ଓଡ଼ିଶାଲାଇଭ୍ ବ୍ୟୁରୋ

ଦଶମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଶୁକ୍ରବାର ସେ ଜମ୍ମୁ କଶ୍ମୀରର ଶ୍ରୀନଗରରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହୋଇ ଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ୭ ହଜାରରୁ ଅଧିକ ଲୋକଙ୍କ ଗହଣରେ ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ ପ୍ରଧାନମନ୍ତ୍ରୀ।
“ଆଜିର ସମୟରେ ସାରା ଦୁନିଆରେ ଯୋଗ ପ୍ରତି ଲୋକଙ୍କ ଆକର୍ଷଣ ବଢୁଛି। ଯୋଗର ଉପକାରିତା ବିଷୟ ଜାଣି ଜନସମାଜ ଆତ୍କୃଷ୍ଟ ହେଉଛି। ଅନେକଙ୍କ ଦୈନନ୍ଦିନ ଜୀବନରେ ଯୋଗ ଏକ ଅଂଶ ପାଲଟିଛି। ଏହା ଉପରେ ରିସର୍ଚ୍ଚ ପେପର ପ୍ରସ୍ତୁତ ହେଉଛି। ଯୋଗ ପର୍ଯ୍ୟଟନର ଏକ ନୂଆ ଧାରା ଆରମ୍ଭ ହୋଇଛି”, କହିଛନ୍ତି ନରେନ୍ଦ୍ର ମୋଦୀ।
ଆହୁରି ମଧ୍ୟ କହିଛନ୍ତି, “ଭାରତ ପକ୍ଷରୁ ୧୦ ବର୍ଷ ତଳେ ମିଳିତ ଜାତିସଂଘରେ ଜୁନ୍ ୨୧ ତାରିଖକୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ପାଳନ କରିବାକୁ ପ୍ରସ୍ତାବ ଦିଆଯାଇଥିଲା। ଏହାକୁ ୧୭୭ ଦେଶ ସମର୍ଥନ କରିଥିଲେ, ଯାହା ଏକ ସର୍ବକାଳୀନ ରେକର୍ଡ। ଏହି ଯୋଗ ସମଗ୍ର ବିଶ୍ଵରେ ଅଜି ଭାରତକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି।”

ଏହି କାର୍ଯ୍ୟକ୍ରମ ପାଇଁ ଶ୍ରୀନଗରରେ ଶେରେ-ଏ-କଶ୍ମୀର କନଭେନସନ ସେଣ୍ଟରରେ ସବୁ ପ୍ରକାର ବ୍ୟବସ୍ଥା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଅନ୍ୟ ଲୋକମାନଙ୍କ ସହ ମିଶି ଯୋଗ କରିଥିଲେ। ଏଠାରେ ସୂର୍ଯ୍ୟ ନମସ୍କାର, କପାଳଭାତି, ଅନୁଲୋମ ବିଲୋମ ଓ ଅନ୍ୟାନ୍ୟ ଯୋଗାସନ କରଯାଇଥିଲା।
ଚଳିତବର୍ଷ ଅନ୍ତର୍ଜାତୀୟ ଯୋଗ ଦିବସର ଥିମ ରହିଛି ‘ନିଜ ପାଇଁ ଓ ସମାଜ ପାଇଁ ଯୋଗ’। ଉଭୟ ବ୍ୟକ୍ତିଗତ ସୁସ୍ଥତା ଏବଂ ସାମାଜିକ ସମନ୍ୱୟ ରକ୍ଷା କରିବାରେ ଯୋଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଏହା ଲୋକଙ୍କୁ ସଚେତନ କରାଉଛି।
Tags: #InternationalYogaDay #Yoga #PMNarendraModi #Srinagar #Jammu&Kashmir #India