ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ହେଉଛି ପବିତ୍ର ମାଘ ସପ୍ତମୀ। ମାଘ ସପ୍ତମୀ ପାଇଁ ଚଳଚଞ୍ଚଳ ହୋଇଉଠିଛି ଅର୍କକ୍ଷେତ୍ର କୋଣାର୍କ। ଚନ୍ଦ୍ରଭାଗାରେ ବୁଡ଼ ପକାଇ ପୂଣ୍ୟ ଅର୍ଜନ କରିଛନ୍ତି ଲକ୍ଷାଧିକ ଭକ୍ତ। ବଡ଼ି ଭୋରରୁ ତିନି ଠାକୁରଙ୍କ ମହାସ୍ନାନ ସହ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହୋଇଥିଲା। ମାଘ ସପ୍ତମୀରେ ଚନ୍ଦ୍ରଭାଗାରେ ବୁଡ଼ ପକାଇବାକୁ ହଜାର ହଜାର ଭକ୍ତ ଶୁକ୍ରବାରଠାରୁ ପହଞ୍ଚିଥିଲେ କୋଣାର୍କରେ।

ଶନିବାର ଭୋର ୪ଟା ୪୧ ମିନିଟରୁ ଭକ୍ତମାନେ ତୀର୍ଥ ପୁଷ୍କରିଣୀରେ ବୁଡ଼ ପକାଇଥିଲେ। କୋଭିଡ ମହାମାରୀ ପରେ ଚନ୍ଦ୍ରଭାଗାରେ ବୁଡ଼ ପକାଇବାକୁ ଲକ୍ଷାଧିକ ଭକ୍ତ ସମାଗମ ହୋଇଥିବାରୁ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ିକ କରାଯାଇଛି।

ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ତୀର୍ଥ ପୁଷ୍କରିଣୀ ଖନନ କରାଯାଇଛି। ଭକ୍ତଙ୍କ ସୁବିଧା ନିମନ୍ତେ  ଶୌଚାଳୟ ନିର୍ମାଣ ସହ ଗାଡ଼ି ପାର୍କିଂ ପାଇଁ ସୁବନ୍ଦୋବସ୍ତ କରାଯାଇଛି। ଆଇନଶୃଙ୍ଖଳା ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ପୋଲିସ ନିୟୋଜିତ ହୋଇଛନ୍ତି।

ଦେଶର ବିଭିନ୍ନ ଅଞ୍ଚଳରୁ ଆସିଥିବା ସାଧୁ ସନ୍ଥମାନେ ମଧ୍ୟ ଚନ୍ଦ୍ରଭାଗାରେ ବୁଡ଼ ପକାଇଛନ୍ତି। ପରମ୍ପରା ଅନୁଯାୟୀ ମାଘ ସପ୍ତମୀ ଦିନ ବୁଡ଼ ପକାଇଲେ ପାପ କ୍ଷୟ ହେବା ସହ ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ୱାସ ରହିଛି।

Tags: #MaghaSaptami #Devotees #Konark #ChandrabhagaBeach #HolyDip #Culture #Tradition

Comment