ଓଡ଼ିଶାଲାଇଭ୍ ବ୍ୟୁରୋ
ଆଧୁନିକତାର ଚାକଚକ୍ୟ ମଧ୍ୟରେ ଏବେ ବି ଲୁଚି ରହିଛି ଅନ୍ଧବିଶ୍ଵାସ। କିଛି ଲୋକ ସୁସ୍ଥ ହେବା ପାଇଁ ଡାକ୍ତରଙ୍କ ଉପରେ ଭରସା ନକରି ତାନ୍ତ୍ରିକର ସହାୟତା ନେଉଛନ୍ତି। ପରବର୍ତ୍ତୀ ସମୟରେ ସେମାନେ ତନ୍ତ୍ର ନାଁରେ ଯନ୍ତ୍ରଣା ଭୋଗିଥାନ୍ତି।
ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଅଞ୍ଚଳରେ। ତନ୍ତ୍ର ଚିକିତ୍ସା ନାଁରେ ଜଣେ ଯୁବତୀଙ୍କ ମୁଣ୍ଡରେ ପ୍ରାୟ ୭୭ଟି ଛୁଞ୍ଚି ପଶାଇ ଦେଇଛି ଭଣ୍ଡ ତାନ୍ତ୍ରିକ। ବୁର୍ଲା ଭୀମସାରରେ ଅସ୍ତ୍ରୋପଚାର କରି ଯୁବତୀଙ୍କ ମୁଣ୍ଡରୁ ୭୭ଟି ଛୁଞ୍ଚି କାଢ଼ିଛନ୍ତି ଡାକ୍ତର।
କ’ଣ ରହିଛି ପୂରା ଘଟଣା?
ଚାରି ବର୍ଷ ତଳେ ସିନ୍ଧେକେଲା ଅଞ୍ଚଳର ଜଣେ ଯୁବତୀ ଶାରୀରିକ ଏବଂ ମାନସିକ ଭାବେ ଅସୁସ୍ଥ ହୋଇପଡିଥିଲେ। ମା’ଙ୍କ ଦେହାନ୍ତ ପରେ ତାଙ୍କର ସ୍ଵାସ୍ଥ୍ୟାବସ୍ଥା ଆହୁରି ବିଗିଡ଼ିବାକୁ ଲାଗିଲା। ପରିବାର ଲୋକ ଝିଅକୁ ଡାକ୍ତରଖାନା ନେବା ବଦଳରେ ତନ୍ତ୍ରପାଠ କରୁଥିବା କଣ୍ଟାବାଞ୍ଜି ଥାନା ଜାମୁଟଝୁଲି ଗାଁର ତେଜରାତ ରଣାଙ୍କ ପାଖକୁ ନେଇଥିଲେ। ତେଜରାତ ଯୁବତୀଙ୍କୁ ଝଡ଼ାଫୁଙ୍କା କରି ଭଲ କରିଦେବେ ବୋଲି କହିଥିଲେ।
ପରେ ତାନ୍ତ୍ରିକ ତେଜରାତ ଏବଂ ତାଙ୍କ ସ୍ତ୍ରୀ ସମ୍ପୃକ୍ତ ଯୁବତୀଙ୍କୁ ଗୋଟିଏ କୋଠରୀକୁ ନେଇଯାଇଥିଲେ। ଯୁବତୀଙ୍କୁ ଅଚେତ କରି ତାଙ୍କ ମୁଣ୍ଡରେ ଗୁଡ଼ାଏ ଛୁଞ୍ଚି ଫୋଡ଼ି ଦେଇଥିଲେ। ଯୁବତୀଙ୍କ ଅଚେତ ଅବସ୍ଥାରେ ଥିବାରୁ ତାଙ୍କ ମୁଣ୍ଡରେ ଛୁଞ୍ଚି ଫୋଡ଼ାଯାଇଥିବା ସେ ଜାଣିପାରି ନଥିଲେ। ଏ ସମ୍ପର୍କରେ ତାଙ୍କ ପରିବାର ଲୋକେ ମଧ୍ୟ କିଛି ଜାଣିନଥିଲେ। ତନ୍ତ୍ରପୂଜା ପରେ ଝିଅକୁ ସାଙ୍ଗରେ ଧରି ପରିବାର ଲୋକେ ଘରକୁ ଆଣିଥିଲେ।
ତନ୍ତ୍ର ଚିକିତ୍ସା ପରେ ମଧ୍ୟ ସୁସ୍ଥ ହୋଇନଥିଲେ ଯୁବତୀ। ଦୀର୍ଘ ୪ ବର୍ଷ ହେଲା ସମ୍ପୃକ୍ତ ତାନ୍ତ୍ରିକ ତେଜରାତଙ୍କ ନିକଟକୁ ନେଇ ଝଡ଼ଫୁଙ୍କା କରିଥିଲେ। କିନ୍ତୁ ମଧ୍ୟ ଯୁବତୀଙ୍କ ଯନ୍ତ୍ରଣା ଟିକେ ହେଲେ କମିନଥିଲା। ଏତେ ପରେ ମଧ୍ୟ କୌଣସି ଦିନ ଝିଅକୁ ଡାକ୍ତରଙ୍କ ପାଖକୁ ନେଇନଥିଲେ ପରିବାର ଲୋକ।
କିଛି ଦିନ ତଳେ ଯୁବତୀଙ୍କ ସ୍ଵାସ୍ଥ୍ୟବସ୍ଥା ଗୁରୁତର ହୋଇପଡ଼ିଥିଲା। ତାଙ୍କୁ ଦେଖିବା ପାଇଁ ଗାଁର କିଛି ଲୋକ ତାଙ୍କ ଘରକୁ ଆସିଥିଲେ। ଗାଁ ଲୋକ ଯାହା ଦେଖିଲେ ନିଜ ଆଖିକୁ ବିଶ୍ଵାସ କରିପାରିଲେ ନାହିଁ। ଯନ୍ତ୍ରଣାରେ ଛଟପଟ ହେଉଥିବା ଯୁବତୀଙ୍କ ମୁଣ୍ଡରୁ ଆପେ ଆପେ ଗୋଟିଏ ଛୁଞ୍ଚି ବାହାରି ଆସିଥିଲା। ଗାଁ ଲୋକଙ୍କ ପରାମର୍ଶ କ୍ରମେ ପରିବାର ଲୋକ ଯୁବତୀଙ୍କୁ କଣ୍ଟାବାଞ୍ଜି ଡାକ୍ତରଖାନାକୁ ନେଇଯାଇଥିଲେ।
ସେଠାରୁ ଯୁବତୀଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା। ସିଟିସ୍କାନ ପରେ ଯୁବତୀଙ୍କ ମୁଣ୍ଡ ଭିତରେ ଏକାଧିକ ଛୁଞ୍ଚି ଥିବା ଜଣାପଡ଼ିଥିଲା। ଏହା ପରେ ଗୁରୁବାର ଦିନ ଯୁବତୀଙ୍କୁ ବୁର୍ଲା ଭୀମସାରକୁ ସ୍ଥାନାନ୍ତର କରାଯାଇଥିଲା। ଶୁକ୍ରବାର ଦିନ ୧୦ ଜଣିଆ ଡାକ୍ତରୀ ଦଳ ଅସ୍ତ୍ରୋପଚାର କରି ଯୁବତୀଙ୍କ ମୁଣ୍ଡରୁ ୭୦ଟି ଛୁଞ୍ଚି ବାହାର କରିଥିଲେ। ଶନିବାର ସକାଳେ ପୁଣି ଥରେ ଅସ୍ତ୍ରୋପଚାର କରାଯାଇ ଆଉ ୭ଟି ଛୁଞ୍ଚି ବାହାର କରାଯାଇଛି।
ଏହି ଘଟଣାକୁ ନେଇ ଯୁବତୀଙ୍କ ବାପାଙ୍କ ଅଭିଯୋଗ ଆଧାରରେ ଅଭିଯୁକ୍ତ ତାନ୍ତ୍ରିକ ତେଜରାତ ରଣାକୁ ପୋଲିସ ଗିରଫ କରିଛି। ଏକ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ କରୁଛି।
Tags: #Balangir #NeedlesRecoveredfromGirlsHead #PoliceInvestigation #Superstition