ଓଡ଼ିଶାଲାଇଭ୍ ବ୍ୟୁରୋ

(ବାମରୁ ଡାହାଣକୁ)- ପ୍ରଫେସର ପଙ୍କଜ କୁମାର ପାଢ଼ୀ, ଡକ୍ଟର ଗୌରାଙ୍ଗ ସି ସାମନ୍ତ, ଡକ୍ଟର ମନୋଜିତ୍ ଭଟ୍ଟାଚାର୍ଯ୍ୟ

(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ଆମେରିକାର ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟ ଏବଂ ନେଦରଲାଣ୍ଡର ଏଲସେଭିଆର ଜର୍ନାଲ ପକ୍ଷରୁ ବର୍ଷ ୨୦୨୪ ପାଇଁ ବିଶ୍ଵର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକା ପ୍ରକାଶ ପାଇଛି। ଏହି ସମ୍ମାନଜନକ ତାଲିକାରେ ବାଲେଶ୍ଵର ଫକୀର ମୋହନ ବିଶ୍ୱବିଦ୍ୟାଳୟ ୩ ଜଣ ଅଧ୍ୟାପକ ସ୍ଥାନ ପାଇଛନ୍ତି। ସେମାନେ ହେଲେ ବିଶ୍ୱବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗର ପ୍ରଫେସର ପଙ୍କଜ କୁମାର ପାଢ଼ୀ, ଗଣିତ ବିଭାଗର ଡକ୍ଟର ଗୌରାଙ୍ଗ ସି ସାମନ୍ତ ଏବଂ ପ୍ରାଣୀ ବିଜ୍ଞାନ ବିଭାଗର ଡକ୍ଟର ମନୋଜିତ୍ ଭଟ୍ଟାଚାର୍ଯ୍ୟ।

ପ୍ରଫେସର ପଙ୍କଜ କୁମାର ପାଢ଼ୀଙ୍କ ଏହା କ୍ରମାଗତ ଭାବେ ପାଞ୍ଚ ବର୍ଷର ସଫଳତା ହୋଇଥିବାବେଳେ ଡକ୍ଟର ଗୌରାଙ୍ଗ ସି ସାମନ୍ତ ଚତୁର୍ଥ ଥର ପାଇଁ ଏହି ତାଲିକାଭୁକ୍ତ ହୋଇଛନ୍ତି। ସେହିପରି ଡକ୍ଟର ମନୋଜିତ୍  ଭଟ୍ଟାଚାର୍ଯ୍ୟ କ୍ରମାଗତ ଦ୍ୱିତୀୟ ଥର ପାଇଁ ବିଶ୍ଵର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକାରେ ସାମିଲ ହୋଇଛନ୍ତି।

ଫକୀର ମୋହନ ବିଶ୍ୱବିଦ୍ୟାଳୟର ଅଧ୍ୟାପକଙ୍କ ବିଜ୍ଞାନ କ୍ଷେତ୍ରରେ ଅନେକ ଗବେଷଣା ପ୍ରବନ୍ଧ, ପେଟେଣ୍ଟ ଦାଖଲ ଓ ପୁସ୍ତକକୁ ଦୃଷ୍ଟିରେ ସେମାନଙ୍କୁ ଏହି ତାଲିକାରେ ସ୍ଥାନ ମିଳିଛି। ଏହି ଉପଲବ୍ଧି ପାଇଁ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ବିଶ୍ଵର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକାରେ ବିଜ୍ଞାନର ବିଭିନ୍ନ କ୍ଷେତ୍ରରେ ବିଭିନ୍ନ ଦେଶର ସବୁଠାରୁ ପ୍ରଭାବଶାଳୀ ଅନୁସନ୍ଧାନକାରୀଙ୍କୁ ଅନ୍ତର୍ଭୁକ୍ତ କରାଯାଇଥାଏ। ସ୍କୋପସ୍ ତଥ୍ୟ ଉପରେ ଆଧାର କରି ଏବଂ ଷ୍ଟାନଫୋର୍ଡ ୟୁନିଭରସିଟି ସହଯୋଗରେ ଏଲସେଭିଆର ଜର୍ନାଲ ଦ୍ଵାରା ଏହି ତାଲିକା ପ୍ରସ୍ତୁତ କରାଯାଇଥାଏ।

ଏହି ତାଲିକାରେ ବୈଜ୍ଞାନିକମାନଙ୍କୁ ସାଇଟେସନ୍, ଏଚ୍-ଇଣ୍ଡେକ୍ସ ବିଶ୍ଳେଷଣ କରି ଚିହ୍ନଟ କରାଯାଏ। ଏହାସହ ବିବଲିଓମେଟ୍ରିକ୍ ଇଣ୍ଡେକ୍ସର ଏକ ବିସ୍ତୃତ ସେଟ୍ ଦ୍ଵାରା ଅନୁସନ୍ଧାନକାରୀମାନଙ୍କୁ ୨୨ଟି କ୍ଷେତ୍ରରେ ଏବଂ ୧୭୪ଟି ଉପକ୍ଷେତ୍ରରେ ବିଭକ୍ତ କରାଯାଇଥାଏ। ଏହି ମାନ୍ୟତା ବିଶ୍ଵର ବୈଜ୍ଞାନିକ ଅନୁସନ୍ଧାନ ଗୋଷ୍ଠୀ ମଧ୍ୟରେ କ୍ୟାରିୟର ସ୍ୱୀକୃତି, ଅଗ୍ରଗତି ଏବଂ ଅନୁଷ୍ଠାନିକ ପ୍ରତିଷ୍ଠା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ଲାଟଫର୍ମ ପ୍ରଦାନ କରିଥାଏ।

Tags: #Worlds2PercentScientistList #FakirMohanUniversity #Science #ScientificResearch #Baleswar

LEAVE A REPLY

Please enter your comment!
Please enter your name here