ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ୟାରିସ ଅଲିମ୍ପିକ୍ସ ହକି ପ୍ରତିଯୋଗିତାରେ ରବିବାର କ୍ଵାର୍ଟର ଫାଇନାଲରେ ଦମଦାର ବିଜୟ ହାସଲ କରିଛି ଭାରତୀୟ ପୁରୁଷ ହକି ଦଳ। ଏହି ମ୍ୟାଚରେ ଗ୍ରେଟ୍ ବ୍ରିଟେନକୁ ପେନାଲ୍ଟି ସୁଟ୍ ଆଉଟରେ ୪-୨ ଗୋଲରେ ହରାଇଛି ଟିମ୍ ଇଣ୍ଡିଆ। ଏହି ବିଜୟ ବଳରେ ଦଳ ସେମିଫାଇନାଲରେ ପ୍ରବେଶ କରିଛି।

ରବିବାର ଅଲିମ୍ପିକ୍ସ ହକିର କ୍ଵାର୍ଟର ଫାଇନାଲରେ ଭାରତ ଓ ଗ୍ରେଟ୍ ବ୍ରିଟେନ ମୁହାଁମୁହିଁ ହୋଇଥିଲେ। ମ୍ୟାଚ ଆରମ୍ଭରୁ ହିଁ ଉଭୟ ଦଳ ରକ୍ଷଣାତ୍ମକ ଖେଳ ଆରମ୍ଭ କରିଥିଲା। ପ୍ରଥମ କ୍ୱାର୍ଟରରେ ଭାରତ ଦୁଇ ଦଳ କୌଣସି ଗୋଲ ଦେଇ ପାରିନଥିଲେ।

ଏହାପରେ ଦ୍ଵିତୀୟ କ୍ୱାର୍ଟରରେ ଭାରତୀୟ ଅଧିନାୟକ ହରମନପ୍ରୀତ ସିଂହ ପେନାଲ୍ଟି କର୍ଣ୍ଣରରୁ ଗୋଲ୍ ଦେଇ ଦଳର ଖାତା ଖୋଲିଥିଲେ। ହେଲେ ଅଳ୍ପ ସମୟ ମଧ୍ୟରେ ଗ୍ରେଟ୍ ବ୍ରିଟେନ୍ ଦଳ ଏକ ଗୋଲ୍ ଦେଇ ମ୍ୟାଚକୁ ୧-୧ରେ ବରାବର କରିଥିଲା।ଖେଳ ଶେଷ ହେବା ପର୍ଯ୍ୟନ୍ତ ଉଭୟ ଦଳଙ୍କ ପକ୍ଷରୁ ଆଉ କୌଣସି ଗୋଲ୍ ଦେଖିବାକୁ ମିଳିନଥିଲା।

ତେବେ କିଏ ଯିବ ସେମିଫାଇନାଲକୁ ଏହା ନିର୍ଦ୍ଧାରଣ କରିବା ପାଇଁ ପେନାଲ୍ଟି ସୁଟ୍ ଆଉଟ୍ ହୋଇଥିଲା। ଏଥିରେ ୪-୨ ଗୋଲରେ ଗ୍ରେଟ୍ ବ୍ରିଟେନକୁ ହରାଇଥିଲା ଟିମ୍ ଇଣ୍ଡିଆ।

ଏହାପୂର୍ବରୁ ଭାରତ ଗ୍ରୁପ୍ ପର୍ଯ୍ୟାୟରେ ୫ଟିରୁ ୩ଟି ମ୍ୟାଚ ଜିତିବା ସହିତ ଗୋଟିଏ ମ୍ୟାଚ୍ ଡ୍ର ରଖିଥିବାବେଳେ ଗୋଟିକରେ ପରାଜିତ ହୋଇଥିଲା। ଦଳ ନିଜର ପ୍ରଥମ ଗ୍ରୁପ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୩-୨ ଗୋଲରେ ପରାସ୍ତ କରିଥିଲା। ହେଲେ ସୋମବାର ଆର୍ଜେଣ୍ଟିନା ବିପକ୍ଷରେ ଥିବା ଦ୍ଵିତୀୟ ମୁକାବିଲାକୁ ୧-୧ ଗୋଲରେ ଡ୍ର ରଖିଥିଲା ଭାରତ। ତୃତୀୟ ମ୍ୟାଚରେ ଦଳ ଆୟର୍ଲ୍ୟାଣ୍ଡ ବିପକ୍ଷରେ ୨-୦ରେ ବିଜୟ ହୋଇଥିବାବେଳେ ଗୁରୁବାର ବେଲଜିୟମଠାରୁ ୨-୧ ଗୋଲରେ ପରାଜିତ ହୋଇଥିଲା। ଏହାପରେ ଶେଷ ଲିଗ୍ ମ୍ୟାଚରେ ଅଷ୍ଟ୍ରେଲିଆକୁ ୩-୨ ଗୋଲରେ ହରାଇଥିଲା।

Tags: #ParisOlympics #Hockey #Quarterfinals #IndiavsGreatBritain #HockeyIndia #Sports

LEAVE A REPLY

Please enter your comment!
Please enter your name here