ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ତଦାରଖ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଛି। ଶନିବାର ଅପରାହ୍ଣରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ହୋଇଥିବା ଏହି ବୈଠକରେ କମିଟିର ଅଧ୍ୟକ୍ଷ ତଥା ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ଅରଜିତ ପଶାୟତ ଅଧ୍ୟକ୍ଷତା କରିଥିଲେ। ଏଠାରେ ରତ୍ନଭଣ୍ଡାରର ସ୍ଥିତି, ମରାମତି ଏବଂ ଏଥିରେ ଥିବା ମହାପ୍ରଭୁଙ୍କ ଅଳଙ୍କାରର ତାଲିକା ପ୍ରସ୍ତୁତି ନେଇ ସମୀକ୍ଷା କରାଯାଇଥିଲା।

ଏହି ବୈଠକରେ ରତ୍ନଭଣ୍ଡାର ଯାଞ୍ଚକୁ ନେଇ ଗଠିତ କମିଟିର ସମସ୍ତ ସଦସ୍ୟ ଯୋଗ ଦେଇଥିଲେ। ବୈଠକରେ ନିଷ୍ପତ୍ତି ଅନୁଯାୟୀ ପ୍ରଥମେ ୧୯୭୮ ମସିହାର ରତ୍ନଭଣ୍ଡାର ଅଳଙ୍କାର ତାଲିକା ଅନୁଧ୍ୟାନ କରାଯିବ। ଏହାପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ତେବେ ରଥଯାତ୍ରା ସମୟରେ ରତ୍ନ ଅଳଙ୍କାର ଗଣତି ପାଇଁ ପ୍ରକୃଷ୍ଟ ସମୟ ବୋଲି ଅଧ୍ୟକ୍ଷ ଅରଜିତ ପଶାୟତ ଏଠାରେ ମତ ରଖିଥିଲେ।

“ରତ୍ନଭଣ୍ଡାର ଯାଞ୍ଚ ପୂର୍ବରୁ ଆମେ ପ୍ରଥମେ ୧୯୭୮ ମସିହାର ରତ୍ନଭଣ୍ଡାର ଅଳଙ୍କାର ତାଲିକା ଅନୁଧ୍ୟାନ କରିବୁ। ତାଲିକା ଅନୁସାରେ କେତେ ଅଳଙ୍କାର ରହିଛି, କେତେ ଅଳଙ୍କାର ନାହିଁ କିମ୍ବା କେତେ ଅଧିକ ଅଳଙ୍କାର ରତ୍ନଭଣ୍ଡାରରେ ରଖାଯାଇଛି ତାହାର ସମ୍ପୂର୍ଣ୍ଣ ଯାଞ୍ଚ ହେବ”, କହିଛନ୍ତି ଜଷ୍ଟିସ୍ ଅରଜିତ ପଶାୟତ।

ସେ ଆହୁରି ମଧ୍ୟ କହିଛନ୍ତି, “ତେବେ ରଥଯାତ୍ରା ବେଳେ ଶ୍ରୀମନ୍ଦିରରେ ଚତୁର୍ଦ୍ଧାବିଗ୍ରହ ନଥିବା ସମୟରେ ରତ୍ନ ଅଳଙ୍କାର ଗଣତି ପାଇଁ ଉପଯୁକ୍ତ ସମୟ ରହିଛି। ତେବେ ଏହାକୁ ନେଇ ଅଲୋଚନା କରାଯିବ। ଏହାସହ ପ୍ରାଥମିକ ପର୍ଯ୍ୟାୟରେ ରତ୍ନଭଣ୍ଡାର ଭିତରକୁ ଅତ୍ୟାଧୁନିକ କ୍ୟାମେରା ପଠାଯାଇ ଅଳଙ୍କାର ଯାଞ୍ଚ ହୋଇପାରିବ କି ନାହିଁ ସେ ନେଇ ମଧ୍ୟ ତର୍ଜମା କରାଯିବ।”

ଜଷ୍ଟିସ ଅରଜିତ ପଶାୟତଙ୍କ ସୂଚନା ଅନୁସାରେ ସ୍ଵାଧିନତା ପୂର୍ବରୁ ବ୍ରିଟିଶ ସରକାର ସମୟରେ ୧୯୨୬ ମସିହାରେ ରତ୍ନଭଣ୍ଡାର ଅଳଙ୍କାର ଗଣତି ହୋଇଥିଲା। ଶେଷ ଥର ପାଇଁ ୧୯୭୮ ମସିହାରେ ରତ୍ନ ଅଳଙ୍କାର ଗଣତି କରାଯାଇ ତାଲିକା ପ୍ରସ୍ତୁତ କରାଯାଇଥିଲା।

ରତ୍ନଭଣ୍ଡାର ସୁରକ୍ଷା ମାମଲାରେ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ରାଜ୍ୟ ସରକାର ଉଚ୍ଚସ୍ତରୀୟ କମିଟି ଗଠନ କରିଥିଲେ। ଜଷ୍ଟିସ୍ ଅରିଜିତ ପଶାୟତଙ୍କୁ କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଥିବାବେଳେ ଏଥିରେ ୧୨ ଜଣ ସଦସ୍ୟ ରହିଛନ୍ତି।  

Tags: #SriMandir #Ratnabhandar #HighlevelCommittee #GovtofOdisha #Puri

Comment