ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ଦକ୍ଷତା ବିକାଶ ପ୍ରାଧୀକରଣ (ଓଏସଡିଏ) ସହଯୋଗିତାରେ ଓୟୋ ରୁମ୍ସ (ଓୱାଇଓ) ପକ୍ଷରୁ ରାଜ୍ୟରେ ପ୍ରଥମ ‘ହୋମ୍ ଷ୍ଟେ’ ହୋଟେଲ ସେବା ଆରମ୍ଭ ହୋଇଛି। ଐତିହ୍ୟ ସହର ପୁରୀରେ ଏହି ସେବାକୁ କ୍ରୀଡ଼ା ଓ ଯୁବସେବା ବିଭାଗର ମନ୍ତ୍ରୀ ତୁଷାରକାନ୍ତି ବେହେରା ଉଦଘାଟନ କରିଛନ୍ତି।

ପୁରୀ ସହରର ସାରଦା ଦେବୀ ରୋଡରେ ଓୟୋ ସୁଶିଳା ନିବାସରେ ‘ହୋମ୍ ଷ୍ଟେ’ ସେବା ଖୋଲିଛି। ପୁରୀକୁ ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକମାନେ ଏଠାରେ ସୁବିଧାରେ ରହିପାରିବେ। ଆଗାମୀ ଦିନରେ ଓୟୋ ପକ୍ଷରୁ ପୁରୀ, କୋଣାର୍କ ଭଳି ରାଜ୍ୟର ପ୍ରମୁଖ ପର୍ଯ୍ୟଟନ ସ୍ଥଳରେ ୫୦ଟି ହୋମ୍ ଷ୍ଟେ ସେବା ଖୋଲିବାକୁ ଯାଉଛି।

ନିକଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ନୂଆ ଓଡ଼ିଶା ବିଶ୍ୱ ଅଭିବୃଦ୍ଧି ଓ ନିଯୁକ୍ତି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ଓଏସଡିଏ ଏବଂ ଓୟୋ ଭିତରେ ଏକ ବୁଝାମଣା ସ୍ୱାକ୍ଷର ହୋଇଥିଲା। ଏହି ବୁଝାମଣା ଅନୁଯାୟୀ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧୀକରଣ ବିଭିନ୍ନ ‘ହୋମ୍ ଷ୍ଟେ’ ପାଇଁ ଦକ୍ଷ ମାନବ ସମ୍ବଳ ଯୋଗାଇ ଦେବ।

‘‘ପୁରୀ ହେଉଛି ଶ୍ରୀ ଜଗନ୍ନାଥଙ୍କ ଧାମ। ଏଠାରେ ପ୍ରତିଦିନ ବହୁ ଭକ୍ତ ଓ ପର୍ଯ୍ୟଟକଙ୍କ ସମାଗମ ହୋଇଥାଏ। ଓଏସଡିଏ ସହଯୋଗକ୍ରମେ ଓୟୋ ପକ୍ଷରୁ ଆରମ୍ଭ ହୋଇଥିବା ଏହି ହୋମ୍ ଷ୍ଟେ ସେବା ପର୍ଯ୍ୟଟକମାନଙ୍କ ପାଇଁ ବିଶେଷ ସୁବିଧାଜନକ ହେବ। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନରେ ଓଡ଼ିଶାର ଯୁବପିଢ଼ିଙ୍କ ଦକ୍ଷତା ବିକାଶ ଲାଗି ଯେଉଁ କାର୍ଯ୍ୟକ୍ରମ କରାଯାଉଛି ସେଥିରେ ତାଲିମପ୍ରାପ୍ତ ଯୁବକ ଯୁବତୀମାନେ ଏହି ‘ହୋମ୍ ଷ୍ଟେ’ରେ ନିଯୁକ୍ତି ପାଇପାରିବେ। ଏହା ସ୍ଥାନୀୟ ଲୋକଙ୍କ ପାଇଁ ମଧ୍ୟ ଜୀବିକାର ମାଧ୍ୟମ ହେବ’’, ଏହି ଅବସରରେ କହିଛନ୍ତି କ୍ରୀଡ଼ା ଓ ଯୁବସେବା ବିଭାଗର ମନ୍ତ୍ରୀ ତୁଷାରକାନ୍ତି ବେହେରା।

‘‘ଶ୍ରୀକ୍ଷେତ୍ର ପୁରୀରେ ଶୁଭାରମ୍ଭ ହୋଇଥିବା ଓୟୋର ଏହି ହୋମ୍ ଷ୍ଟେ ସେବା ବେଶ୍ ସଫଳ ହେବ ବୋଲି ମୁଁ ଆଶା କରୁଛି। ଏହା ସମସ୍ତଙ୍କ ପାଇଁ ଲାଭଜନକ ହେବା ସହ ଓଡ଼ିଶାରେ ତାଲିମପ୍ରାପ୍ତ ଯୁବକ ଯୁବତୀଙ୍କ ଲାଗି ନିଯୁକ୍ତିର ବିଶେଷ ସମ୍ଭାବନା ହୋଇପାରିବ। ପ୍ରଥମ ହୋମ୍ ଷ୍ଟେ ଲାଗି ଆଗେଇ ଆସିଥିବା ସୁଶିଳା ନିବାସର ମାଲିକ ଓ ତାଙ୍କ ପରିବାରକୁ ମୁଁ ଅଭିନନ୍ଦନ ଜଣାଉଛି’’, କହିଛନ୍ତି ଓଡ଼ିଶା ଦକ୍ଷତା ବିକାଶ ପ୍ରାଧୀକରଣର ଅଧ୍ୟକ୍ଷା ଅଳକା ମିଶ୍ର।

ପର୍ଯ୍ୟଟକମାନେ ଗୋଟିଏ ନୂତନ ସ୍ଥାନକୁ ଗଲେ ସାଧାରଣତଃ ହୋଟେଲରେ ରୁମ୍ ନେଇ  ରହିଥାନ୍ତି। କିନ୍ତୁ ହୋମ୍ ଷ୍ଟେ ହେଉଛି ଏକ ଆଧୁନିକ ହୋଟେଲ ସେବା, ଯେଉଁଠି ଜଣେ ଗ୍ରାହକ କିଛିଦିନ ପାଇଁ ଗୋଟିଏ ସମ୍ପୂର୍ଣ୍ଣ ଘରକୁ ଭଡ଼ାରେ ନେଇ ରହିପାରିବେ। ସେଠାରେ ନିଜ ଘର ଭଳି ଆସବାବ, ରୋଷେଇ ଉପକରଣ ଏବଂ ସମସ୍ତ ପ୍ରକାର ବ୍ୟବହାର୍ଯ୍ୟ ଜିନିଷ ପ୍ରସ୍ତୁତ ହୋଇ ରହିଥାଏ। ଆଜିର ଦିନରେ ଅନେକ ପର୍ଯ୍ୟଟକ ପରିବାରଙ୍କ ସହ ହୋଟେଲରେ ନରହି ଏଭଳି ହୋମ୍ ଷ୍ଟେ ସେବାକୁ ପସନ୍ଦ କରୁଛନ୍ତି। ତେଣୁ ଆଗାମୀ ଦିନରେ ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନ ସ୍ଥାନରେ ଓୟୋ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୫୦ଟି ହୋମ୍ ଷ୍ଟେ ଆରମ୍ଭ କରିବାକୁ ଯୋଜନା ରହିଛି ବୋଲି କମ୍ପାନିର ଷ୍ଟ୍ରାଟେଜିକ୍ ଆଲିଆନ୍ସ ମୁଖ୍ୟ ନିତିନ ଠାକୁର ପୁରୀଠାରେ ସୂଚନା ଦେଇଛନ୍ତି।

‘‘ପୁରୀରେ ପର୍ଯ୍ୟଟକଙ୍କ ସୁବିଧା ପାଇଁ ପ୍ରଥମ ହୋମ୍ ଷ୍ଟେ ଖୋଲିଥିବାରୁ ଜଣେ ଓଡ଼ିଆ ଭାବେ ମୁଁ ଗର୍ବ କରୁଛି। ଏହା କେବଳ ବ୍ୟବସାୟ ଉଦ୍ଦେଶ୍ୟରେ ଖୋଲା ଯାଇନାହିଁ। ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକ ଓ ଭକ୍ତମାନେ ଯେପରି ଉନ୍ନତ ମାନର ସେବା ପାଇବା ସହ ନୂଆ ଅନୁଭୂତି ନେଇ ଫେରିବେ ସେଥିପାଇଁ ଆମେ ପ୍ରତିଶ୍ରୁତିବଦ୍ଧ। ତା’ସହ ସ୍ଥାନୀୟ ଲୋକମାନଙ୍କ ପାଇଁ ଏହା କିପରି ରୋଜଗାରର ମାଧ୍ୟମ ହୋଇପାରିବ ତା’ ଉପରେ ମଧ୍ୟ ଗୁରୁତ୍ୱ ଦେଉଛୁ’’, ପ୍ରେସ୍ ବାର୍ତ୍ତା ଜରିଆରେ ଏହା କହିଛନ୍ତି ଓୟୋ ରୁମ୍ସର ପ୍ରତିଷ୍ଠାତା ରିତେଶ ଅଗ୍ରୱାଲ।   

ଏହି କାର୍ଯ୍ୟକ୍ରମରେ ବିଶ୍ୱ ଦକ୍ଷତା କେନ୍ଦ୍ରର ସିଓଓ ପିନାକୀ ପଟ୍ଟନାୟକ, ଓୟୋର ଅନ୍ୟ ବରିଷ୍ଠ ଅଧିକାରୀ ଏବଂ ସୁଶିଳା ନିବାସର ମାଲିକ ଓ ପରିବାରବର୍ଗ ଉପସ୍ଥିତ ଥିଲେ।

Tags: #OYOHomestay #Puri #Tourism #HotelIndustry #OYORooms #OSDA #Odisha

LEAVE A REPLY

Please enter your comment!
Please enter your name here