ଓଡ଼ିଶାଲାଇଭ୍ ବ୍ୟୁରୋ

“ବାଲେଶ୍ଵର ଜିଲ୍ଲାରେ ବନ୍ୟା ସ୍ଥିତି ଉଦବେଗଜନକ ରହିଛି”, ଆକାଶ ମାର୍ଗରୁ ବାଲେଶ୍ଵରର ବନ୍ୟା ସ୍ଥିତି ଅନୁଧ୍ୟାନ କରିବା ପରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ଗତ ୪ଦିନ ଧରି ବର୍ଷା ଲାଗି ରହିଥିବାରୁ ବାଲେଶ୍ଵର ଓ ମୟୁରଭଞ୍ଜ ଜିଲ୍ଲାର ସ୍ଥିତି ସମ୍ପୂର୍ଣ୍ଣ ବେହାଲ ହୋଇପଡ଼ିଛି। ଲଗାଣ ବର୍ଷା ଯୋଗୁଁ ବୁଢ଼ାବଳଙ୍ଗ, ବୈତରଣୀ, ସୁବର୍ଣ୍ଣରେଖା ଓ ଜଳକା ନଦୀର ଜଳସ୍ତର ଫୁଲିବାରେ ଲାଗିଛି। ଫଳରେ ବାଲେଶ୍ଵରରେ ବନ୍ୟା ପରିସ୍ଥିତି ଉପୁଜିଛି। ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବନ୍ୟାସ୍ଥିତିର ସମୀକ୍ଷା କରିବା ପାଇଁ ବାଲେଶ୍ଵର ଯାଇଛନ୍ତି। 

ମୁଖ୍ୟମନ୍ତ୍ରୀ ଭୁବନେଶ୍ଵର ବିମାନବନ୍ଦରରୁ ସ୍ଵତନ୍ତ୍ର ହେଲିକପ୍ଟର ଯୋଗେ ବାଲେଶ୍ଵର ଅଭିମୁଖେ ଯାଇଥିଲେ। ଆକାଶ ମାର୍ଗରୁ ବନ୍ୟାସ୍ଥିତି ଅନୁଧ୍ୟାନ କରିବା ପରେ ସେ ବାଲେଶ୍ଵର ପଦ୍ମାବତୀ ପାର୍କ ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରିଥିଲେ।

ଏହା ପରେ ମୁଖ୍ୟମନ୍ତ୍ରୀ ବନ୍ୟାସ୍ଥିତିର ମୁକାବିଲା ପାଇଁ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ।

ବନ୍ୟା ସ୍ଥିତିର ସମୀକ୍ଷା କରିବା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ସୁବର୍ଣ୍ଣରେଖାରେ ଜଳସ୍ତର ବଢ଼ିଥିବାରୁ ବାଲେଶ୍ଵର ଜିଲ୍ଲାର ବାଲିଆପାଳ, ଭୋଗରାଇ, ଜଳେଶ୍ଵର ଓ ବସ୍ତା ବ୍ଲକ ବନ୍ୟା ପ୍ରଭାବିତ ହୋଇଛି। ଜିଲ୍ଲାର ୬ଟି ବ୍ଲକର ୮ ହଜାର ହେକ୍ଟରରୁ ଅଧିକ ଜମି ଜଳମଗ୍ନ ହୋଇରହିଛି। ପୂର୍ଣ୍ଣିମା ଯୋଗୁଁ ଜୁଆର ଆସୁଥିବାରୁ ଜଳ ନିଷ୍କାସନରେ ଅସୁବିଧା ହେଉଛି। ବନ୍ୟା ପ୍ରଭାବିତ ପ୍ରାୟ ଦୁଇ ହଜାର ଲୋକଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯିବା ସହ ସେମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଦିନେ ଦୁଇ ଦିନ ମଧ୍ୟରେ ସ୍ଥିତିରେ ସୁଧାର ଆସିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି।

ସେ ଆହୁରି କହିଛନ୍ତି ଯେ, ଯେଉଁ ଗାଁଗୁଡ଼ିକ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିଛି, ସେଠାରୁ ଲୋକଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରହିଛି। ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ୮ଟି ଅଗ୍ନିଶମ, ୩ ଓଡ୍ରାଫ ଟିମ ଓ ଗୋଟିଏ ଏନଡିଆରଏଫ ଟିମ।  

ବାଲେଶ୍ଵର ଜିଲ୍ଲାରେ ଉପୁଜିଥିବା ବନ୍ୟା ପରିସ୍ଥିତି ଯୋଗୁଁ ଘରେ ଘରେ ପାଣି ପଶିଛି। ରାସ୍ତା ଉପରେ ପାଣି ଜମି ରହିଥିବାରୁ ଯାତାୟତରେ ଲୋକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି ଲୋକେ।

Tags: #FloodSituation #Balasore #Survey #CMOdisha #MohanCharanMajhi #Odisha

LEAVE A REPLY

Please enter your comment!
Please enter your name here