତର ସ୍ଥଳର ଏଣ୍ଡୋସ୍କୋପି ପରେ ଶୀର୍ଷରୁ ୧୨ ଫୁଟ ପର୍ଯ୍ୟନ୍ତ ବାଲି ଦବି ଯାଇଥିବା ସିବିଆରଆଇ ପକ୍ଷରୁ କୁହାଯାଇଥିଲା।

ବାଲି ଦବିବା ଫଳରେ ସମଗ୍ର ଢ଼ାଞ୍ଚା ଉପରେ ଚାପ ସୃଷ୍ଟି କରୁଛି। ଜଗମୋହନରୁ ଅନେକ ପଥର ଖସି ଯାଇଥିବାରୁ କୋଣାର୍କ ପ୍ରତି ଥିବା ବିପଦକୁ ଆହୁରି ବଢ଼ାଇ ଦେଇଛି। ବିଶେଷଜ୍ଞଙ୍କ ମତରେ କୋଣାର୍କର ସୁରକ୍ଷା ପାଇଁ ଦୁଇଟି ବିକଳ୍ପ ରହିଛି। ବାଲି କାଢ଼ି ନୂଆ ଉପାୟରେ ଜଗମୋହନକୁ ସୁରକ୍ଷିତ ରଖିବା ପ୍ରଥମ ବିକଳ୍ପ ଏବଂ  ଖାଲି ସ୍ଥାନରେ ବାଲି ଭର୍ତ୍ତି କରିବା ଓ ଖସିଥିବା ପଥର ବଦଳରେ ନୂଆ ପଥର ଲଗାଇବା ଦ୍ଵିତୀୟ

 

ବିକଳ୍ପ ବୋଲି ଏଏସଆଇ ପକ୍ଷରୁ ସୂଚନା ଦିଆଯାଇଛି।

କୋଣାର୍କ ସୁରକ୍ଷା ସମତି ପକ୍ଷରୁ ୨୦୧୦ ମସିହାରୁ ଏନେଇ ଦାବି ହୋଇଆସୁଥିବାବେଳେ ବାଲି କାମିବା ପ୍ରକିୟାକୁ ସାର୍ବଜନିକ କରିବା ପାଇଁ ବିଭିନ୍ନ ମହଳରେ ଦାବି ହୋଇଆସୁଛି। ଏହା ପୂର୍ବରୁ ୨୦୧୮ ମସିହାରେ ମଧ୍ୟ ସମାନ ବିଷୟ ଉପରେ ଆଲୋଚନା ହୋଇଥିଲା।

ଇତିହାସ ଅନୁସାରେ ୧୨୩୮ଠାରୁ ୧୨୬୪ଖ୍ରୀ.ଅ ମଧ୍ୟରେ ପୁରୀ ଜିଲ୍ଲା ଚନ୍ଦ୍ରଭାଗା ନଦୀ ଓ ବଙ୍ଗୋପସାଗରର ସଙ୍ଗମ ସ୍ଥଳରେ କୋଣାର୍କ ମନ୍ଦିର ଗଢିଉଠିଥିଲା। ଲାଙ୍ଗୁଳା ନରସିଂହଦେବଙ୍କ ଦ୍ୱାରା ସୂର୍ଯ୍ୟଙ୍କ ଉପାସନା ପାଇଁ କୋଣାର୍କ ମନ୍ଦିର ନିର୍ମାଣ କରାଯାଇଥିଲା। ମନ୍ଦିରଟି କଳିଙ୍ଗ ସ୍ଥାପତ୍ୟ ନିୟମ ଅନୁଯାୟୀ ନିର୍ମାଣ କରାଯାଇଛି। ରାଜା ଲାଙ୍ଗୁଳା ନରସିଂହଦେବ ରାଜତ୍ୱ କାଳରେ ୧୨୦୦ ଶ୍ରେଷ୍ଠ କାରିଗରଙ୍କ ଦ୍ୱାରା ମନ୍ଦିରର କାମ ଆରମ୍ଭ ହୋଇଥିଲା। ସେ ଯୁଗରେ ଏହା ଏକ ପୋତାଶ୍ରୟୀ ବନ୍ଦର ଥିଲା। ପୂର୍ବରୁ ଏହାର ନାମ ଥିଲା କୋଣଗର।

ମନ୍ଦିରଟି ଏକ ରଥ ଆକୃତିର ହୋଇଥିବାବେଳେ ୮୫୭ ଫୁଟ୍  ଦୀର୍ଘ ଓ ୫୪୦ଫୁଟ୍ ପ୍ରଶସ୍ତ ବେଢା ରହିଛି। ୧୩ ଫୁଟ୍ ଉଚ୍ଚ ପଥର ଚଟାଣ ଉପରେ ରଥ ରୂପରେ ବିମାନ ଓ ଜଗମୋହନ ଗଢ଼ାଯାଇଛି। ସେଥିରେ ସାତଟି ପଥର ଘୋଡ଼ା ଯୋଖା ଯାଇଛି। ଏହି ରଥାକୃତି ମନ୍ଦିରରେ  ୨୪ଟି ଚକ ମଧ୍ୟ ରହିଛି।

Tags: #Konark #ASI #CBRI #PURI #TourismDeprtment #OdishaTourism #SunTemple

Comment