ଓଡ଼ିଶାଲାଇଭ୍ ବ୍ୟୁରୋ
ୟୁନେସ୍କୋ କଳିଙ୍ଗ ପୁରସ୍କାର ପାଇଁ ଅନୁଦାନ ଦେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ଏହାକୁ ନେଇ ରାଜ୍ୟ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଜିତେନ୍ଦ୍ର ସିଂହକୁ ଚିଠି ଲେଖିଛନ୍ତି। ଏହି ପୁରସ୍କାର ପାଇଁ କେନ୍ଦ୍ରୀୟ ଅନୁଦାନକୁ ଜାରି ରଖିବାକୁ ସେ ଅନୁରୋଧ କରିଛନ୍ତି।
“ୟୁନେସ୍କୋ କଳିଙ୍ଗ ପୁରସ୍କାର ବିଜ୍ଞାନର କ୍ଷେତ୍ରରେ ଦିଆଯାଉଥିବା ବିଶ୍ଵର ଅନ୍ୟତମ ଶ୍ରେଷ୍ଠ ପୁରସ୍କାର। ୧୯୫୨ ମସିହାରେ ବିଜୁ ପଟ୍ଟନାୟକଙ୍କ ଉଦ୍ୟମ ବଳରେ ଏହି ପୁରସ୍କାରର ଶୁଭାରମ୍ଭ ହୋଇଥିଲା। ବିଜ୍ଞାନ ଓ ଗବେଷଣାକୁ ଲୋକପ୍ରିୟ କରିବା ଲକ୍ଷ୍ୟରେ ଏହି ପୁରସ୍କାର ପାଇଁ ସେତେବେଳେ କଳିଙ୍ଗ ଫାଉଣ୍ଡେସନ ପକ୍ଷରୁ ୧୦୦୦ ପାଉଣ୍ଡ ପ୍ରଦାନ କରାଯାଇଥିଲା। ୟୁନେସ୍କୋ ସହ ସହବନ୍ଧିତା ଯୋଗୁଁ ଏହି ପୁରସ୍କାର ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଆ ଅସ୍ମିତାର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି”, କହିଛନ୍ତି ନବୀନ ପଟ୍ଟନାୟକ।
ସେ ଆହୁରି ମଧ୍ୟ କହିଛନ୍ତି, “ଏହି ପୁରସ୍କାର ଓଡ଼ିଆ ଲୋକଙ୍କ ଭାବାବେଗ ସହ ଜଡ଼ିତ। ପୁରସ୍କାର ପାଇଁ ଆର୍ଥିକ ଅନୁଦାନ ବନ୍ଦ କରିବାକୁ ଭାରତ ସରକାରଙ୍କ ନିଷ୍ପତ୍ତି ଠିକ ନୁହେଁ। ତେଣୁ ଏହି ପୁରସ୍କାର ପାଇଁ କେନ୍ଦ୍ରୀୟ ଅନୁଦାନ ଚାଲୁ ରଖିବାକୁ ମୁଁ ଅନୁରୋଧ କରୁଛି।”
୨୦୦୨ ମସିହାରେ ୟୁନେସ୍କୋ କଳିଙ୍ଗ ପୁରସ୍କାରକୁ ୫୦ ବର୍ଷ ପୂର୍ତ୍ତି ଅବସରରେ ତତକାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏଥିପାଇଁ ଦିଆଯାଉଥିବା ଅନୁଦାନକୁ ନେଇ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ। ପୁରସ୍କାର ରାଶି ପ୍ରଦାନ ବାବଦକୁ କେନ୍ଦ୍ର ସରକାର, ଓଡ଼ିଶା ଓ କଳିଙ୍ଗ ଫାଉଣ୍ଡେସନର ଅନୁପାତକୁ ୬:୪:୪ କରିବାକୁ ନିଷ୍ପତ୍ତି ହୋଇଥିଲା।
ୟୁନେସ୍କୋ କଳିଙ୍ଗ ପୁରସ୍କାର ବିଜେତାଙ୍କୁ ୧ କୋଟି ଟଙ୍କା ପ୍ରଦାନ କରାଯାଉଛି। ବର୍ତ୍ତମାନ ସୁଦ୍ଧା ୭୨ ଜଣ ବିଶିଷ୍ଟ ବୈଜ୍ଞାନିକ ଓ ୭ ଜଣ ନୋବେଲ ପୁରସ୍କାର ବିଜେତାଙ୍କୁ ଏହି ପୁରସ୍କାର ମିଳିଛି।
Tags: #UNESCOKalingaPrize #Science #KalingaFoundation #Odisha #India