ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ୟାରିସ ପାରା ଅଲିମ୍ପିକ୍ସରେ ରବିବାର ଭାରତକୁ ମିଳିଛି ଆଉ ୨ଟି ପଦକ। ଟୁର୍ଣ୍ଣାମେଣ୍ଟର ଆଥଲେଟିକ୍ସ ପ୍ରତିଯୋଗିତାରେ ଭାରତକୁ ମିଳିଛି ଏହି ସଫଳତା। ଆଥଲେଟିକ୍ସର ପୁରୁଷ ହାଇଜମ୍ପ ଇଭେଣ୍ଟରେ ନିଶାଦ କୁମାର ରୌପ୍ୟ ପଦକ ଜିତିଥିବାବେଳେ ମହିଳା ୨୦୦ ମିଟର ଦୌଡ଼ରେ (ଟି-୩୫) ବ୍ରୋଞ୍ଜ ପଦକ ଜିତିଛନ୍ତି ପ୍ରୀତି ପାଲ୍‌।

ହାଇଜମ୍ପ (ଟି-୪୭) ଫାଇନାଲରେ ନିଶାଦ କୁମାର ୨.୦୮ ମିଟର ଉଚ୍ଚତା ଡେଇଁ ଦ୍ଵିତୀୟ ସ୍ଥାନରେ ରହିଥିଲେ। ଏହି ଇଭେଣ୍ଟରେ ଆମେରିକାର ରୋଡରିକ୍‌ ଟାଉନସେଣ୍ଡ ୨.୧୨ ମିଟର ଉଚ୍ଚତା ଡେଇଁ ସ୍ଵର୍ଣ୍ଣ ପଦକ ହାସଲ କରିଥିଲେ।

ସେହିପରି ନ୍ୟୁଟ୍ରାଲ ଆଥଲେଟ ଭାବରେ ଅଂଶଗ୍ରହଣ କରିଥିବା ଜର୍ଜି ମାର୍ଗେଭ୍‌ ୨.୦୦ ମିଟର ଉଚ୍ଚକୁ ଡେଇଁ ବ୍ରୋଞ୍ଜ ପଦକ ଜିତିଥିଲେ। ଏହି ଇଭେଣ୍ଟରେ ଅଂଶଗ୍ରହଣ କରିଥିବା ଅନ୍ୟତମ ଭାରତୀୟ ଖେଳାଳି ରାମ ପାଲ ୧.୯୫ ମିଟର ଡେଇଁ ସପ୍ତମ ସ୍ଥାନରେ ରହିଥିଲେ।

ଅନ୍ୟପଟେ ମହିଳା ୨୦୦ ମିଟର ଦୌଡ଼ରେ (ଟି-୩୫) ପ୍ରୀତି ପାଲ୍‌ ୩୦.୦୧ ସେକେଣ୍ଡରେ ଅତିକ୍ରମ କରି ବ୍ରୋଞ୍ଜ ପଦକ ଜିତିଥିଲେ। ସେ ଏହା ପୂର୍ବରୁ ୧୦୦ ମିଟର ଦୌଡ଼ରେ ମଧ୍ୟ ବ୍ରୋଞ୍ଜ ପଦକ ଜିତିଥିଲେ। ପ୍ରଥମ ଭାରତୀୟ ମହିଳା ଟ୍ରାକ୍ ଆଣ୍ଡ ଫିଲ୍ଡ ଆଥଲେଟ୍‌ ଭାବେ ସେ ଗୋଟିଏ ପାରା ଅଲିମ୍ପିକ୍ସରେ ଦୁଇଟି ପଦକ ଜିତିବାର ସଫଳତା ହାସଲ କରିଛନ୍ତି।

ପ୍ୟାରିସ ପାରା ଅଲିମ୍ପିକ୍ସ ଆଥଲେଟିକ୍ସରେ ଭାରତକୁ ଏବେ ସୁଦ୍ଧା ୩ଟି ପଦକ ମିଳିଛି। ଏହାକୁ ମିଶାଇ ଭାରତ ଗୋଟିଏ ସ୍ଵର୍ଣ୍ଣ, ୨ଟି ରୌପ୍ୟ ଓ ୪ଟି ବ୍ରୋଞ୍ଜ ସହ ମୋଟ ୭ଟି ପଦକ ହାସଲ କରିଛି।

Tags: #ParisParaOlympics #Athletics #SilverMedal #NishadKumar #BronzeMedal #PreethiPal #Sports

LEAVE A REPLY

Please enter your comment!
Please enter your name here