ଓଡ଼ିଶାଲାଇଭ୍ ବ୍ୟୁରୋ

ଗିରଫ ହେଲେ ଢେଙ୍କାନାଳ ସଦର ରେଞ୍ଜର ବିଭୁଦାନନ୍ଦ ମିଶ୍ର। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଶୁକ୍ରବାର ଦିନ ବିଭୁଦାନନ୍ଦ ମିଶ୍ରଙ୍କୁ ଭିଜିଲାନ୍ସ ପକ୍ଷରୁ ଗିରଫ କରାଯାଇଛି।

ରେଞ୍ଜର ବାବୁଙ୍କ ବିରୋଧରେ ପୂର୍ବରୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ନେଇ ଅଭିଯୋଗ ହୋଇଆସୁଥିଲା। ଅଭିଯୋଗ ଆଧାରରେ ଗୁରୁବାର ଦିନ ବିଭୁଦାନନ୍ଦ ମିଶ୍ରଙ୍କ ଢେଙ୍କାନାଳ ସହର ଷ୍ଟେସନ ବଜାର ସ୍ଥିତ ଘର, ସଦର ରେଞ୍ଜ କାର୍ଯ୍ୟାଳୟ, ସରକାରୀ ବାସଭବନ, କଟକ ଓ ଭୁବନେଶ୍ୱର ଆଦି ମୋଟ ୮ଟି ଠିକଣା ଉପରେ ଏକକାଳୀନ ଚଢ଼ଉ କରାଯାଇଥିଲା।

ରେଞ୍ଜର ବିଭୁଦାନନ୍ଦ ମିଶ୍ରଙ୍କର ଆଠଗଡ଼ରେ ୮ ଏକର ବିଶିଷ୍ଟ ଏକ ଫାର୍ମ ହାଉସ ଥିବା ଚଢ଼ଉ ବେଳେ ଜଣାପଡ଼ିଥିଲା। ଫାର୍ମ ହାଉସକୁ ପାର୍କ ଭଳି ସଜ୍ଜେଇବା ସହ ସେଠାରେ ମୟୂର, ଠେକୁଆ, ଶୁଆ ଏବଂ ବତକ ରଖାଯାଇଥିଲା। ସେଠାରୁ ୪ଟି ମୟୂର ଉଦ୍ଧାର କରାଯିବା ସହ ବିଭୁଦାନନ୍ଦ ମିଶ୍ରଙ୍କ ବିରୋଧରେ ବନ୍ୟପ୍ରାଣୀ ଆଇନ ଅନୁଯାୟୀ ମାମଲା ରୁଜୁ ହୋଇଛି। ଫାର୍ମ ହାଉସର ମୂଲ୍ୟ ୨ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି।

ବିଭୁଦାନନ୍ଦ ମିଶ୍ରଙ୍କ ଟଏଲେଟ ଫ୍ଲସରୁ ଭିଜିଲାନ୍ସ ଟିମକୁ ୫୦୦ ଟଙ୍କିଆ ନୋଟ ବିଡ଼ା ମିଳିଥିଲା।  ଚଢ଼ାଉ ବେଳେ ରେଞ୍ଜରଙ୍କ ଭୁବନେଶ୍ୱରରେ ଗୋଟିଏ ଫ୍ଲାଟ, ହାଇଦ୍ରାବାଦରେ ୨ଟି ଘର, ଭୁବନେଶ୍ୱର ଓ ଢେଙ୍କାନାଳରେ ୮ଟି ପ୍ଲଟ୍‌ ଠାବ କରାଯାଇଛି।

ଏହା ସହ ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବ୍ୟାଙ୍କ ଜମା, ନଗଦ ୫ କୋଟି୧୫ ଲକ୍ଷ ଟଙ୍କା ଓ ୫୫୭ ଗ୍ରାମର ସୁନା ଅଳଙ୍କାର ଚଢ଼ଉ ବେଳେ ଜବତ କରାଯାଇଛି। ଜବତ ସମ୍ପତ୍ତି ସମ୍ପର୍କରେ ବିଭୁଦାନନ୍ଦ ସନ୍ତୋଷଜନକ ଉତ୍ତର ଦେଇନପାରିବାରୁ ତାଙ୍କୁ ଭିଜିଲାନ୍ସ ପକ୍ଷରୁ ଗିରଫ କରାଯାଇଛି।

କଟକ ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ଉ କରାଯାଇଥିଲା। ଚଢ଼ଉରେ ୭ ଜଣ ଡିଏସପି, ଜଣେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ, ୬ ଜଣ ଇନ୍ସପେକ୍ଟର ଓ ଅନ୍ୟ ଅଧିକାରୀ ସାମିଲ ଥିଲେ।

Tags: #VigilanceRaid #BibhudanandMishra #Dhenkanal #Odisha

LEAVE A REPLY

Please enter your comment!
Please enter your name here