ଓଡ଼ିଶାଲାଇଭ୍ ବ୍ୟୁରୋ

“ଗ୍ରାମଞ୍ଚଳ ଅର୍ଥନୀତି ସମୃଦ୍ଧ ହେଲେ ସାରା ଓଡ଼ିଶା ସମୃଦ୍ଧ ହେବ। ବିକଶିତ ଓଡ଼ିଶା ଗଠନର ସ୍ଵପ୍ନ ପୂରଣ ହୋଇପାରିବ”, ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଅବସରରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ଆଜି ସାରା ଦେଶ ପାଳନ କରୁଛି ୭୮ତମ ସ୍ୱାଧୀନତା ଦିବସ। ଭୁବନେଶ୍ଵରରେ ରାଜ୍ୟସ୍ତରୀୟ ସ୍ଵାଧୀନତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ପତାକା ଉତ୍ତୋଳନ କରିବା ପରେ ଦେଶ, ରାଜ୍ୟ ତଥା ସାରା ବିଶ୍ଵରେ ରହୁଥିବା ପ୍ରତ୍ୟେକ ଭାରତୀୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଗାନ୍ଧୀ ମାର୍ଗରେ ପତାକା ଉତ୍ତୋଳନ କରିବ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଅବସରରେ ଜାତିର ପିତା ମହାତ୍ମା ଗାନ୍ଧୀ, ପଣ୍ଡିତ ଜବାହରଲାଲ ନେହେରୁ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ, ବୀର୍ ସବରକର୍, ସହୀଦ ଭଗତ ସିଂ, ଚନ୍ଦ୍ରଶେଖର ଆଜାଦ, ଡକ୍ଟର ବି ଆର ଆମ୍ବେଦକର ଓ ଡକ୍ଟର ରାଜେନ୍ଦ୍ର ପ୍ରମୁଖ ମହାନ ସ୍ଵାଧୀନତା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଏହି ଅବସରରେ ସେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସ, ନବକୃଷ୍ଣ ଚୌଧୁରୀ, ଗୋପବନ୍ଧୁ ଚୌଧୁରୀ, ଶହୀଦ ଲକ୍ଷ୍ମଣ ନାୟକ, ବୀର ସୁରେନ୍ଦ୍ର ସାଏ, ମାଧୋ ସିଂହ, ଚକରା ବିଶୋଇ, ରେଣ୍ଡୋ ମାଝୀ, ରମାଦେବୀ, ମାଳତୀ ଚୌଧୁରୀ, ଡକ୍ଟର ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକ ଓ   ପାର୍ବତୀ ଗିରିଙ୍କ ବଳିଦାନକୁ ମନେ ପକାଇ ସେମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ସେ କହିଥିଲେ ଓଡ଼ିଶାର ପାଇକ ବିଦ୍ରୋହ ଦେଶ ଇତିହାସର ଏକ ଅନନ୍ୟ ଅଧ୍ୟାୟ ଥିଲା। ସିପାହୀ ବିଦ୍ରୋହର ୪୦ ବର୍ଷ ପୂର୍ବରୁ ୧୮୧୭ ମସିହାରେ ଓଡ଼ିଶାରେ ଯେଉଁ ଆନ୍ଦୋଳନ ହୋଇଥିଲା ତାହା ଆମ ସ୍ୱାଧୀନତା ସଂଗ୍ରାମ ଇତିହାସର ଏକ ସ୍ୱର୍ଣ୍ଣିମ ଅଧ୍ୟାୟ।

ମୁଖ୍ୟମନ୍ତ୍ରୀ କହିଛନ୍ତି,  “ଭାରତ ଏବେ ବିଶ୍ଵର ସବୁଠାରୁ ଦ୍ରୁତ ଅଭିବୃଦ୍ଧି ସମ୍ପନ୍ନ ଦେଶ ଭାବରେ ସମଗ୍ର ବିଶ୍ଵରେ ପ୍ରତିଷ୍ଠା ହାସଲ କରିଚାଲିଛି। ଦେଶର ଅର୍ଥନୀତି ଆଜି ପ୍ରାୟ ୪ ଟ୍ରିଲିୟନ ଡଲାରରେ ପହଞ୍ଚି ସାରିଲାଣି। ଆଉ କିଛି ବର୍ଷ ମଧ୍ୟରେ ଆମ ଦେଶ ୫ ଟ୍ରିଲିୟନ ଡଲାର ଅର୍ଥନୀତିରେ ପହଞ୍ଚିବ।”

ସେ ଆହୁରି କହିଛନ୍ତି ୧୦ ବର୍ଷ ମଧ୍ୟରେ ଭାରତ ବିଶ୍ଵ ଅର୍ଥନୀତିରେ ଏକାଦଶ ସ୍ଥାନରୁ ଆସି ଆଜି ବିଶ୍ଵର ପଞ୍ଚମ ବୃହତ୍ ଅର୍ଥନୀତିରେ ପହଞ୍ଚି ପାରିଛି। ଖୁବ୍ ଶୀଘ୍ର ବିଶ୍ଵର ଶ୍ରେଷ୍ଠ ତିନିଟି ଅର୍ଥନୀତି ମଧ୍ୟରେ ଆମେ ସ୍ଥାନ ହାସଲ କରିବୁ। ଆଗାମୀ ୨୦୪୭ ମସିହା ସୁଦ୍ଧା ଆମେ ନିଶ୍ଚିତ ଭାବରେ ବିଶ୍ୱର ଅଗ୍ରଣୀ ଦେଶମାନଙ୍କ ମଧ୍ୟରେ ସ୍ଥାନ ପାଇବୁ ଏବଂ ଭାରତକୁ ବିଶ୍ୱଗୁରୁ ହେବାର ଲକ୍ଷ୍ୟ ନିଶ୍ଚୟ ପୂରଣ କରିବୁ ବୋଲି ସେ କହିଛନ୍ତି।

“ଓଡ଼ିଶା ଆଜି ପରିବର୍ତ୍ତନ ପଥରେ ଯାତ୍ରା ଆରମ୍ଭ କରିଛି। ଓଡ଼ିଆ ଅସ୍ମିତା ସହିତ ଶିଖର ଛୁଇଁବାର ଲକ୍ଷ୍ୟ ରହିଛି। ଓଡ଼ିଶାବାସୀ ଭାରି ସ୍ଵାଭିମାନୀ। ଇତିହାସ ଏହାର ସାକ୍ଷୀ ରହିଛି। ଯେତେବେଳେ ବ୍ରିଟିଶ ଶାସନ ସମୟରେ ଓଡ଼ିଶା ଖଣ୍ଡ ବିଖଣ୍ଡିତ ହୋଇ ବିଭିନ୍ନ ପ୍ରଦେଶରେ ମିଶି ରହିଥିଲା। ଓଡ଼ିଶାର ଆତ୍ମା ଭୁଲୁଣ୍ଠିତ ହୋଇଥିଲା। ସେ ସମୟରେ ଆମ ଓଡ଼ିଆ ବରପୁତ୍ରମାନେ ସ୍ଵତନ୍ତ୍ର ରାଜ୍ୟ ପ୍ରତିଷ୍ଠା କରିବାର ରାସ୍ତା ଫିଟାଇ ଥିଲା। ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ କେବଳ ଓଡ଼ିଶା ପାଇଁ ନୁହେଁ, ବାହ ସାରା ଦେଶକୁ ଭାଷା ଭିତ୍ତିକ ରାଜ୍ୟ ଗଠନ ପାଇଁ ମଧ୍ୟ ରାସ୍ତା ଦେଖାଇଥିଲା”, କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ମୁଖ୍ୟମନ୍ତ୍ରୀ କହିଛନ୍ତି, “ଆଜି ଆମ ପାଇଁ ଆହ୍ୱାନର ଦିନ। ଓଡ଼ିଆ ଜାତି ଆଜି ନୂଆ ଇତିହାସ ଲେଖିବା ଆରମ୍ଭ କରିଛି। ଓଡ଼ିଆ ଅସ୍ମିତା ଓ ସ୍ୱାଭିମାନ ସହିତ ବିକାଶର ଶିଖର ଛୁଇଁବାକୁ ଶପଥ ନେଇଛି। ଏହି ନୂଆ ଯାତ୍ରାରେ ଆମକୁ ଯେଉଁ ଦାୟିତ୍ଵ ମିଳିଛି, ଆମେ ତାକୁ ପାଳନ କରିବୁ।”

ସେ ଆହୁରି କହିଛନ୍ତି, ଶ୍ରୀମନ୍ଦିରର ଚାରି ଦ୍ଵାର ଖୋଲିବାଠାରୁ ଆରମ୍ଭ କରି ରତ୍ନ ଭଣ୍ଡାର ଖୋଲିବା, ଓଡ଼ିଆ ଅସ୍ମିତା ପାଇଁ ପାଣ୍ଠି ସୃଷ୍ଟି କରିବା, ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟ କରିବା ପାଇଁ ପ୍ରଶାସନକୁ ପ୍ରସ୍ତୁତ କରିବା ଆଦି ଅନେକ ପ୍ରତିଶ୍ରୁତି ପାଳନ କରାଯାଇଛି। ରାଜ୍ୟ ସରକାର ଯେଉଁ ପ୍ରତିଶ୍ରୁତି ଦେଇଛନ୍ତି ତାହା ପର୍ଯ୍ୟାୟ କ୍ରମେ ପୂରଣ କରାଯିବ।

କୃଷକ ଭାଇ ଭଉଣୀମାନଙ୍କ ଆର୍ଥିକ ଉନ୍ନତି ଓ ମହିଳାମାନଙ୍କ ସାମଗ୍ରିକ ବିକାଶ ପାଇଁ ପ୍ରାଥମିକତା ଦିଆଯାଉଛି। ବଜେଟରେ ଏଥିପାଇଁ ବିଧିବଦ୍ଧ ବ୍ୟୟ ବରାଦ କରାଯାଇଛି।

ଆସନ୍ତା ସେପ୍ଟେମ୍ବର ୧୭ ତାରିଖରେ ରାଜ୍ୟରେ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ କରାଯିବ। ଏହି ଯୋଜନାରେ ମହିଳାମାନେ ୫୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ। କେବଳ କୃଷକ ଓ ମହିଳା ନୁହନ୍ତି, ସମାଜର ସବୁ ବର୍ଗର ସାମଗ୍ରିକ ଉନ୍ନତି ପାଇଁ ସରକାରଙ୍କର ପ୍ରାଥମିକତା ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସେ ଆହୁରି କହିଛନ୍ତି, ଆଦିବାସୀବହୁଳ ଜିଲ୍ଲାଗୁଡ଼ିକର ସାମୁହିକ ବିକାଶ ପାଇଁ ‘ପେସା’ (PESA) ଆଇନ ଲାଗୁ କରିବାକୁ ପଦକ୍ଷେପ ନିଆଯାଉଛି। ତୃଣମୂଳସ୍ତରରୁ ବିକାଶର ଇଞ୍ଜିନକୁ ଆଗେଇ ନେବା ପାଇଁ ଗ୍ରାମସଭା ମାଧ୍ୟମରେ ବିଭିନ୍ନ ଯୋଜନା ପାଇଁ ପ୍ରସ୍ତାବ ଗ୍ରହଣ କରାଯିବ, ଯାହା  ପଞ୍ଚାୟତିରାଜ ବ୍ୟବସ୍ଥାକୁ ସଶକ୍ତ କରିବ ଏବଂ ଆଗାମୀ ଦିନରେ ବିକଶିତ ଓଡ଼ିଶା ଗଠନ ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିବ।

ଶିକ୍ଷା, ସ୍ୱାସ୍ଥ୍ୟ, ଶିଳ୍ପାୟନ, ନିଯୁକ୍ତି, ଦକ୍ଷତା ବିକାଶ ଏବଂ ଗରୀବ ଲୋକଙ୍କ କଲ୍ୟାଣ ଆଦି ଏ ସବୁ ଲକ୍ଷ୍ୟ ପୂରଣ ପାଇଁ ରାଜ୍ୟ ସରକାର କାର୍ଯ୍ୟକ୍ରମ ଆରମ୍ଭ ଆରମ୍ଭ କରିଛନ୍ତି। ଖାଲି ପଡ଼ିଥିବା ଦେଢ ଲକ୍ଷ ସରକାରୀ ପଦବୀ ପୂରଣ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇନ୍ତି। ଏହା ସହିତ ଆଗାମୀ ୫ ବର୍ଷରେ ଓଡ଼ିଶାର ଯୁବକଯୁବତୀମାନଙ୍କ ଲାଗି ନିଯୁକ୍ତି କ୍ଷେତ୍ରରେ ବ୍ୟାପକ ସୁଯୋଗ ସୃଷ୍ଟି କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।

“ଆଗାମୀ ପାଞ୍ଚ ବର୍ଷରେ ୫୦୦ ଆଦିବାସୀ ଗ୍ରାମକୁ ‘ଆଦର୍ଶ ଆଦିବାସୀ ଗ୍ରାମ’ ଯୋଜନାରେ ବିକଶିତ କରିବା ପାଇଁ କାର୍ଯ୍ୟକ୍ରମ ସ୍ଥିର କରାଯାଇଛି। ‘ପିଏମ ଜନମନ୍’ ଯୋଜନାରେ ‘ବିଶେଷ ଭାବରେ ଅନୁନ୍ନତ ଜନଜାତି’ (PVTG) ବର୍ଗର ଜନଜାତି ବର୍ଗଙ୍କ ସାମଗ୍ରିକ ବିକାଶ କରାଯିବ। ‘ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ’ ଜରିଆରେ ଆଦିବାସୀ ବହୁଳ ଜିଲ୍ଲାମାନଙ୍କରେ ରୋଜଗାର ଓ ଜୀବିକାର ବ୍ୟାପକ ସୁଯୋଗ ସୃଷ୍ଟି କରାଯିବ। ଜନଜାତି ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ କାରଣରୁ ଡ୍ରପ ଆଉଟ୍ ହାର ଅଧିକ ରହୁଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ‘ମାଧୋ ସିଂହ ହାତ ଖର୍ଚ୍ଚ’ ଯୋଜନା ଆରମ୍ଭ କରିଛନ୍ତି”, ମୁଖ୍ୟମନ୍ତ୍ରୀ କହିଛନ୍ତି।

ସେ ଆହୁରି କହିଛନ୍ତି, ଯୁବବର୍ଗ ହେଉଛନ୍ତି ଦେଶର ଭବିଷ୍ୟତ। ସେଥିପାଇଁ ଯୁବକ ଯୁବତୀମାନଙ୍କୁ ଯୁଗୋପଯୋଗୀ ପ୍ରଶିକ୍ଷଣ ଯୋଗାଇବା ଅତ୍ୟନ୍ତ ଆବଶ୍ୟକ। ଆଧୁନିକ ଶିଳ୍ପର ଚାହିଦା ଅନୁଯାୟୀ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଗ୍ରହଣ କରାଯାଉଛଇ। ଏଥିପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ କୌଶଳ ଭବନ ପ୍ରତିଷ୍ଠା କରିବା ପାଇଁ ପଦକ୍ଷେପ ନିଆଯାଇଛି।

ରାଜ୍ୟରେ କ୍ରୀଡ଼ାର ବିକାଶ ପାଇଁ ୧୦୦୦ କୋଟି ଟଙ୍କାରେ ୧୨୦ ଏକର ଅଞ୍ଚଳ ପରିବ୍ୟାପ୍ତ ଏକ ନୂତନ ବିଶ୍ଵସ୍ତରୀୟ ବହୁମୁଖୀ ଷ୍ଟାଡିଅମ ତିଆରି କରିବା ପାଇଁ ନିଷ୍ପତ୍ତି ନିଆଯାଇଛି, ଯେଉଁଠାରେ ଖେଳାଳିମାନଙ୍କ ସହିତ ସାଧାରଣଜନତା ମଧ୍ୟ ଅଭ୍ୟାସ କରିପାରିବେ। ଏହା ସହିତ ପ୍ରତି ଜିଲ୍ଲାରେ କ୍ରୀଡ଼ାର ବିକାଶ ପାଇଁ ଜାତୀୟ ସ୍ତରୀୟ ଷ୍ଟାଡିୟମ ନିର୍ମାଣ କରିବ ବୋଲି ମୋହନ ଚରଣ ମାଝୀ କହିଛନ୍ତି।

ଭାରତୀୟ ହକି ଦଳକୁ ଓଡ଼ିଶାର ସ୍ପନ୍ସରସିପ୍‌ ସମୟସୀମାକୁ ୨୦୩୬ ପର୍ଯ୍ୟନ୍ତ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହା ସହିତ, ରାଜ୍ୟର ମେଧାବୀ କ୍ରୀଡାବିତ୍‌ମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ‘ଖେଳ ରତ୍ନ ଖୋଜା ଅଭିଯାନ’ ଆରମ୍ଭ କରିବାକୁ ପାଇଁ ନିଷ୍ପତ୍ତି ନିଆଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।

ଓଡ଼ିଶାର ଯେଉଁ ଅଗ୍ନିବୀରମାନେ ନିଜ କାର୍ଯ୍ୟକାଳ ଅବଧି ପରେ ସେନା ବାହିନୀରେ ଭର୍ତ୍ତି ହୋଇନଥିବେ, ସେମାନଙ୍କ ପାଇଁ ରାଜ୍ୟର ସବୁ ୟୁନିଫର୍ମ ସେବାରେ ୧୦ ପ୍ରତିଶତ ପର୍ଯ୍ୟନ୍ତ ସଂରକ୍ଷଣ ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ସବୁ ଯୋଜନା ମାଧ୍ୟମରେ ଓଡ଼ିଶାର ପ୍ରତ୍ୟେକ ସ୍ତରରେ ବିକାଶର ଏକ ନୂଆ ଧାରା ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ୨୦୩୬ ସୁଦ୍ଧା ୫୦୦ ବିଲିଅନ୍ ଡଲାର ଓ ୨୦୪୭ ସୁଦ୍ଧା ୧.୫ ଟ୍ରିଲିଅନ ଡଲାର ଅର୍ଥନୀତିରେ ପହଞ୍ଚିବା ପାଇଁ ଆମେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏହି ଲକ୍ଷ୍ୟକୁ ହାସଲ କରିବା ପାଇଁ ରାଜ୍ୟରେ ଶିଳ୍ପର ବହୁଳ ବିକାଶ କରାଯିବ, ଯେଉଁଥିରେ ସେମି କଣ୍ଡକ୍ଟର ଶିଳ୍ପ ପ୍ରମୁଖ ଭୂମିକା ଗ୍ରହଣ କରିବ। ଆଗାମୀ ଦୁଇ ଦଶନ୍ଧି ଓଡ଼ିଶା ଇତିହାସର ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ହେବ ବୋଲି ସେ କହିଛନ୍ତି।

ଜାତି, ବର୍ଣ୍ଣ ଓ ଧର୍ମ ନିର୍ବିଶେଷରେ ସମସ୍ତେ ଏକାଠି ହୋଇ ବିକଶିତ ଭାରତ ଏବଂ ବିକଶିତ ଓଡ଼ିଶା ଗଠନ ଦିଗରେ କାମ କରିବାକୁ ଏହି ଅବସରରେ ରାଜ୍ୟବାସୀଙ୍କ ଆହ୍ବନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

Tags: #IndependenceDay #StateLevelprogramme #CMOdisha #MohanCharanMajhi #Odisha

LEAVE A REPLY

Please enter your comment!
Please enter your name here