ଓଡ଼ିଶାଲାଇଭ୍ ବ୍ୟୁରୋ
କଟକର ଏକ ଘରୋଇ ନର୍ସିଂହୋମରେ ଶନିବାର ବଡ଼ଧରଣର ଅଗ୍ନିକାଣ୍ଡ ଘଟିଛି। ପୁରୀଘାଟ ଥାନା ନିକଟରେ ଥିବା ରାଧାରମଣ ନର୍ସିଂହୋମର ତୃତୀୟ ମହଲାର ଆଇସିୟୁରେ ଏହି ନିଆଁ ଲାଗିଛି। ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବାହିନୀ ନିୟୋଜିତ ହୋଇଛନ୍ତି। ଆଇସିୟୁରେ ଥିବା ରୋଗୀମାନଙ୍କୁ ଉଦ୍ଧାର କରି ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ତେବେ ଏ ଘଟଣାରେ କାହାରି ଜୀବନ ହାନି ହୋଇନଥିବା ସୂଚନା ମିଳିଛି।
ଶନିବାର ଅପରାହ୍ଣ ୪ଟା ସମୟରେ ରାଧାରମଣ ନର୍ସିଂହୋମର ତୃତୀୟ ମହଲାରେ ନିଆଁ ଲାଗିଥିଲା। ସେହି ସମୟରେ ନର୍ସିଂହୋମର ଆଇସିୟୁରେ ଏକାଧିକ ରୋଗୀ ଥିଲେ। ସେମାନଙ୍କ ମଧ୍ୟ ନବଜାତ ଶିଶୁ ମଧ୍ୟ ରହିଥିଲେ।
ଘଟଣାର ଖବର ପାଇଁ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ସହ ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ। ଏହାସହ ନର୍ସିଂହୋମର ପାଖାପାଖି ଥିବା ଘରଗୁଡ଼ିକୁ ମଧ୍ୟ ଖାଲି କରାଯାଇଛି। ତେବେ କେଉଁ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଲା ସେ ନେଇ କୌଣସି ସୂଚନା ମିଳିନାହିଁ।
ଅନ୍ୟପଟେ ଘଟଣାସ୍ଥଳରୁ ରୋଗୀମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଆମ୍ବୁଲାନ୍ସର ଅଭାବ ପଡ଼ିଥିଲା। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା।
Tags: #FireIncident #PrivateHospital #ICU #Cuttack