ଓଡ଼ିଶାଲାଇଭ୍ ବ୍ୟୁରୋ

ବେଳାଭୂମି ପର୍ଯ୍ୟଟନର ବିକାଶ କ୍ଷେତ୍ରରେ ଆଉ ଏକ ବଡ଼ ପଦକ୍ଷେପ।

ବିଶ୍ୱସ୍ତରୀୟ ପର୍ଯ୍ୟଟନ କେନ୍ଦ୍ର ହେବ ଚନ୍ଦ୍ରଭାଗା ଓ ତଳସାରୀ ବେଳାଭୂମି। ରାଜ୍ୟରେ ବେଳାଭୂମି ପର୍ଯ୍ୟଟନକୁ ଆଗକୁ ନେବାକୁ ଯାଇ ଏଭଳି ଏକ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଏହି ଘୋଷଣା ମୁତାବକ ରାଜ୍ୟ ସରକାର ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭର ଚନ୍ଦ୍ରଭାଗା ବେଳାଭୂମି ଏବଂ ବାଲେଶ୍ୱରର ତଳସାରୀ-ଉଦୟପୁର ବେଳାଭୂମିର ବିକାଶ କାମ କରିବେ। ଏହାକୁ ଅନ୍ତର୍ଜାତୀୟ ପର୍ଯ୍ୟଟନ କେନ୍ଦ୍ର ଭାବେ ବିକଶିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମଙ୍ଗଳବାର ଏକ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ନେଇଛନ୍ତି।ଚନ୍ଦ୍ରଭାଗାରେ ୧ କିଲୋମିଟର ବ୍ୟାପି ଅଞ୍ଚଳରେ ବେଳାଭୂମିର ବିକାଶ କାମ ହେବ। ଏଥିରେ ଜଳକ୍ରୀଡ଼ା ସହିତ ଆମୋଦପ୍ରମୋଦ, ଚଲାପଥ, ସାଇକେଲ୍ ଟ୍ରାକ୍, ମୁକ୍ତ ରଙ୍ଗମଞ୍ଚ, ଛୋଟ ପିଲାଙ୍କ ପାଇଁ ଖେଳ ଅଞ୍ଚଳ, ଦୁଃସାହସିକ କ୍ରୀଡ଼ା ଭଳି ସୁବିଧା ରହିବ। ଏହାବ୍ୟତୀତ ଆଧୁନିକ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା, ବାଲି ସୁରକ୍ଷା ବ୍ୟବସ୍ଥା, ସୌର ଆଲୋକ ସୁବିଧା ମଧ୍ୟ ପର୍ଯ୍ୟଟକମାନେ ପାଇପାରିବେ। ଏହି କାର୍ଯ୍ୟ ଆଗାମୀ ଏକ ବର୍ଷ ଭିତରେ ଶେଷ ହେବ ବୋଲି ଲକ୍ଷ୍ୟ ଧାର୍ଯ୍ୟ ହୋଇଛି।

ଅନ୍ୟପଟେ ବାଲେଶ୍ୱର ତଳସାରୀ ବେଳାଭୂମିରେ ପର୍ଯ୍ୟଟକମାନେ ଏକାଧିକ ଦିନ ରହିପାରିବେ। ଏଥିପାଇଁ ସେଠାରେ ପାଖାପାଖି ଅଢ଼େଇ କିଲୋମିଟର ଅଞ୍ଚଳର ବିକାଶ କାମ ହେବ। ସେଠାରେ ତାରକା ହୋଟେଲ ନିର୍ମାଣ ସହିତ ପର୍ଯ୍ୟଟକଙ୍କ ପାଇଁ ଆଶ୍ରୟସ୍ଥଳ, ରେସ୍ତୋରାଁ ଆଦି ସୁବିଧା ରହିବ। ପର୍ଯ୍ୟଟକମାନଙ୍କୁ ଓଡ଼ିଶାର କଳା, ସଂସ୍କୃତି ସହ ପରିଚିତ କରିବାକୁ ଏକ ଆର୍ଟ ଓ କ୍ରାଫ୍ଟ ପ୍ଲାଜା ମଧ୍ୟ ନିର୍ମାଣ କରାଯିବ ବୋଲି ସୂଚନା ମିଳିଛି।

ପର୍ଯ୍ୟଟକମାନଙ୍କ ସୁରକ୍ଷାକୁ ମଧ୍ୟ ଏଥିରେ ଦୃଷ୍ଟି ଦିଆଯିବ। ଏଥିପାଇଁ ବେଳାଭୂମିରେ ଲାଇଫ୍ ଗାର୍ଡ ଓ ସୁରକ୍ଷା ବ୍ୟବସ୍ଥା ତଦାରଖ କରାଯିବ। ଏହି ସବୁ ପ୍ରକଳ୍ପକୁ ନିର୍ଦ୍ଧାରିତ ସମୟରେ ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ମଙ୍ଗଳବାର ନିଷ୍ପତ୍ତି ଦେଇଛନ୍ତି।

Comment