ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ୟାରିସ ପାରା ଅଲିମ୍ପିକ୍ସ ୨୦୨୪ରେ ଭାରତକୁ ମିଳିଛି ପ୍ରଥମ ସ୍ଵର୍ଣ୍ଣ ପଦକ। ଭାରତୀୟ ସୁଟର ଅଭନି ଲେଖରା କମାଲ କରିଛନ୍ତି। ସେ ମହିଳା ୧୦ ମିଟର ଏୟାର ରାଇଫଲ (ଏସଏଚ-୧) ସୁଟିଂ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଅଭନି ପାରା ଅଲିମ୍ପିକ୍ସ ରେକର୍ଡ ସହ ସ୍ୱର୍ଣ୍ଣ ପଦକ ଅକ୍ତିଆର କରିଛନ୍ତି। ଏହାସହ ଏହି ପ୍ରତିଯୋଗିତାରେ ଭାରତର ମୋନା ଅଗ୍ରୱାଲ ବ୍ରୋଞ୍ଜ ପଦକ ଜିତିଛନ୍ତି।
୨୨ ବର୍ଷୀୟ ସୁଟର ଅଭନି ଲେଖରା ୧୦ ମିଟର ଏୟାର ରାଇଫଲ ଫାଇନାଲରେ ୨୪୯.୭ ପଏଣ୍ଟ ହାସଲ କରିଥିଲେ। ଏହା ଦ୍ଵାରା ସେ ପାରା ଅଲିମ୍ପିକ୍ସରେ ନୂଆ ରେକର୍ଡ କରିଛନ୍ତି। ଅଭନି ଟୋକିଓ ପାରା ଅଲିମ୍ପିକ୍ସରେ ମଧ୍ୟ ସମାନ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ଜିତିଥିଲେ। ଏବେ ସେ ନିଜ ଟାଇଟଲ୍ ବଜାୟ ରଖିବାରେ ସଫଳ ହୋଇଛନ୍ତି।
ଅନ୍ୟପଟେ ଦକ୍ଷିଣ କୋରିଆର ୟୁନରି ଲି ଏହି ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଛନ୍ତି। ସେ ୨୪୬.୮ ପଏଣ୍ଟ ସ୍କୋର କେରିଥିଲେ। ସେହିପରି ବ୍ରୋଞ୍ଜ ପଦକ ବିଜେତା ମୋନା ଅଗ୍ରୱାଲ ୨୨୮.୭ ପଏଣ୍ଟ ସ୍କୋର କରିଥିଲେ।
ଅଭନି ଲେଖରା ପାରା ଅଲିମ୍ପିକ୍ସରେ ଦୁଇଟି ସ୍ୱର୍ଣ୍ଣ ପଦକ ଜିତିବାରେ ପ୍ରଥମ ଭାରତୀୟ ଏଥଲେଟ୍। ଏହାସହ କ୍ରମାଗତ ଭାବେ ଦୁଇଟି ପାରା ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିବାରେ ମଧ୍ୟ ସେ ପ୍ରଥମ। ସେ ଟୋକିଓ ପାରାଅଲିମ୍ପିକ୍ସରେ ୫୦ ମିଟର ରାଇଫଲ୍ ଥ୍ରୀ ପୋଜିସନ ଇଭେଣ୍ଟରେ ମଧ୍ୟ ବ୍ରୋଞ୍ଜ ପଦକ ଜିତିଥିଲେ। ତାଙ୍କ ନାଁରେ ମୋଟ ୩ଟି ପାରା ଅଲିମ୍ପିକ୍ସ ପଦକ ରହିଛି।
ସୁଟିଂର ଏହି ଦୁଇ ପଦକ ସହ ଚଳିତ ପାରା ଅଲିମ୍ପିକ୍ସରେ ଭାରତର ଖାତା ଖୋଲିଛି। ଆଗକୁ ଅନ୍ୟ ଇଭେଣ୍ଟରେ ମଧ୍ୟ ଭାରତୀୟ ଖେଳାଳିମାନେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି।
Tags: #ParisParaOlympics #Shooting #AvaniLekhara #GoldMedal #MonaAgarwal #TeamIndia #Sports